ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍) ଜଣେ କୁଖ୍ୟାତ ନିଶାମାଫିଆକୁ ରବିବାର ରାତିରେ ପାହାଳ ଅଞ୍ଚଳରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆସାହିର ଶିବୁ ଓରଫ ଶିବପ୍ରସାଦ ଦାସ । ତା’ ଠାରୁ ୧କିଲୋ ୨୨୭ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ବ୍ରାଉନସୁଗର ମୂଲ୍ୟ ୧କୋଟି ୨୭ଲକ୍ଷ ଟଙ୍କା ହେବ । ଏଥିସହ ଗୋଟିଏ ବାଇକ ଓ ୫ଟି ମୋବାଇଲ ମଧ୍ୟ ଜବତ କରାଯାଇଛି । ଏନେଇ ଏସ୍ଟିଏଫ୍ ପୁଲିସ କେସ୍ ନଂ ୫/୨୦୨୨ରେ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ସୂଚନା ଅନୁଯାୟୀ, ଶିବୁ ନୟାଗଡ ଜିଲା ଟାଉନ ଥାନା ଅନ୍ତର୍ଗତ ଉଦୟପଥ ଲେନ୍ରେ ଘରଭଡା ନେଇ ପରିବାର ସହ ରହୁଥିଲା । ଏଥିସହ ମାଛ ବ୍ୟବସାୟ ଚଳାଇଆସୁଥିଲା । ଖାଲି ଏତିକି ନୁହେଁ, ଅଧିକ ଟଙ୍କା ରୋଜଗାର ଆଶାରେ ବ୍ରାଉନସୁଗର ହୋଲସେଲ୍ ବ୍ୟବସାୟ କରୁଥିଲେ । ଏସମ୍ପର୍କରେ ଏସ୍ଟିଏଫ୍ ଖବରପାଇ ଗତ ଜାନୁଆରୀ ୨୫ତାରିଖ ରାତିରେ ଚଢ଼ାଉ କରିଥିଲା । ହେଲେ ପୂର୍ବରୁ ଶିବୁ ଖବର ପାଇ ଫେରାର ହୋଇଯାଇଥିଲେ । ସେହି ସମୟରେ ଶିବୁଙ୍କ ସହଯୋଗୀ ଭିକି ରାଓଙ୍କୁ ଏସ୍ଟିଏଫ୍ ଗିରଫ କରିଥିଲା ।
ଏଥିସହ ସେହି ଘରୁ ୩କିଲୋ ୧୦୦ ଗ୍ରାମର ବ୍ରାଉନସୁଗର, ୬୫ଲକ୍ଷ ୩୨ହଜାର ଟଙ୍କା, ୩ଟି ପିସ୍ତଲ, ୪୩ ରାଉଣ୍ଡ ଗୁଳି, ୭ଟି ମାଗାଜିନ୍, ଗୋଟିଏ ଟଙ୍କା ଗଣିବା ମେସିନ୍, ୪ଟି ମୋବାଇଲ, ଏଟିଏମ୍ କାର୍ଡ ଓ ଗୋଟିଏ ଟାବ୍ଲେଟ ଜବତ କରିଥିଲା । ଏନେଇ ଏସ୍ଟିଏଫ୍ (ନଂ.୧/୨୦୨୨) ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଓଡ଼ିଶାର ବିଭିନ୍ନ ଜିଲାର ଶିବୁଙ୍କ ନାମରେ ୬ଟି ଅପରାଧିକ ମାମଲା ରହିଥିବା ଏସ୍ଟିଏଫ୍ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ, ନିଶାବେପାରୀଙ୍କ ବିରୋଧରେ ଏସ୍ଟିଏଫ୍ ପକ୍ଷରୁ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ସେମାନଙ୍କ ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ନିଶାଜାତ ଦ୍ରବ୍ୟ ଜବତ ହେଉଛି। ୨୦୨୦ ଆରମ୍ଭରୁ ଏପର୍ଯ୍ୟନ୍ତ ୪୯କିଲୋ ବ୍ରାଉନସୁଗର, ୮୯କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏଥିସହ ୧୨୩ରୁ ଊର୍ଦ୍ଧ୍ୱ ନିଶାମାଫିଆଙ୍କୁ ଗିରଫ କରାଯାଇଥିବା ଏସ୍ଟିଏଫ୍ ପକ୍ଷରୁ ସୂଚନା ମିଳିଛି ।