ମୁମ୍ବାଇ : ପତ୍ନୀ ନିର୍ଯାତନାରେ ଅତିଷ୍ଠ ହୋଇ ପୁଣେ ସହରରେ ଭାରତୀୟ ସେନାର ଜଣେ ଯବାନ ଜୀବନ ହାରିଛନ୍ତି । ଆତ୍ମହତ୍ୟା କରିଥିବା ଯବାନଙ୍କ ନାମ ଗୋରଖ ନାନାଭାଉ ଶୋଲାର ବୋଲି ଜଣାପଡିଛି । ସେ ସେନାର ଏକ ମେଡିକାଲ କଲେଜରେ ନର୍ସିଂ ସହାୟକ ଭାବେ କାର୍ଯ୍ୟରତ ଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ଯବାନଜଣକ ଭିଡିଓ ବନାଇ ଆତ୍ମହତ୍ୟାର କାରଣ ଲେଖିଛନ୍ତି । ପୋଲିସ ଆତ୍ମହତ୍ୟା ନୋଟ୍ ଓ ଭିଡିଓକୁ ଆଧାର କରି ଯବାନଙ୍କ ପତ୍ନୀ ଓ ଶ୍ୱଶୁର ସମେତ ଚାରି ଜଣଙ୍କ ନା’ରେ ମାମଲା ରୁଜୁ କରିଛି । ସୂଚନା ଅନୁଯାୟୀ, ପୋଲିସ ଅଶ୍ୱିନୀ ଯୁବରାଜ ପାଟିଲ, ଯୁବରାଜ ପାଟିଲ, ସଂଗୀତା ଯୁବରାଜ ପାଟିଲ, ଯୋଗେଶ ପାଟିଲ ଓ ଭାଗ୍ୟଶ୍ରୀ ପାଟିଲଙ୍କ ବିରୋଧରେ ୱାନାଭଡି ଥାନାରେ ମାମଲା ରୁଜୁ କରିଛି । ଯବାନଙ୍କ ଭାଇ କେଶବ ପାଟିଲ ମାମଲା ଦାୟର କରିଛନ୍ତି । କେଶବ ପାଟିଲ ଅଭିଯୋଗ କରିଛନ୍ତି, ମୋ ଭାଇ ବାହାଘରର ମାତ୍ର ଏକବର୍ଷ ଭିତରେ ହିଁ ଆତ୍ମହତ୍ୟା କରିଛି । ଫେବ୍ରୁଆରି ୧୬, ୨୦୨୧ରୁ ଫେବ୍ରୁଆରି ୬, ୨୦୨୨ ପର୍ଯ୍ୟନ୍ତ ମୋ ଭାଇଙ୍କ ସ୍ତ୍ରୀ ଅଶ୍ୱିନୀ ତାଙ୍କୁ ମାନସିକ ନିର୍ଯାତନା ଦେଇଥିଲେ । ଅଶ୍ୱିନୀଙ୍କ ଘର ଲୋକ ବି ଗୋରଖଙ୍କୁ ହଇରାଣ କରୁଥିଲେ । ତାଙ୍କ ବିରୋଧରେ ପାରିବାରିକ ହିଂସାର ଧାରା ଅନୁସାରେ ମାମଲା ରୁଜୁ କରିବାର ଧମକ ଦେଇ ୧୫ ଲକ୍ଷ ଟଙ୍କା ମାଗୁଥିଲେ । କ୍ରମାଗତ ମାନସିକ ଓ ଶାରୀରିକ ନିର୍ଯାତନାରେ ଅତିଷ୍ଠ ହୋଇ ସେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏତଲା ରୁଜୁ ପରେ ୱାନାଭଡି ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଆଶା କରାଯାଉଛି ।