ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପ୍ରାୟ ଦୁଇ ବର୍ଷ ତଳେ ଘଟିଥିବା ଏକ ରହସ୍ୟଜନକ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବାରେ ଏବେ ରାଜ୍ୟ ପୁଲିସ ସଫଳ ହୋଇଛି। ପୁଲିସ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ଜଣେ ବିଜେପି ନେତା ତଥା ପୂର୍ବତନ କର୍ପୋରଟେର ଜଗଦୀଶ କାରୋଟିୟା (୬୫ ବର୍ଷ), ତାଙ୍କର ତିନି ପୁଅ ଏବଂ ଜଣେ ସହଯୋଗୀଙ୍କୁ ଗିରଫ କରିଛି। ପୁଲିସ କହିଛି କି ଅଭିଯୁକ୍ତମାନେ ୨୦୧୫ ମସିହାରେ ରିଲିଜ୍ ହୋଇଥିବା ଅଜୟ ଦେବଗନଙ୍କ ଚର୍ଚ୍ଚିତ ଫିଲ୍ମ ‘ ଦୃଶ୍ୟମ’ ଦେଖିଥିଲେ ଏବଂ ତା’ ପରେ ଏହି ହତ୍ୟାକାଣ୍ଡ ଭିଆଇଥିଲେ।
ପୁଲିସର କହିବାନୁଯାୟୀ, ଜଗଦୀଶ କାରୋଟିୟାଙ୍କର ବନଗଙ୍ଗା ଅଞ୍ଚଳର ଜଣେ ୨୨ ବର୍ଷୀୟା ଯୁବତୀ ତଥା କଂଗ୍ରେସ ସଦସ୍ୟ ଟ୍ବିଙ୍କଲ ଡାଗ୍ରେଙ୍କ ସହିତ ଅବୈଧ ସମ୍ପର୍କ ଥିଲା। ଟ୍ବିଙ୍କିଲ ତାଙ୍କୁ ବିବାହ କରିବା ଏବଂ ତାଙ୍କ ସହିତ ଏକାଠି ରହିବାକୁ ଜିଦ୍ କରିବାରୁ ଏହାକୁ ନେଇ ତାଙ୍କର ପରିବାରରେ ବ୍ୟାପକ ବିଭ୍ରାଟ ସୃଷ୍ଟି ହେଲା। ତେଣୁ ଜଗଦୀଶ ଏବଂ ତାଙ୍କ ପରିବାର ଲୋକେ ଟ୍ବିଙ୍କିଲଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ। କିନ୍ତୁ କିଭଳି ଏହି ହତ୍ୟାକାଣ୍ଡକୁ ବାସ୍ତବ ରୂପ ଦିଆଯିବ ଏବଂ କେମିତି ଏହାକୁ ଗୁପ୍ତ ରଖାଯିବ, ସେଥିପାଇଁ ସେମାନେ ତାଙ୍କୁ ହତ୍ୟା କରିବା ପୂର୍ବରୁ ଏକାଠି ‘ଦୃଶ୍ୟମ’ ଫିଲ୍ମ ଦେଖିଥିଲେ।
ଏହାପରେ ସେମାନେ ଟ୍ବିଙ୍କିଲଙ୍କୁ ହତ୍ୟା କରି ଗୋଟିଏ ସ୍ଥାନରେ ପୋଡି ଦେଇଥିଲେ। ଏହାକୁ ଲୁଚାଇବା ପାଇଁ ସେମାନେ ଗୋଟିଏ କୁକୁରକୁ ମାରି ସେଇ ସ୍ଥାନ ଠାରୁ ମାତ୍ର ୧୦୦ ମିଟର ଦୂରରେ ପୋତି ଦେଇଥିଲେ ଏବଂ ଚାରିଆଡେ ପ୍ରଚାର କରିଥିଲେ କି ସେଠାରେ ଗୋଟିଏ ମଣିଷ ଶବ ପୋତାଯାଇଛି।
ପୁଲିସ ଆସି ସେଠାରେ ଖୋଳିବା ପରେ କୁକୁରର ମୃତଦେହ ମିଳିଥିଲା। ତେଣୁ ପୁଲିସ ସେଠାରୁ ପଳାଇଥିଲା ଏବଂ ପ୍ରକୃତ ଶବ ପୋଡାଯାଇଥିବା ସ୍ଥାନକୁ ଯାଇନଥିଲା। ଫଳରେ କାହାକୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ସୁରାକ୍ ମିଳିନଥିଲା। ଅନ୍ୟପଟରେ ଟ୍ବିଙ୍କିଲ୍ ଙ୍କ ନିଖୋଜ ହୋଇଯିବା ନେଇ ତାଙ୍କ ମାଆବାପା ପୁଲିସ ନିକଟରେ ଅଭିଯୋଗ କରିଥିଲେ।
ହେଲେ ଅଭିଯୁକ୍ତମାନେ ଟ୍ବିଙ୍କିଲଙ୍କ ନିଖୋଜ ହେବା ଘଟଣାରେ ତାଙ୍କ ମାଆବାପାଙ୍କର ହାତ ଅଛି ବୋଲି ପ୍ରମାଣ କରିବାକୁ ଚାହଁଥିଲେ। ତେଣୁ ସେମାନେ ଟ୍ବିଙ୍କିଲଙ୍କ ଫୋନକୁ ନେଇ ବଦନାବର ସହରରେ ରହୁଥିବା ଜଣେ ଯୁବକ (ଯାହାଙ୍କ ସହିତ ଟ୍ବିଙ୍କିଲଙ୍କର ସମ୍ପର୍କ ଥିଲା)ଙ୍କ ଘର ନିକଟରେ ପକାଇଥିଲେ। ସେମାନେ ଚାହୁଁଥିଲେ କି ଉକ୍ତ ଯୁବକଙ୍କ ସହିତ ସମ୍ପର୍କକୁ ନେଇ କ୍ଷୁବ୍ଧ ହୋଇ ଟ୍ବିଙ୍କିଲଙ୍କ ପିତାମାତା ତାକୁ ଗାୟବ କରିଦେଇଥିବାର ପୁଲିସ ମନେ କରୁ। ସତକୁ ସତ ପୁଲିସ ଟ୍ବିଙ୍କିଲ ନିଖୋଜ ହେବା ଘଟଣାରେ କିଛି ଟେର ପାଇନଥିଲା। ଅନ୍ୟପଟରେ ତାଙ୍କର ମାତାପିତା ଏହି ଘଟଣାର ଯାଞ୍ଚ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଅଦାଲତଙ୍କ ନିର୍ଦ୍ଦଶେ କ୍ରମେ ଜଗଦୀଶ,ତାଙ୍କର ଦୁଇ ପୁଅ ଏବଂ ଟ୍ବିଙ୍କିଲଙ୍କର ମାତାପିତାଙ୍କର
ବ୍ରେନ୍ ମ୍ୟାପିଂ (ବ୍ରେନ୍ ଇଲେକ୍ଟ୍ରିକାଲ ଅସିଲେସନ ସିଗ୍ନେଚର ଟେଷ୍ଟ) କରାଇଥିଲା। ଗୁଜରାଟ ସ୍ଥିତ ଏକ ଲାବେର ଏଭଳି ପରୀକ୍ଷା କରାଯିବା ପରେ ପ୍ରକୃତ ସତ୍ୟ ବାହାରକୁ ଆସିଥିଲା। ଅଭିଯୁକ୍ତମାନେ ଏହି ହତ୍ୟାକାଣ୍ଡ ରଚିଥିବା ସ୍ବୀକାର କରିଥିଲେ। ଏବେ ପୁଲିସ ହତ୍ୟାକାଣ୍ଡ ସ୍ଥାନରୁ ମୃତ ଯୁବତୀଙ୍କ ବ୍ରେସଲେଟ ଏବଂ ଅନ୍ୟ କିଛି ସାମଗ୍ରୀ ଉଦ୍ଧାର କରିଛି।