29.1 C
Bhubaneswar
Monday, November 18, 2024
Homeଓଡିଶା୨୦ ବର୍ଷ ପ୍ରତୀକ୍ଷା: ମାଓଗଡ଼ର ଭୋଟରଙ୍କ ହାତରେ ଲାଗିଲା କାଳି

୨୦ ବର୍ଷ ପ୍ରତୀକ୍ଷା: ମାଓଗଡ଼ର ଭୋଟରଙ୍କ ହାତରେ ଲାଗିଲା କାଳି

ଲାଞ୍ଜିଗଡ: ଗଣତନ୍ତ୍ରର ମହାପର୍ବରେ ସାଧାରଣ ଜନତା ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରି ନିଜର ଜନ ପ୍ରତିନିଧିଙ୍କୁ ନିର୍ବାଚିତ କରନ୍ତି । କିନ୍ତୁ ଦୀର୍ଘ ୨୦ ବର୍ଷ ଧରି କେତେବେଳେ ଗ୍ରାମବାସୀମାନେ ନିଜପସନ୍ଦର ନେତାକୁ ମନୋନୀତ କରୁଥିଲେ ତ କେତେବେଳେ ମାଓବାଦୀଙ୍କ ବୁଲେଟ ମୁନରେ ସରପଞ୍ଚ, ସମିତସଭ୍ୟ ଓ ୱାର୍ଡ଼ ମେମ୍ବର ବାଛୁଥିଲେ । କିନ୍ତୁ ୨୨ ତାରିଖ ଦିନ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ବୁଲେଟରେ ନୁହେଁ ବାଲଟରେ ବାଛିଲେ ନିଜ ମନପସନ୍ଦର ନେତା । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଭୋଟର ଏବଂ ନିର୍ବାଚନ ପରିଚାଳନା କରୁଥିବା କର୍ମଚାରୀଙ୍କୁ ସାହସ ଓ ଉତ୍ସାହିତ କରିବା ପାଇଁ ନିଜେ ଡିଆଇଜି ଓ କଳାହାଣ୍ଡି ଏସପି ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ । କଳାହାଣ୍ଡି ଜିଲ୍ଲା ନିୟମଗିରି ପାହାଡ଼ର ପାଦଦେଶରେ ରହିଛି ତ୍ରିଲୋଚନପୁର ପଞ୍ଚାୟତର । ମାଓଗଡ ଭାବେ ପରିଚିତ ତ୍ରିଲୋଚନପୁର । ୨୦୦୨ ମସିହାରେ ୨୭ ଖଣ୍ଡ ଗାଁକୁ ନେଇ ନୂତନ ପଞ୍ଚାୟତ ଭାବରେ ଗଠିତ ହୋଇଥିଲା ତ୍ରିଲୋଚନପୁର ପଞ୍ଚାୟତ । ଏହି ପଞ୍ଚାୟତରେ ଆଦିମ ଜନଜାତି ଡଙ୍ଗରିଆ ଓ ଝରଣୀଆ ଆଦିବାସୀ ବସବାସ କରନ୍ତି । ଏହି ଅଞ୍ଚଳରେ ୨୦୧୧ ମସିହାରେ ମାଓବାଦୀ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ । ତ୍ରିଲୋଚନପୁରରେ ଲାଲବାହିନୀ ନିଜର ଉପସ୍ଥିତି ଜାହିର କରିବା ସହ ଆଦିବାସୀଙ୍କ ମୌଳିକ ସମସ୍ୟା ଓ ସରକାରଙ୍କ ଅପାରଗତାର କଥା କହି ନିୟମଗିରି ଅଞ୍ଚଳରେ ନିଜର କାୟାବିସ୍ତାର କରିଥିଲା । ବିଭିନ୍ନ ସମୟରେ ବହୁ ମୁଣ୍ଡ ଗଡାଇଛନ୍ତି ମାଓବାଦୀ । ୨୦୦୨ରୁ ପଞ୍ଚାୟତବାସୀ ବିନା ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବରଙ୍କୁ ନିଜ ପସନ୍ଦରେ ବାଛୁଥିଲେ । କିନ୍ତୁ ୨୦୧୧ ମସିହାରୁ ୨୦୧୭ ପର‌୍ୟ୍ୟନ୍ତ ମାଓବାଦୀଙ୍କ ବୁଲେଟ ମୁନରେ ମନୋନୀତ ହେଉଥିଲେ ଲୋକ ପ୍ରତିନିଧି । ମାଓ ଭୟରେ ଉକ୍ତ ଅଞ୍ଚଳକୁ କୌଣସି ସରକାରୀ କର୍ମଚାରୀ, ନେତା, ମନ୍ତ୍ରୀଙ୍କ ପାଦପଡୁ ନ ଥିଲା । ଫଳରେ ଏହି ପଞ୍ଚାୟତବାସୀ ସରକାରଙ୍କ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ରହିଆସିଥିଲେ । ମାଓବାଦୀ ଇଙ୍ଗିତରେ ଏହି ପଞ୍ଚାୟତବାସୀ ଉଠୁଥିଲେ ଓ ବସୁଥିଲେ । ଯେପରି ସେମାନଙ୍କର ସମସ୍ତ ସୁବିଧା ସୁଯୋଗ ଏବଂ ସ୍ୱାଧିନତାକୁ ଛଡାଇ ନେଇଥିଲେ ମାଓବାଦୀ । ଭୟ ଓ ଆତଙ୍କିତ ଅବସ୍ଥାରେ ପଞ୍ଚାୟତବାସୀ ଦିନ କାଟୁଥିଲେ । ଲାଞ୍ଜିଗଡ ବ୍ଳକରେ ଗତ କିଛି ମାସ ହେଲା ଯୁବ ବିଡ଼ିଓ ଭାବରେ ଜିତେନ୍ଦ୍ର ମିଶ୍ର ଯୋଗଦେବା ପରେ ପ୍ରଥମେ ସେ ଉକ୍ତ ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ବରମ୍ବାର ଯାଇ ଡଙ୍ଗରିଆ ଓ ଝରଣୀଆଙ୍କ ସହିତ ମିଳାମିଶା କରିବା ସହିତ ସେମାନଙ୍କ ଦୁଃଖ ସୁଖର ସାଥି ହୋଇଥିଲେ । ସେ ଅଞ୍ଚଳର ମୌଳିକ ବିକାଶ ଉପରେ ଗୁରୁତ୍ୱ ଦେବା ସହିତ ଗ୍ରାମବାସୀଙ୍କ ନିକଟତର ହୋଇଥିଲେ । ଗାଁ ଗାଁରେ ପୁଲିସ ଓ ବ୍ଳକ ପ୍ରଶାସନ ଜନସଚେତନତା ସୃଷ୍ଟି କରିଥିଲେ । ଯାହା ବିଡ଼ିଓ ମିଶ୍ରଙ୍କ ଆପ୍ରାଣ ଉଦ୍ୟମରେ ଦୀର୍ଘ ୨୦ ବର୍ଷ ପରେ ୨୨ ତାରିଖ ଦିନ ୨୭ ଗ୍ରାମର ଡଙ୍ଗରିଆ ଓ ଝରଣୀଆ ଆଦିବାସୀ ସମ୍ପ୍ରଦାୟର ୧୦୮୫ ମତଦାତା ୧୧ ମତଦାନ କେନ୍ଦ୍ରରେ ବୁଲେଟରେ ନୁହେଁ ବାଲେଟ ପେପରରେ ମୋହର ମାରି ବାଛିଛନ୍ତି ନିଜ ପ୍ରତିନିଧି ।

ଚଳିତ ପଞ୍ଚାୟତ ନିର୍ବାଚନରେ ତ୍ରିଲୋଚନପୁର ପଞ୍ଚାୟତରେ ସରପଞ୍ଚ ଆସନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ସମିତି ସଭ୍ୟ ଆସନ ମଧ୍ୟ ମହିଳାଙ୍କ ପାଇଁ ରହିଛି । ସେହିପରି ଜିଲ୍ଲା ପରିଷଦ ଆସନ ପୁରୁଷଙ୍କ ପାଇଁ ସଂରକ୍ଷିତ ଅଛି । ନିର୍ବାଚନୀ ମୈଦାନରେ ଦୁଇ ସରପଞ୍ଚ ଓ ୩ ସମିତି ସଭ୍ୟ ପ୍ରାର୍ôଥନୀଙ୍କ ସହ ୬ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ମାଓଗଡରେ କିପରି ଶାନ୍ତି ଶୃଙ୍ଖଳାରେ ଓ ନିର୍ଭୟରେ ଲୋକେ ଭୋଟଦେବେ ତାହା ଜିଲ୍ଲା, ବ୍ଳକ ପ୍ରଶାସନ ଓ ପୁଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିଲା । ସେଥିପାଇଁ ଗତ ଦୁଇମାସ ହେଲା ବ୍ଳକ ଓ ପୁଲିସ ପ୍ରଶାସନ ମିଳିତ ଭାବରେ ଘନଘନ ଉକ୍ତ ଅଞ୍ଚଳକୁ ଯାଇ ଲୋକଙ୍କ ସହିତ ମିଶି ସେମାନଙ୍କ ମନରୁ ମାଓଭୟ ଦୂର କରିବାର ପ୍ରୟାସ କରିଆସୁଥିଲେ । ୨୦ ବର୍ଷ ପରେ ପ୍ରଥମ କରି ଗାଁ ନେତା ଗ୍ରାମବାସୀମାନେ ନିଜେ ଭୋଟ ଦେଇ ବାଛିବେ । ତାକୁ ନେଇ ଡ଼ଙ୍ଗରିଆ ଓ ଝରଣୀଆ ଗ୍ରାମବାସୀ ବେଶ୍ ଉତ୍ସାହିତ ଥିବାର ଦେଖାଯାଇଥିଲା । ପୂର୍ବପରି ପଞ୍ଚାୟତରେ ୧୧ଟି ୱାର୍ଡମେମ୍ବର ପଦବୀ ପାଇଁ ନିର୍ଦ୍ୱନ୍ଦରେ ଚୟନ ପ୍ରକ୍ରିୟା ଶେଷ ହୋଇଛି । ଏଥର ପଞ୍ଚାୟତ ନିର୍ବାଚନରେ ୨ ମହିଳା ସରପଞ୍ଚ ପ୍ରାର୍ôଥନୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ ଏଠାରେ ବିକାଶର ସ୍ୱପ୍ନ ଦେଖିଛନ୍ତି ଅଞ୍ଚଳବାସୀ । ୨୦ ତାରିଖ ଦିନ ଉକ୍ତ ପଞ୍ଚାୟତର ୧୧ଟି ଭୋଟ କେନ୍ଦ୍ରରେ କଡା ସୁରକ୍ଷା ଭିତରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀମାନେ ପହଞ୍ଚି ଥିଲେ । ସେମାନଙ୍କ ମନରେ ମାଓ ଭୟ ଥିଲେ ମଧ୍ୟ ସମସ୍ତ ଭୋଟକେନ୍ଦ୍ର ଓ ୨୭ ଗ୍ରାମ ଚାରିପାଶ୍ୱରେ ଗତ ଦୁଇଦିନ ହେଲା ସିଆରପିଏଫ, ଡିଭିଏଫ, ଆଇଆରବି, ଏସ୍‌ଓଜି ଯବାନ କୁମ୍ବିଂ ଅପରେସନ କରିବା ସହିତ ଗ୍ରାମବାସୀମାନେ ନିର୍ଭୟରେ ଭୋଟ ଦେବେ ସେଥିପାଇଁ କଡା ସୁରକ୍ଷା ବ୍ୟବସ୍ତା କରାଯିବା ସହିତ ସବୁ ଭୋଟକେନ୍ଦ୍ର ଓ ଗ୍ରାମ ଉପରେ ଯବାନମାନେ କଡା ନଜର ରଖିଥିଲେ । ଚାରିଆଡେ ପୋଲିସ ପେଟ୍ରଲିଙ୍ଗି କଡାକଡି କରିଥିଲା । ୨୨ ତାରିଖ ସକାଳୁ ତ୍ରୀଲୋଚନପୁର ପଞ୍ଚାୟତ ର ୨୭ ଖଣ୍ଡ ମାଓପ୍ରବଣ ଗ୍ରାମର ଡଙ୍ଗରିଆ ଓ ଝରଣୀଆ ଆଦିବାସୀ ମହିଳା ଓ ପୁରୁଷ ଭୋଟର ନୂଆଲୁଗା ପିନ୍ଧି ଓ ସେମାନଙ୍କ ପାରମ୍ପରିକ ବେଶଭୂଶାରେ ପିଲା ଛୁଆ ଧରି ଚାଲି ଚାଲି ଭୋଟ କେନ୍ଦ୍ରକୁ ଆସିବା ଦୃଶ୍ୟ ଓ ସେମାନଙ୍କ ମନରେ ଭୋଟ ଦେବାର ଯେଉଁ ଖୁସି ତାହା ଯିଏ ଦେଖିବ ସେ ହିଁ ଜାଣିପାରିବ ଯେ ନିର୍ବାଚନର ଏହି ମହାପର୍ବ ସେମାନଙ୍କ ପାଇଁ କେତେ ମୂଲ୍ୟବାନ ଥିଲା । ଏହି ନିର୍ବାଚନ ପୁଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ଥିବାରୁ ନିଜେ ଦକ୍ଷିଣ ପଶ୍ଚିମ ଜୋନ(କୋରାପୁଟ ) ପୁଲିସ ଡିଆଇଜି ରାଜେଶ ପଣ୍ଡିତ ଓ କଳାହାଣ୍ଡି ଏସପି ଡ. ଶ୍ରବଣ ବିବେକ ଏମ୍ ସମସ୍ତ ୧୧ ଟି ଭୋଟ କେନ୍ଦ୍ରରେ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ଦେଖିବାକୁ ମିଳିଥିଲା । କୌଣସି ପ୍ରକାର ଅପ୍ରୀତିକର ପରସ୍ଥିତି ସୃଷ୍ଟି ନହେବ ସେଥିପାଇଁ ସବୁପ୍ରକାର ସୁରକ୍ଷା ବ୍ୟବସ୍ତା କରାଯାଇଥିଲା । ଡଙ୍ଗରିଆ ଓ ଝରଣୀଆ ଆଦିବାସୀମାନେ ନିର୍ଭୟରେ ଭୋଟ ଦେଉଥିବା ଦେଖିବାକୁ ମିଳିଥିଲା । ଦିନ ୨ଟା ପର୍ଯ୍ୟନ୍ତ ଭୋଟ ଚାଲିଥିଲା । ଭୋଟ କାର୍ଯ୍ୟ ସୁରୁଖୁରୁରେ ସାରି ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀମାନେ କଡା ସୁରକ୍ଷା ଭିତରେ ବ୍ଳକ କାର‌୍ୟ୍ୟାଳୟକୁ ଆସି ବାଲେଟ ବକ୍ସ ଆଣି ଜମା ଦେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking