ସମ୍ବଲପୁର: ସମ୍ବଲପୁରର ସଦର ଥାନାଞ୍ଚଳ ଅର୍ନ୍ତଗତ ଗେଙ୍ଗୁଟିପାଲି ଠାରେ ଗତ ଜାନୁଆରୀ ୩୧ ତାରିଖ ସ୍ପଷ୍ଟ ଦିବାଲୋକରେ ଘଟିଯାଇଥିବା ବହୁ ଚର୍ଚ୍ଚିତ ୧୫ ଲକ୍ଷ ଟଙ୍କା ଲୁଟ ମାମଲାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କ ଖୋଜୁଥିଲା । ସେମାନଙ୍କ ମଧ୍ୟରୁ ଆଜି ୨ ଜଣ ଅଭିଯୁକ୍ତ ମାଁ ଓ ପୁଅଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଲୁଟ ଟଙ୍କା ମଧ୍ୟରୁ ୪ ଲକ୍ଷ ଟଙ୍କା ସେମାନଙ୍କଠାରୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଗତ ୩୧ ତାରିଖରେ ହୋଇଥିବା ଲୁଟ ପରେ ଆଇନଜୀବୀ ରାଜେଶ ସାହୁଙ୍କ ଅଭିଯୋଗ କ୍ରମେ ସଦର ଥାନାରେ ମାମଲା ଏକ ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସ୍ୱତନ୍ତ୍ର ଦଳ ଗଠନ କରି ପାରମ୍ପରିକ ଓ ଟେକନିକାଲ ସୁତ୍ରରୁ ଅଭିଯୁକ୍ତ ମାନଙ୍କୁ ଠାବ ନିମନ୍ତେ ସୂଚନା ସଂଗ୍ରହ କରି ଗଞ୍ଜାମ ଜିଲ୍ଲାର ଆସିକା ଓ ଭଞ୍ଜନଗର ଅଞ୍ଚଳକୁ ଯାଇଥିଲା । ସେଠାରେ ଭଞ୍ଜନଗର ଥାନା ଅର୍ନ୍ତଗତ ଖଣ୍ଡସାହି ନିବାସୀ ରାଘବ ଦାଶ ଓରଫ ରାଘବେନ୍ଦ୍ର (୧୯) ଏବଂ ତାଙ୍କର ମା’ ପାର୍ବତୀ ଦାଶ (୩୫) ଗିରଫ କରିଥିଲା । ସେମାନଙ୍କ ନିକଟରୁ ୪ ଲକ୍ଷ ଟଙ୍କା (୨୦୦ ଟଙ୍କିଆ ୨୦ଟି ବଣ୍ଡଲ ନୋଟ) ଜବତ କରିଥିଲା । ଅଭିଯୁକ୍ତଙ୍କୁ ପୁଲିସର ଜେରା ସମୟରେ ଏହି ଲୁଟ ମାମଲାରେ ସମୁଦାୟ ୫ ଜଣ ସାମିଲ ଥିବାର ଜଣାପଡିଥିବା ବେଳେ ଘଟଣା ଦିନ ୨ଟି ବାଇକରେ ୪ ଜଣ ଅଭିଯୁକ୍ତ ଆଇନଜୀବୀ ସାହୁଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ପିଛା କରିଥିଲେ । ସେମାନେ ମୌକା ପାଇଁ ଆଇନଜୀବୀ ସାହୁଙ୍କ ସାଥି ଲାଲମୋହନ ଜେନାଙ୍କ ଘର ସମ୍ମୁଖରୁ ଟଙ୍କା ଲୁଟ କରି ଜାତୀୟ ରାଜପଥ ଅଭିମୁଖେ ଧନକଉଡା ଦେଇ ଫେରାର ମାରିଥିଲେ । ଅଭିଯୁକ୍ତ ମାନେ ଗତ ୨୮ ରୁ ୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲାରେ ସେମାନଙ୍କର ଅପରାଧିକ ଗତିବିଧି ଜାରି ରଖିଥିଲେ । ସମ୍ବଲପୁରର ଲୁଟ ଘଟଣା ପୂର୍ବରୁ ୨୮ ତାରିଖରେ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁରରୁ ୯୬ ହଜାର ଟଙ୍କା ଲୁଟ କରିଥିଲେ । ସମ୍ବଲପୁରରେ ଲୁଟ ପରେ ଅଭିଯୁକ୍ତ ମାନେ ଗତ ୪ ତାରିଖରେ ବଲାଙ୍ଗୀର ଜିଲ୍ଲାର ତୁଷରା ଅଞ୍ଚଳରୁ ମୂଲ୍ୟବାନ ସାମଗ୍ରୀ ସହିତ ୧୦ ହଜାର ଟଙ୍କା ଲୁଟି ଫେରାର ମାରିଥିଲେ । ତେବେ ତୁଷରା ଠାରେ ଲୁଟ ପରେ ଫେରାର ହେବା ସମୟରେ ସ୍ଥାନୀୟ ଲୋକେ ଗୋଡାଇବାରୁ ସମ୍ବଲପୁର ଠାରେ ବ୍ୟବହୃତ ବାଇକଟିକୁ କିଛି ଦୂରରେ ଛାଡି ଦେଇ ଅଭିଯୁକ୍ତ ମାନେ ଫେରାର ହେବାରେ ସଫଳ ହୋଇଥିଲେ । ଲୁଟରେ ବ୍ୟବହୃତ ବାଇକଟି ରାଇକିଆ ଥାନାଞ୍ଚଳରୁ ଗତ ବର୍ଷ ନଭେମ୍ବର ୧ ତାରିଖରେ ଚୋରି ହୋଇଥିଲା । ଗିରଫ ହୋଇଥିବା ମା’ ଓ ପୁଅ କୁ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଜଣାଇଛି ।