20.1 C
Bhubaneswar
Tuesday, November 19, 2024
Homeଓଡିଶାଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ‘ମୋ ସ୍କୁଲ୍‌’  

ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ‘ମୋ ସ୍କୁଲ୍‌’  

ଭୁବନେଶ୍ୱର: ମୋ ସ୍କୁଲ୍ ଅଭିଯାନ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଏକ ସଫଳ ନିଗଦର୍ଶନ । ମୋ ସ୍କୁଲ୍ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଏହି ଅଭିଯାନ ମାଧ୍ୟମରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟିକରିଛି । ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ଏବଂ ଓଡ଼ିଶାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପହଞ୍ଚିବା ପାଇଁ ଆମର ପ୍ରୟାସ ଜାରି ରହିଛି ଓ ରହିବ । ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ କିଭଳି ମୋ ସ୍କୁଲ୍ ମାଧ୍ୟମରେ ବିଦ୍ୟାଳୟ ସହ ଯୋଡ଼ାଯାଇ ପାରିବ ତାହା ଆମର ପ୍ରାଥମିକତା ରହିବ ବୋଲି ଶୁକ୍ରବାର ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ମୋ ସ୍କୁଲ୍ ଅଭିଯାନର ୯ମ ପରିଚାଳନା ପରିଷଦ ବୈଠକରେ ଯୋଗଦେଇ ମୋ ସ୍କୁଲ୍ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ କହିଛନ୍ତି । କହିଥିଲେ, ମୋ ସ୍କୁଲ୍ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟାପକତାକୁ ଦୃଷ୍ଟିରେ ରଖି ସ୍କୁଲ୍‌ସ୍ତରରେ ମନିଟରିଂକୁ ପ୍ରାଥମିକତା ଦିଆଯାଉଛି । ସ୍କୁଲ୍‌ଗୁଡ଼ିକରେ ଚାଲିଥିବା ପ୍ରକଳ୍ପଗୁଡ଼ିକ କିଭଳି ଠିକ୍ ସମୟରେ ଶେଷହେବ ଏବଂ ଛାତ୍ରଛାତ୍ରୀମାନେ ଯେପରି ଏହାର ସୁଫଳ ପାଇପାରିବେ ସେଥିଲାଗି ମୋ ସ୍କୁଲ୍ କାର୍ଯ୍ୟାଳୟ ପକ୍ଷରୁ ଏକାଧିକ ପଦକ୍ଷେପ ହାତକୁ ନିଆଯାଇଛି । ବୈଠକରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରାଯାଉଛି । ପାଠପଡ଼ା ସହ ପିଲାଙ୍କୁ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଏବଂ ଅନ୍ୟ କ୍ଷେତ୍ରରେ ଦକ୍ଷ କରିବା ପାଇଁ ମୋ ସ୍କୁଲ୍ ପଦକ୍ଷେପ ନେଇଛି ବୋଲି କହିଥିଲେ । ମୋ ସ୍କୁଲ୍ ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରତି ଜିଲ୍ଲାର ୩ ଜଣ ଲେଖାଁଏ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚୟନ କରି ପୁରସ୍କୃତ କରାଯିବାକୁ ବୈଠକରେ ସ୍ଥିର ହୋଇଥିଲା । ପ୍ରତ୍ୟେକ ସ୍କୁଲ୍ ପୁରାତନ ଛାତ୍ରଛାତ୍ରୀ, ସେମାନଙ୍କର ଠିକଣା ଏବଂ ସେମାନେ ବର୍ତ୍ତମାନ କଣ କରୁଛନ୍ତି ତାହାର ଏକ ଡାଟାବେସ୍ ପ୍ରସ୍ତୁତ କରିବ । ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଟକ୍ ସେସନ୍‌, ମେଣ୍ଟରିଂ ଓ କ୍ୟାରିୟର କାଉନ୍‌ସେଲିଂ କାର୍ଯ୍ୟକ୍ରମର ଆୟୋଜନ କରାଯିବ । କୋଭିଡ୍‌-୧୯ ମହାମାରୀ ସମୟରେ ସ୍କୁଲ୍ ବନ୍ଦ ଥିବାରୁ ପିଲାଙ୍କ ପାଠପଢ଼ାରେ ଯେଉଁ ବ୍ୟାଘାତ ସୃଷ୍ଟି ହୋଇଛି ତାହାର ଭରଣା ପାଇଁ ୟୁନିସେଫ୍ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହଭାଗିତାରେ ଆସନ୍ତା ୨ ବର୍ଷ ପାଇଁ ମୋ ସ୍କୁଲ୍ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ବୈଠକରେ ମୋ ସ୍କୁଲ୍ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ପ୍ରଦାନ କରିଥିଲେ । ମୋ ସ୍କୁଲ୍ ଅଭିଯାନ ମୁଖ୍ୟ ପରିଳନା ଅଧିକାରୀ ଅମରଜିତ ଜେନା କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶିକା ପୁନମ ଗୁହା, ତାପସ କୁମାର, ମୋ ସ୍କୁଲ୍ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ପ୍ରବୀର ଖିଲାରଙ୍କ ସମେତ ଢେଙ୍କାନାଳ ଜିଲ୍ଲାପାଳ ଓ ଖୋର୍ଦ୍ଧା ପିଡି ଡିଆରଡିଏ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking