ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲାଇକ୍, କମେଣ୍ଟ୍ ପାଇବା ପାଇଁ ପାଗଳ ଯୁବପିଢ଼ି । ଅବାସ୍ତବ ଦୁନିଆରେ ଲୋକପ୍ରିୟତା ପାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଆଉ ଏହି ସମୟରେ ସାମାନ୍ୟ ଅସାବଧାନତା ପାଇଁ ଅକାଳରେ ଝଡ଼ି ପଡ଼ୁଛନ୍ତି ନିରିହ ଜୀବନ । ୟୁକ୍ରେନର ନେପ୍ରୋପେଟ୍ରୋସ୍ କ୍ଷେତ୍ରରେ ବହୁଥିବା ଏକ ନଦୀ ନିକଟରେ ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି । ସ୍ତ୍ରୀ ଆଖି ସାମ୍ନାରେ ଚାଲିଯାଇଛି ସ୍ୱାମୀର ଜୀବନ । ନଦୀରେ ପ୍ରବାହିତ ହେଉଥିବା ପାଣି ବିଷୟରେ ଚିନ୍ତା ନକରି ବରଫ ନଦୀକୁ ଡେଇଁପଡିଥିବା ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସାମ୍ନାରେ ପ୍ରାଣ ହରାଇଛନ୍ତି । ଆଲେକ୍ସଜାଣ୍ଡାର୍ ନାମକ ବ୍ୟକ୍ତି ସ୍ତ୍ରୀ ସହିତ ଏକ ବରଫଯୁକ୍ତ ନଦୀ ନିକଟରେ ବୁଲୁଥିଲେ । ଆଉ ସେଠାରେ ଏକ ଭିଡିଓ ତିଆରି କରିବା ପାଇଁ ସ୍ତ୍ରୀକୁ କହି ହଠାତ୍ ନଦୀ ଭିତରକୁ ଡେଇଁ ପଡ଼ିଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ ନଦୀର ପ୍ରବାହ ସମ୍ପର୍କରେ ସେ ଅବଗତ ନଥିଲେ । ସାମାନ୍ୟ ରିଲ୍ ଭିଡିଓ ପାଇଁ ପାଣିକୁ ଡେଇଁବା ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ବୁଡ଼ାଳି ମାନେ ତୁରନ୍ତ ନଦୀକୁ ଡେଇଁଥିଲେ ସୁଦ୍ଧା ତାଙ୍କୁ ବଞ୍ଚାଇ ପାରିନଥିଲେ । ପ୍ରାୟ -୫ଡିଗ୍ରୀ ତାପମାତ୍ରାରେ ଘଟିଥିବା ଘଟଣାର ଏକ ଯନ୍ତ୍ରଣାଦାୟକ ଭିଡିଓକୁ ଆଲେକ୍ସଜାଣ୍ଡାର୍ ସ୍ତ୍ରୀ ନିଜ ମୋବାଇଲରେ ରେକର୍ଡ କରିଛି । ତେବେ ଭିଡିଓ ତିଆରି କରିବା ସମୟରେ ଆଲେକଜାଣ୍ଡାର ନଦୀର ଥଣ୍ଡା ପାଣିରେ ବୁଡ଼ି ଯାଉଛନ୍ତି । ହେଲେ ସ୍ତ୍ରୀ ଏସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞାନ ଅଛନ୍ତି ଓ ସ୍ୱାମୀଙ୍କ ଭିଡିଓ ତିଆରି କରିବାରେ ବ୍ୟସ୍ତ ଅଛନ୍ତି । ତେବେ ହଠାତ ସ୍ୱାମୀକୁ ନଦେଖିବା ପରେ ପାଖରେ ଥିବା ଲୋକଙ୍କ ଠାରୁ ସାହାଯ୍ୟ ମାଗନ୍ତି ଯୁବକଙ୍କ ସ୍ତ୍ରୀ । ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ସ୍ତ୍ରୀ ଆଖି ସାମ୍ନାରେ ବରଫ ତଳେ ଫସି ଆଲେକଜାଣ୍ଡାରଙ୍କ ଜୀବନ ଚାଲିଗଲା । ସାମାନ୍ୟା ଅସାବଧାନତା ତଥା ରିଲ୍ ଭିଡିଓ ପାଇଁ ସେ ପ୍ରାଣ ହରାଇଲେ ।