24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶସଂସଦରେ କଂଗ୍ରେସକୁ ମୋଦୀଙ୍କ ଟାର୍ଗେଟ: କଂଗ୍ରେସ ଏକ ଅହଂକାରୀ ଦଳ

ସଂସଦରେ କଂଗ୍ରେସକୁ ମୋଦୀଙ୍କ ଟାର୍ଗେଟ: କଂଗ୍ରେସ ଏକ ଅହଂକାରୀ ଦଳ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସଂସଦରେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି । କଂଗ୍ରେସ ଏକ ଅହଂକାରୀ ଦଳ ଏବଂ ବ୍ରିଟିଶ ଶାସକଙ୍କ ଭଳି ଏହି ଦଳର ନେତାମାନେ ସବୁବେଳେ ‘ଡିଭାଇଡ୍ ଆଣ୍ଡ୍ ରୁଲ୍‌’ ନୀତି ଅବଲମ୍ବନ କରୁଥିବା ମୋଦୀ କହିଛନ୍ତି । ଦେଶରୁ ବ୍ରିଟିଶ ଶାସନ ଚାଲିଯାଇଛି ସତ, ତେବେ ଏହି ନୀତି ବଳବତ୍ତର ରହିଛି ବୋଲି ମୋଦୀ ଆକ୍ଷେପ କରିଛନ୍ତି । ଏଥିପାଇଁ କଂଗ୍ରେସକୁ ‘ଟୁକ୍‌ଡେ ଟୁକ୍‌ଡେ’ (ଭଙ୍ଗାତୁଟା ରାଜନୀତି) ଦଳ ବୋଲି ମୋଦୀ କଟାକ୍ଷ କରିଛନ୍ତି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହେରୁଙ୍କ ଦ୍ୱାରା ରଚିତ ପୁସ୍ତକ ‘ଡିସ୍‌କଭରୀ ଅଫ୍ ଇଣ୍ଡିଆ’ର ଏକ ପଂକ୍ତିକୁ ଉଦ୍ଧୃତ କରି ମୋଦୀ ଆହୁରି କହିଛନ୍ତି ଯେ ସାଂସ୍କୃତିକ ଓ ଭାଷାଗତ ବିବିଧତା ସତ୍ତ୍ୱେ ଭାରତରେ ବେଙ୍ଗଲୀ, ମରାଠୀ, ଗୁଜୁରାଟୀ, ତାମିଲ, ଓଡିଆ, ତେଲୁଗୁ, ଆସାମୀ, କନ୍ନଡ, ମାଲାୟଲୀ, ସିନ୍ଧି, ପଞ୍ଜାବୀ ଭାଷାଭାଷୀ ଲୋକ ଦୀର୍ଘ ଦିନ ଧରି ସେମାନଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ମୋଦୀଙ୍କ ଏଭଳି ମନ୍ତବ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା । ଗୁରୁବାର ରାହୁଲ ଲୋକସଭାରେ ବକ୍ତବ୍ୟ ରଖିବା ସମୟରେ ମୋଦୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ତାଙ୍କ ଜେଜେମା ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଓ ପିତା ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ଯେଭଳି ନୃଶଂସଭାବେ ହତ୍ୟା କରାଯାଇଥିଲା, ସେଥିରୁ ଦେଶରେ ଅସ୍ଥିରତା ସୃଷ୍ଟିକାରୀ ଲୋକମାନେ କିଭଳି ସକ୍ରିୟ ଅଛନ୍ତି, ତାହାର ପ୍ରମାଣ ମିଳୁଛି ବୋଲି ରାହୁଲ କହିଥିଲେ । ଏହାକୁ ନିୟନ୍ତ୍ରଣ ନକଲେ, ଆପଣ ଅସୁବିଧାକୁ ଆମନ୍ତ୍ରଣ କରିବେ ବୋଲି ରାହୁଲ ପରୋକ୍ଷରେ ମୋଦୀଙ୍କୁ ଚେତାବନୀ ଦେଇଥିଲେ । ଜବାବରେ ମୋଦୀ ଆଜି କହିଛନ୍ତି ଯେ ଦେଶ କେବଳ ସରକାରଙ୍କୁ ବୁଝାଏ ନାହିଁ, ନାଗରିକମାନେ ଶାନ୍ତିରେ ରହିଲେ ହିଁ ଦେଶ ଠିକ୍ ରାସ୍ତାରେ ଗତି କରିଥାଏ ।

ଏହି ପ୍ରସଙ୍ଗରେ ମୋଦୀ କୋଭିଡ୍ ପ୍ରଥମ ପର୍ଯ୍ୟାୟକୁ ମନେ ପକାଇଥିଲେ । ୨୦୨୦ ପ୍ରଥମାର୍ଦ୍ଧରେ ଆମ ସରକାର ଯେତେବେଳେ ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଲାଗୁ କରିଥିଲେ, କଂଗ୍ରେସ ପକ୍ଷରୁ ମୁମ୍ବାଇ ରେଳଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରିବା ପାଇଁ ଟିକେଟ ଯୋଗାଇ ଦିଆଯାଇଥିଲା । ଫଳରେ କରୋନା ଅଧିକ ବ୍ୟାପିଥିଲା ବୋଲି ମୋଦୀ କହିଛନ୍ତି । ଏପରିକି ଦିଲ୍ଲୀର ଆପ୍ ସରକାର ପ୍ରବାସୀଙ୍କ ଘରବାହୁଡା ପାଇଁ ସ୍ୱତନ୍ତ୍ର ବସ୍ ଓ ଅନ୍ୟ ଯାନ ବ୍ୟବସ୍ଥା କରିଥିବା ମୋଦୀ କହିଛନ୍ତି । କରୋନାକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ସେତେବେଳେ ଯେତେ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିଥିଲେ ସୁଦ୍ଧା କଂଗ୍ରେସ ଏହାକୁ ଭଣ୍ଡୁର କରିବାକୁ ଚକ୍ରାନ୍ତ କରିଥିଲା ବୋଲି ମୋଦୀ କହିଛନ୍ତି । କଂଗ୍ରେସ ତାହାର ଶାସନକାଳରେ ଗରିବୀକୁ ହଟାଇ ପାରିନଥିଲା, କିନ୍ତୁ ଗରିବମାନେ କଂଗ୍ରେସକୁ କ୍ଷମତାରୁ ହଟାଇଦେଲେ ବୋଲି ମୋଦୀ କହିଛନ୍ତି । ଯେଉଁମାନେ ଇତିହାସରୁ ଶିକ୍ଷାଲାଭ କରନ୍ତି ନାହିଁ, ସେମାନେ ଦିନେ ଇତିହାସ ପାଲଟି ଯାଆନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking