24.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶକ୍ରିପ୍ଟୋ କାରବାରରେ ଟିକସ : ବଢ଼ିଛି ନିବେଶକଙ୍କ ସଂଖ୍ୟା

କ୍ରିପ୍ଟୋ କାରବାରରେ ଟିକସ : ବଢ଼ିଛି ନିବେଶକଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଚଳିତ ବଜେଟ୍‌ରେ କେନ୍ଦ୍ର ସରକାର କ୍ରିପ୍ଟୋ କାରବାର ଉପରେ ୩୦% ଶୁଳ୍କ ଲାଗୁ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । କ୍ରିପ୍ଟୋରୁ ଲାଭ ଉପରେ ସରକାର ୩୦% ଟିକସ ଆଦାୟ କରିବେ । କୌଣସି ପ୍ରକାରର ଆୟକର ରିହାତି ମଧ୍ୟ ମିଳିବ ନାହିଁ । ଏ ନେଇ ଆୟକର ରିଟର୍ଣ୍ଣ ସ୍ତମ୍ଭରେ ମଧ୍ୟ ବିବରଣୀ ରହିବ ବୋଲି ସରକାର ଘୋଷଣା କରିଛନ୍ତି । ଯଦି ନିବେଶକ କାହାରିକୁ କ୍ରିପ୍ଟୋ ଉପହାର ସ୍ୱରୂପ ଦିଅନ୍ତି; ସେପରିସ୍ଥିତିରେ ମଧ୍ୟ ଟିକସ ଲାଗୁହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଏହି ନିଷ୍ପତ୍ତି ଘୋଷଣା ହେବା ପରେ ଭାରତୀୟ କ୍ରିପ୍ଟୋ ବଜାରରେ ନିବେଶକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୧ ଫେବୃଆରୀ ପରଠାରୁ ଅଧିକ ସଂଖ୍ୟକ ନିବେଶକ କ୍ରିପ୍ଟୋରେ ନିବେଶ କରିଛନ୍ତି । ବଜେଟ୍ ଦିବସରେ ହିଁ ୩୦-୩୫% ଅଧିକ ଗ୍ରାହକ ସାଇନ୍‌-ଅପ୍ କରିଛନ୍ତି ।

ସମ୍ପ୍ରତି ଦେଶରେ ଏ ପ୍ରସଙ୍ଗ ଚର୍ଚ୍ଚର ବିଷୟ ପାଲିଟିଛି । ସରକାରଙ୍କ ଦ୍ୱାରା ଟିକସ ପ୍ରସଙ୍ଗ ଘୋଷଣା ପରେ ସାଧାରଣରେ ଏହା ଦେଶରେ ବୈଧ ହୋଇଯିବ ବୋଲି ଚର୍ଚ୍ଚା ହେଉଛି । ଏ ନେଇ ସମସ୍ତ ନିଷ୍ପତ୍ତି ଆର୍‌ବିଆଇ ପାଲାରେ ରହିଛି । ଚଳିତ ବୈଠକରେ ଏ ପ୍ରସଙ୍ଗରେ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି । ଆଜି ପ୍ରମୁଖ କ୍ରିପ୍ଟୋ କରେନ୍ସିରେ ବୃଦ୍ଧି ଘଟିଛି । ବିଟ୍‌କଏନ୍‌, ଇଥିରିୟମ୍‌, କାରଡାନୋ, ରିପଲ୍‌, ପୋଲ୍‌କାଡଟ୍‌, ଡଜ୍‌କଏନ୍‌, ପଲିଗନ୍ ତଥା ସୋଲାନାରେ ବୃଦ୍ଧି ଘଟିବା ସହିତ ଟେଡର୍ ଓ ୟୁଏସ୍‌କଏନ୍‌ରେ ହ୍ରାସ ଘଟିଛି ।

ଟେସ୍‌ଲା ପାଖରେ ୨ ବିଲିୟନ୍ ଡଲାର୍ ବିଟ୍‌କଏନ୍
ବିଶ୍ୱ ପ୍ରସିଦ୍ଧ ବୈଦ୍ୟୁତିକ ଯାନ ନିର୍ମାତା ଟେସ୍‌ଲା ନିକଟରେ ରହିଛି ପାଖାପାଖି ୨ ବିଲିୟନ୍ ଡଲାର୍‌ର ବିଟ୍‌କଏନ୍ । ୩୧ ଡିସେମ୍ବର ସୁଦ୍ଧା କମ୍ପାନୀ ନିକଟରେ ୧.୯୯ ବିଲଇୟନ୍ ଡଲାର୍‌ର ବିଟ୍‌କଏନ୍ ରହିଛି ବୋଲି କମ୍ପାନୀ ସୂତ୍ରରୁ ପ୍ରକାଶ । ସୂଚନାଯୋଗ୍ୟ ଯେ କମ୍ପାନୀ ପୂର୍ବରୁ ନେଣଦେଣରେ ବିଟ୍‌କଏନ୍ ଗ୍ରହଣ କରିବା ନେଇ ଘୋଷଣା କରିଥିଲା । ଗତବର୍ଷ କମ୍ପାନୀ ବିଟ୍‌କଏନ୍‌ରେ ୧.୫ ବିଲିୟନ୍ ଡଲାର୍ ନିବେଶ କରିଥିଲା ଓ ୧୦୧ ମିଲିୟନ୍ ଡଲାର୍ କ୍ଷତି ସହିଥିଲା । ବିଟ୍‌କଏନ୍ ଦର ହ୍ରାସ ଯୋଗୁଁ କମ୍ପାନୀର କ୍ଷତି ହୋଇଥିଲା ।

ମିଳିତ ମଞ୍ଚ ଗଠନକଲେ କ୍ରିପ୍ଟୋ ଏଜେନ୍ସି
ବିଶ୍ୱର ପ୍ରମୁଖ କ୍ରିପ୍ଟୋ ଫାର୍ମ ଏକ ମିଳିତ ମଞ୍ଚ ଗଠନ କରିଛନ୍ତି । ଏହି ମଞ୍ଚରେ ସାମିଲ୍ ହୋଇଛନ୍ତି କଏନ୍‌ବେସ୍‌, ସାର୍କଲ, ଆଙ୍କରେଜ୍ ଡିଜିଟାଲ ଓ ହୁଓବି ଗ୍ଲୋବାଲ୍ । ଡିଜିଟାଲ୍ ଇଣ୍ଡଷ୍ଟ୍ରୀରେ ଅଖଣ୍ଡତା ବଜାୟ ରଖିବା ଓ ମାର୍କେଟ୍‌କୁ ସମ୍ଭାବ୍ୟ କ୍ରାଶ୍‌ରୁ ଦୂରେଇ ରଖିବା ପାଇଁ ଏହି ମଞ୍ଚ ଗଠନ କରାଯାଇଛି । ବଜାରକୁ ଫ୍ରଡ୍‌ରୁ ଦୂରେଇ ରଖିବା ଓ ନିବେଶକଙ୍କ ସ୍ୱାର୍ଥ ଉପରେ ଗୁରୁତ୍ୱ ଦେବା ନେଇ ମଞ୍ଚ ଶପଥ କରିଛି । କ୍ରିପ୍ଟୋଜଗତରେ ସରଳ ଓ ଏକ ସୁସ୍ଥ ପ୍ରଣାଳୀ ରହିବା ଜରୁରୀ ବୋଲି ମିଳିତ ମଞ୍ଚର ଉପସଭାପତି କାଥି କ୍ରାନିଗର୍ କହିଛନ୍ତି । ମଞ୍ଚ ବିଶ୍ୱରେ ପରିବର୍ଦ୍ଧିତ କ୍ରିପ୍ଟୋ ଉଦ୍ୟୋଗ ଓ ନିବେଶଙ୍କ ହିତ ଦିଗରେ କାର୍ଯ୍ୟ କରିବ ବୋଲି ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking