ବ୍ରହ୍ମପୁର: ଆସନ୍ତା ୧୬ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଗଞ୍ଜାମ ଜିଲ୍ଳାର ଗ୍ରାମାଞ୍ଚଳ ଚଳଚଞ୍ଚଳ ହୋଇଛି । ସମସ୍ତ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ଜନିତ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି । ନିର୍ବାଚନ ପାଖେଇ ଆସିଥିବାରୁ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଳା ପରିଷଦ ସଭ୍ୟ ପ୍ରାର୍ଥୀମାନେ ନିଜ ଅଞ୍ଚଳରେ ପ୍ରଚାର ଗୀତ, ଭାଷଣ, ନିଜ ପ୍ରାର୍ôଥତ୍ୱ ସଂପର୍କିତ ସୂଚନା ଭୋଟରଙ୍କ ଠାରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଲା ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦେଶ ସତ୍ତ୍ୱେ ଗ୍ରାମାଞ୍ଚଳର ବିଭିନ୍ନ ଜାଗାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସହ ଯୋଜନା ଥିବା ପୋଷ୍ଟର ଏଯାବତ୍ ଲାଗିଛି । ଏହା ନିର୍ବାଚନ ଜନିତ ଆଚରଣ ବିଧି ଆଇନର ଉଲ୍ଲଂଘନ କରୁଥିଲେ ବି ସେଗୁଡିକୁ ହଟାଯାଇନି । ଏହାକୁ ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇଥିବା ପରିଲକ୍ଷିତ ହୋଇନି ।
ଅନ୍ୟପକ୍ଷରେ ବିରୋଧୀ ଦଳ ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯାଇନାହିଁ । ସୂଚନା ଯୋଗ୍ୟ ଯେ ଗଞ୍ଜାମ ଜିଲ୍ଳା ବିଜେପିର ସଭାପତି ବିଭୁତି ଜେନାଙ୍କ ନିଜ ଅଞ୍ଚଳ ଭାବେ ପରିଚିତ ରଙ୍ଗେଇଲୁଣ୍ଡା ବ୍ଳକ୍ ଅନ୍ତର୍ଗର୍ତ ଅନେକ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଯୋଜନା ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏହା ବ୍ୟତୀତ ରାଜ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳରେ ମଧ୍ୟ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି । ପ୍ରକାଶଯୋଗ୍ୟ ଯେ ଗତକାଲି ଏହି ଅଞ୍ଚଳରେ ବିଜେପିର ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର ନିର୍ବାଚନ ପ୍ରଚାରରେ ଯୋଗ ଦେଇଥିଲେ । ଏହା ସତ୍ତ୍ୱେ ତାଙ୍କ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଆଇନ ଉଲ୍ଳଂଘନ ନେଇ ଅଭିଯୋଗ ହୋଇନି । ପ୍ରଚାର କାର୍ଯ୍ୟକ୍ରମରେ ଜନସାଧାଣଙ୍କ ଆବାସ ଗୃହ,ସର୍ବ ସାଧାରଣ କାନ୍ଥ ଗୁଡିକରେ ମାଳ ମାଳ ପୋଷ୍ଟର ଲାଗି ରହିଥିବା ପରିଲକ୍ଷିତ ହୋଇଛି । ଏଭଳିକି ବ୍ରହ୍ମପୁର ସହରାଞ୍ଚଳ ନିକଟରେ ଥିବା ଲୋଚାପଡ଼ା ସ୍ଥିତ ମନ୍ଦିର ପରିସରରେ ବିଭିନ୍ନ ପ୍ରାର୍ଥୀଙ୍କ ପ୍ରଚାର ପୋଷ୍ଟର ମାଳ ମାଳ ଲାଗିଛି । ଏହି ଅଞ୍ଛଳଟି ସହର ନିକଟ ବ୍ୟସ୍ତବହୁଳ ଅଞ୍ଚଳ ହେବା ସତ୍ତ୍ୱେ ଏଥି ପ୍ରତି ପ୍ରଶାସନ କିମ୍ବା ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ନପଡ଼ିବା ଦୁର୍ଭାଗ୍ୟଜନକ ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ପ୍ରଚାର ଶୈଳୀରେ ପ୍ରାର୍ଥୀ ମାନଙ୍କ ପକ୍ଷରୁ ମୁଖ୍ୟତଃ ବିଜେପି ପକ୍ଷରୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ପ୍ରଣୟନ ଜିଲ୍ଳାରେ ନ ହେବା ପ୍ରସଙ୍ଗକୁ ପ୍ରଚାର ଅସ୍ତ୍ର କରାଯାଇଥିବା ଦେଖିବାକୁ ମିଳିଛି । ସେହିଭଳି ବିଭିନ୍ନ ଯୋଜନାରେ କେନ୍ଦ୍ର ସହଯୋଗ କରୁନଥିବା ନେଇ ବିଜେଡି ସମର୍ଥିତ ପ୍ରାର୍ଥୀ ମାନେ ପ୍ରଚାର ଅସ୍ତ୍ର ଭାବେ ବିନିଯୋଗ କରୁଛନ୍ତି । ପ୍ରାର୍ଥୀ ମାନେ ନିଜ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ପ୍ରତଶୃତି ଦେଇ ନିଜ ସପକ୍ଷରେ ଭୋଟ ମାଗୁଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଳାରେ ଏଯାବତ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପଧାନ ମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆଦି ଅନେକ ଯୋଜନାକୁ କାର୍ଯ୍ୟକାରୀ କରାଯାଇନାହିଁ । ଏହାକୁ ବିଜେପି ସମର୍ଥିତ ପ୍ରାର୍ଥୀ ନିର୍ବାଚନୀ ଇସ୍ୟୁ କରିଥିବା ବେଳେ, କେନ୍ଦ୍ରର ବିଜେପି ସରକାର ଯୋଗୁଁ ଖାଇବା ତେଲ, ଡିଜେଲ, ପେଟ୍ରୋଲ ଦର, ରନ୍ଧନ ଗ୍ୟାସ ଦରବୃଦ୍ଧି ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରବୃଦ୍ଧିକୁ ଇସ୍ୟୁ କରି ବିଜେଡି ସମର୍ଥିତ ପ୍ରାର୍ଥୀ ଭୋଟରଙ୍କୁ ପ୍ରଭାବିତ କରୁଥିବା ଦେଖିବାକୁ ମିଳିଛି ।
ତେବେ ଭୋଟର କାହାକୁ ନିଜ ସମର୍ଥନ ଜଣାଇବେ ତାହା ଆଗାମୀ ଦିନରେ ଜଣାପଡ଼ିବ । ସଂପ୍ରତି ଗୋପାଳପୁର ନିର୍ବାଚନ ମଣ୍ଡଳୀଟି ନେତୃଶୂନ୍ୟ ହୋଇପଡ଼ିଛି । ଏଠାକାର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ବାହାରେ ରହୁଥିବା ବେଳେ ଏହି ଅଞ୍ଚଳକୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶ ଦାତା ଗୋପବନ୍ଧୁ ଦାଶ ବାରମ୍ବାର ଗସ୍ତ କରୁଛନ୍ତି । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଏଠାକାର ଭୋଟର କାହାକୁ ପ୍ରତିନିଧି ଭାବେ ବାଛିବେ ତାହା ଆଗାମୀ ଦିନରେ ସ୍ୱଷ୍ଟ ହେବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି ।