ନୂଆଦିଲ୍ଲୀ : ଦେଶର ନିଜସ୍ୱ ଡିଜିଟାଲ୍ ମୁଦ୍ରା କେବେ ଆସିବ ଅର୍ଥାତ୍ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) କେବେ ନିଜସ୍ୱ ଡିଜିଟାଲ୍ ମୁଦ୍ରା ପ୍ରଚଳନ ଆରମ୍ଭ କରିବ ସେ ନେଇ ଚର୍ଚ୍ଚା ଜାରିରହିଛି । ଆଗାମୀ ୨୦୨୩ର ପ୍ରାରମ୍ଭରୁ ଏହା ଦେଶରେ ପ୍ରଚଳିତ ହେବା ନେଇ ଆର୍ବିଆଇ ସୂତ୍ରରୁ ସଙ୍କେତ ମିଳିଛି ବୋଲି ଏକ ଇଂରାଜୀ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ସମ୍ପ୍ରତି ଦେଶରେ ଅବୈଧ ଭାବରେ ଅର୍ଥାତ୍ ବିନା କୌଣସି ନିୟମରେ ଡିଜିଟାଲ୍ ମୁଦ୍ରାର କାରବାର ଚାଲିଛି ।
ସରକାର ନିଜସ୍ୱ ମୁଦ୍ରା ପ୍ରଚଳନ କରିବା ପରେ ଏହି ମୁଦ୍ରା ଅଇନ୍ଗତ ହେବ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ତଥା ଏକ ଇଂରାଜୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଆର୍ବିଆଇ ଦ୍ୱାରା ପ୍ରଚଳିତ ହେବାକୁ ଥିବା ଏହି ଡିଜିଟାଲ୍ ମୁଦ୍ରା ବର୍ତ୍ତମାନର ମୁଦ୍ରା ପରି ସଂଖ୍ୟାରେ ଗଣିତ ହେବ । ଡିଜିଟାଲ୍ ମୁଦ୍ରା କରେନ୍ସି ସାର୍କୁଲେସନ୍ ବ୍ୟବସ୍ଥାରେ ରହିବ, ଯାହା ଉପରେ ଆର୍ବିଆଇର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ । ବର୍ତ୍ତମାନର ମୁଦ୍ରା ଠାରୁ ଏହା ଅଧିକ ପୃଥକ୍ ହେବନାହିଁ ।
ଏହା ବର୍ତ୍ତମାନ ମୁଦ୍ରାର ବୈଦ୍ୟୁତିକ ରୂପ ହିଁ ହେବ । ଯାହା ସରକାରୀ ଅଧିକୃତ ଡିଜିଟାଲ୍ ମୁଦ୍ରାର ମାନ୍ୟତା ପାଇବ । ଚଳିତ ବଜେଟ୍ ଅଭିଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ ଯେ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଡିଜିଟାଲ୍ କରେନ୍ସି (ସିବିଡିସି) ଭାରତର ଡିଜିଟାଲ୍ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ । ଏ ନେଇ ସ୍ପଷ୍ଟ ନୀତି ସମ୍ବନ୍ଧରେ ସୂଚନା ମିଳିନାହିଁ । ସୂଚନାଯୋଗ୍ୟ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ କ୍ରିପ୍ଟୋର ପ୍ରଚଳନକୁ କଡ଼ା ବିରୋଧ କରୁଛି । ସରକାର ମଧ୍ୟ ଦେଶରେ କ୍ରିପ୍ଟୋକୁ ଆଇନ୍ଗତ ମାନ୍ୟତା ଦେବା ନେଇ ସ୍ପଷ୍ଟରୁପେ ମନା କରିଛନ୍ତି ।