ଭୁବନେଶ୍ୱର: କରୋନା ମାହାମାରୀ ସକାଶେ ୨୦୨୦ରେ ଲାଗୁ ହୋଇଥିବା ପ୍ରଥମ ଲକଡାଉନ ଯୋଗୁଁ ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଆରମ୍ଭ କରିଥିଲେ । ନିଜ ରାଜ୍ୟରେ ରୋଜଗାରର ମାଧ୍ୟମ ଖୋଜିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଥିଲା । ଏପରିସ୍ଥଳେ ବିଭିନ୍ନ ରାଜ୍ୟର ସରକାରମାନେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ଅଧିକା ଅର୍ଥ ଖର୍ଚ୍ଚକରି ପ୍ରବାସୀଙ୍କ ସମେତ ଗ୍ରାମାଞ୍ଚଳର ବହୁ ଲୋକଙ୍କୁ କାମ ପ୍ରଦାନ କରିଥିଲେ । ଓଡ଼ିଶା ମଧ୍ୟ ଏ ଦିଗରେ ଅଗ୍ରଣୀ ରାଜ୍ୟ ରହିଥିଲା । ପୂର୍ବ ବର୍ଷ ତୁଳନାରେ ୨୦୨୧ରେ ମନରେଗାରେ ଅଧିକା ଅର୍ଥ ଖର୍ଚ୍ଚ କରିଥିବା ଦେଶର ୫ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରହିଛି ।
ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ମୁତାବକ କରୋନାର ପୂର୍ବ ବର୍ଷ ତୁଳନାରେ ମହାମାରୀ ବେଳେ ମନରେଗାରେ ଅଧିକା ଖର୍ଚ୍ଚ କରିଥିବା ପଶ୍ଚିମବଙ୍ଗ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ବିହାର ସହ ଓଡ଼ିଶା ଟପ୍ ୫ ରାଜ୍ୟ ତାଲିକାରେ ରହିଛି ।
ଓଡ଼ିଶା ସରକାର ୨୦୨୧ରେ ମନରେଗାରେ ମୋଟ ୫,୩୭୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୧୯-୨୦ ବର୍ଷ ସହ ତୁଳନା କଲେ ସେତେବେଳେ ରାଜ୍ୟ ସରକାର ମୋଟ ୨,୮୩୬ କୋଟି ଖର୍ଚ୍ଚ କରିଥିଲେ । ସେହିଭଳି ବିହାର ସରକାରଙ୍କ କଥା କହିଲେ ୨୦୨୧ରେ ବିହାର ମନରେଗାରେ ୫,୭୭୧ କୋଟି ଟଙ୍କା ଖର୍ଚ୍ଚ କରିଛି । ମହାମାରୀ ପୂର୍ବ ବର୍ଷରେ ବିହାର ସରକାହର ଏ ବାବଦକୁ ଖର୍ଚ୍ଚ କରିଥିଲେ ୩,୩୭୧ କୋଟି । ସେହିଭଳି ମଧ୍ୟପ୍ରଦେଶ ସରକାର ୨୦୨୧ରେ ୭,୩୫୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ପୂର୍ବ ବର୍ଷରେ ଖର୍ଚ୍ଚ ପରିମାଣ ଥିଲା ୪,୯୪୯ କୋଟି । ପଶ୍ଚିମବଙ୍ଗ ସରକାର ୨୦୨୧ରେ ୧୦,୧୧୮ କୋଟି ଟଙ୍କା ମନରେଗା ବାବଦକୁ ଖର୍ଚ୍ଚ କରିଥିବା ବେଳେ ତାମିଲନାଡ଼ୁ ସରକାର ଖର୍ଚ୍ଚ କରିଛନ୍ତି ୮,୯୬୧ କୋଟି । ଦୁଇ ରାଜ୍ୟର ପୂର୍ବ ବର୍ଷ ଖର୍ଚ୍ଚ ଥିଲା ଯଥାକ୍ରମେ ୭,୪୮୦ କୋଟି ଏବଂ ୫,୬୨୧ କୋଟି । ପ୍ରକାଶ ଯେ ବର୍ଷ ୨୦୨୧ ପାଇଁ କେନ୍ଦ୍ର ସରକାର ପ୍ରତି ଗ୍ରାମାଞ୍ଚଳ ପରିବାରକୁ ୧୦୦ ଦିନ ନିଶ୍ଚିତ କର୍ମନିଯୁକ୍ତି ପାଇଁ ମନରେଗାରେ ୭୩ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ । ତେବେ ବର୍ଷ ଶେଷ ସୁଦ୍ଧା ଅତିରିକ୍ତ ବଜେଟ୍ ମିଶିକରି ଖର୍ଚ୍ଚ ହୋଇଥିଲା ମୋଟ ୯୪ ହଜାର ୯୯୪ କୋଟି ।