24.1 C
Bhubaneswar
Friday, November 29, 2024
Homeଦେଶ ବିଦେଶସନ୍ଦିଗ୍‌ଧ ଘରୋଇ ଲ୍ୟାବ୍‌ରେ କୋଭିଡ୍ ଟେଷ୍ଟ୍‌! ଗତ ଦୁଇବର୍ଷରେ ଭାରତୀୟ ଖର୍ଚ୍ଚ କରିଛନ୍ତି ୭୪ ହଜାର...

ସନ୍ଦିଗ୍‌ଧ ଘରୋଇ ଲ୍ୟାବ୍‌ରେ କୋଭିଡ୍ ଟେଷ୍ଟ୍‌! ଗତ ଦୁଇବର୍ଷରେ ଭାରତୀୟ ଖର୍ଚ୍ଚ କରିଛନ୍ତି ୭୪ ହଜାର କୋଟି

ନୂଆଦିଲ୍ଲୀ : ଗତ ଦୁଇବର୍ଷ ମଧ୍ୟରେ ଭାରତୀୟମାନେ ସନ୍ଦିଗ୍‌ଧ ଘରୋଇ ଲ୍ୟାବ୍‌ରେ ପାଖାପାଖି ୭୪ କୋଟି କୋଭିଡ୍ ପରୀକ୍ଷଣ କରିଛନ୍ତି। ଏଥିପାଇଁ ଭାରତୀୟମାନେ ଖର୍ଚ୍ଚ କରିଛନ୍ତି ୭୪ ହଜାର କୋଟି ଟଙ୍କା । ମୋଟ ଉପରେ ୪.୨୦ କୋଟି ଲୋକ କୋଭିଡ୍ ସଂକ୍ରମିତ ହୋଇଛନ୍ତି ଓ ପାଖାପାଖି ୫ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦୀର୍ଘ ଦୁଇବର୍ଷ ଧରି ଭାରତୀୟ ତଥା ସାରା ବିଶ୍ୱ କୋଭିଡ୍ ମହାମାରୀ ଯୋଗୁଁ ସନ୍ତୁଳି ହୋଇଛି । ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ତଥା ଘରୋଇ ହସ୍ପିଟାଲ୍ ଓ ବିଶେଷ କରି ଘରୋଇ ସନ୍ଦିଗ୍‌ଧ ଲ୍ୟାବ୍‌ଗୁଡ଼ିକ ପରୀକ୍ଷା ବାହାନାରେ ମନମୁତାବକ୍ ଅର୍ଥ ଲୁଟିଛନ୍ତି ।

ନାଗପୁର୍ ସ୍ଥିତ ଉପଭୋକ୍ତା ଅଧିକାର ପ୍ରସଙ୍ଗରେ କାମ କରୁଥିବା ଏକ ଅଣ-ସରକାରୀ ସଂସ୍ଥା ଗ୍ରାହକ-ଭାରତୀ ଦ୍ୱାରା ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଆର୍‌ଟି-ପିସିଆର୍‌, ର‌୍ୟାଟ୍‌, ଟ୍ରୁନ୍ୟାଟ୍‌, ସିବିନ୍ୟାଟ୍ ତଥା ଅନ୍ୟାନ୍ୟ ଟେଷ୍ଟ୍ ଯାହା ସମ୍ପ୍ରତି ଦେଶର ୩,୨୫୫ ସ୍ୱୀକୃତିପ୍ରାପ୍ତ ଲ୍ୟାବ୍ (ଘରୋଇ-୧,୮୪୪ ଓ ସରକାରୀ ୧,୪୧୧) ଲ୍ୟାବ୍‌ରେ କରାଯାଉଛି । ଏହି ୩,୨୫୫ ଲ୍ୟାବ୍ ମଧ୍ୟରୁ ୨,୧୪୪ (ଉଭୟ ସରକାରୀ ଓ ଘରୋଇ) ଲ୍ୟାବ୍‌ରେ ଆର୍‌ଟି-ପିସିଆର୍ ଟେଷ୍ଟ୍ କରାଯାଉଥିବା ବେଳେ ବଳକା ଲ୍ୟାବ୍‌ରେ ଅନ୍ୟ ଟେଷ୍ଟ୍ କରାଯାଉଛି । ମହାମାରୀ ଆରମ୍ଭ କାଳରେ ଗୋଟିଏ ପରୀକ୍ଷା ପାଇଁ ପାଖାପାଖି ୩,୫୦୦ ଟଙ୍କା କିମ୍ବା ଅଧିକ ଖର୍ଚ୍ଚ ହେଉଥିଲା । ପରବର୍ତ୍ତୀ ସମୟରେ ଏହା ୬୦୦ ଟଙ୍କା ଓ ହୋମ୍ ଟେଷ୍ଟ୍ କିଟ୍ ୨୫୦ ଟଙ୍କାକୁ ହ୍ରାସ ପାଇଥିଲା ।

ହାରାହାରି ଭାବେ ଆକଳନ କରାଗଲେ ପ୍ରତି ଟେଷ୍ଟ୍‌କୁ ୧ ହଜାର ଟଙ୍କା ହିସାବରେ ଭାରତୀୟମାନେ ପାଖାପାଖି ୭୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଗ୍ରାହକ-ଭାରତୀର ପ୍ରତିଷ୍ଠାତା ବାରିଷ୍ଟର୍ ବିନୋଦ ତିୱାରୀ କହିଛନ୍ତି । ଏଥିମଧ୍ୟରୁ ଅନେକ ପରୀକ୍ଷଣ ବିନା ଲକ୍ଷଣରେ ବାଧ୍ୟବାଧକତାରେ ମଧ୍ୟ କରାଯାଇଛି । ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡଭୀୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ଆସିଏମ୍‌ଆର୍‌ର ବରିଷ୍ଠ ଅଧିକାରୀଙ୍କ ପତ୍ର ଲେଖି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଦ୍ୱାରା ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ଏବେ ସୁଦ୍ଧା ଦେଶରେ ଏପରି ଅନଧିକୃତ ଲ୍ୟାବ୍ ଅବୈଧ ଭାବେ କୋଭିଡ୍ ପରୀକ୍ଷଣ କରୁଛନ୍ତି । ସୂଚନାଯୋଗ୍ୟ ଯେ ଗତ ୪ ତାରିଖ ସୁଦ୍ଧା ଦେଶରେ ପାଖାପାଖି ୧୬ ଲକ୍ଷରୁ ଊଦ୍ଧ୍ୱ କୋଭିଡ୍ ଟେଷ୍ଟ୍ କରାଯାଇଛି ଯାହାର ଔଚିତ୍ୟ ନେଇ ଆଇସିଏମ୍‌ଆର୍ ପ୍ରଶ୍ନ ଉଠାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking