ଭୁବନେଶ୍ୱର: ୧୯ଲକ୍ଷ ଟଙ୍କା ଠକେଇ କରିଥିବା ମାମଲାରେ କୁଖ୍ୟାତ ଠକ ପ୍ରଭାକର ଜେନାକୁ ପୁଣି ଚନ୍ଦକା ଥାନା ପୋଲିସ ଗିରଫ କରିଛି । ବ୍ୟବସାୟରେ ପାର୍ଟନର କରାଇଦେବାକୁ କହି ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରଭାକର ଟଙ୍କା ଠକିନେଇଥିଲା । ପ୍ରଭାକରର ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଦେଉଳତରା ଅଞ୍ଚଳରେ । ସେ ଗୋଠପାଟଣା ଆକ୍ରୋପଲିସ ଆପାର୍ଟମେଣ୍ଟ୍ରେ ରହୁଥିଲା । କିଛିଦିନ ତଳେ ମଞ୍ଚେଶ୍ୱର ଥାନା ପୁଲିସ ପ୍ରଭାକରକୁ ଗିରଫ କରି ଜେଲ୍ ପଠାଇଥିଲା । ସେ ଜାମିନରେ ବାହାରକୁ ଆସିଥିବାବେଳେ ପୁଣି ଗିରଫ ହୋଇଛି । ସୂଚନା ଅନୁଯାୟୀ, ମଳିପଡ଼ାର ଅରୁଣ କୁମାର ମହାନ୍ତି ଜଣେ ଅକାଉଣ୍ଟାଣ୍ଟ୍ । ଗୋଠପାଟଣାରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ପ୍ରବନ୍ଧକଙ୍କ ମାଧ୍ୟମରେ ଅରୁଣଙ୍କ ସହ ପ୍ରଭାକରଙ୍କ ପରିଚୟ ହୋଇଥିଲା । ପ୍ରଭାକର ଜିଏସ୍ଟି, ଇନକମ୍ ଟ୍ୟାକ୍ସ, ବାଲାନ୍ସ ସିଟ୍ ଓ ଅନ୍ୟାନ୍ୟ ଆକାଉଣ୍ଟିଂ ସମ୍ବନ୍ଧୀୟ ପ୍ରସଙ୍ଗରେ ବ୍ୟବସାୟ କରିବା ପାଇଁ ବ୍ୟାଙ୍କ୍ରୁ ଆର୍ଥିକ ସହାୟତା କରିବା ପାଇଁ ଅରୁଣଙ୍କ ସହାୟତା ଲୋଡ଼ିଥିଲେ । ସେ ଅରୁଣଙ୍କୁ ବ୍ୟବସାୟରେ ପାର୍ଟନର ହେବା ସହିତ ଅଧିକ ରିଟର୍ଣ୍ଣର ଲୋଭ ଦେଖାଇ କିଛି ଋଣ ଦେବା ପାଇଁ ଅନୁରୋଧ କରିଥିଲେ । ଅରୁଣ ପ୍ରଭାକରଙ୍କୁ ବିଶ୍ୱାସ କରି ତାଙ୍କ ପତ୍ନୀଙ୍କ ଆକାଉଣ୍ଟ୍ରୁ ୬ଟି କିସ୍ତିରେ ୧୦ ଲକ୍ଷ ଟଙ୍କା ଦେଇଥିଲେ । ଅରୁଣ ଗତବର୍ଷ ଅଗଷ୍ଟ ୨୭ରେ ମଧ୍ୟ ପ୍ରଭାକରଙ୍କ ବ୍ୟବସାୟର ଜିଏସ୍ଟି ପ୍ରଦାନ କରାଇଥିଲେ । ଜିଏସ୍ଟି ରିଟର୍ଣ୍ଣ ଦାଖଲ କରିବା ବେଳେ ଅରୁଣ ଜାଣିବାକୁ ପାଇଥିଲେ କି, ଜିଏସ୍ଟି ଅଧିନରେ ପ୍ରଭାକରଙ୍କ କୌଣସି ବ୍ୟବସାୟ ନାହିଁ । ଶେଷ ଆଇଟି ରିଟର୍ଣ୍ଣ ୨୦୧୮-୧୯ରେ ଦାଖଲ କରାଯାଇଥିଲା । ତା’ ପରଠାରୁ ଆଉ ଆୟକାର ପ୍ରଦାନ କରାଯାଇନଥିଲା । ତେଣୁ ଅରୁଣ ପ୍ରଭାକରଙ୍କୁ ୧୦ଲକ୍ଷ ଟଙ୍କା ଫେରସ୍ତ ମାଗିଥିଲେ । ପ୍ରଭାକର ଏକ ପୋଷ୍ଟ ଡେଟେଡ୍ ଆକାଉଣ୍ଟ୍ ପେ’ ଚେକ୍ ଦେଇଥିଲେ । ଅରୁଣ ଗତ ୫ ତାରିଖରେ ଉକ୍ତ ଚେକ୍କୁ ବ୍ୟାଙ୍କରେ ଡିପୋଜିଟ୍ କରିବା ବେଳେ ଆକାଉଣ୍ଟ୍ର ଟଙ୍କା ନଥିବା ଜଣାପଡ଼ିଥିଲା । ଏଥିସହ ଅରୁଣଙ୍କ ବକେୟା ବୃତ୍ତିଗତ ପରାମର୍ଶ ପାଇଁ ୫୦ ହଜାର ଟଙ୍କା ପ୍ରଭାକର ଫେରସ୍ତ କରି ନଥିଲେ । ତେଣୁ ଠକାମୀର ଶିକାର ହୋଇଥିବା ଅରୁଣ ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ଠକେଇ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣା ପଡ଼ିଥିଲା କି, ପ୍ରଭାକର ଅରୁଣଙ୍କ ଭଳି ବହୁତ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଛି । ଶୁକ୍ରବାର ସକାଳେ ପୁଲିସ ପ୍ରଭାକରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।