କରୋନା ଲକ୍ଷଣ ଥିଲେ ପିଲାଙ୍କୁ ନ ଛାଡିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ସ୍କୁଲ୍, କଲେଜ୍ ଖୋଲିବା ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦୀର୍ଘ ୨ବର୍ଷ ପରେ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ଆସନ୍ତା କାଲି ରାଜ୍ୟରେ ଅଷ୍ଟମରୁ ତଦୁର୍ଦ୍ଧ ସମସ୍ତ ଶ୍ରେଣୀର ପିଲାଙ୍କ ଫିଜିକାଲ୍ ପାଠପଢ଼ା ଆରମ୍ଭ ହେବା ସହିତ ଉଚ୍ଚଶିକ୍ଷା ବିଭାଗର ୟୁଜି ଓ ପିଜି ଛାତ୍ରଛାତ୍ରଙ୍କ ମଧ୍ୟ ଅଫ୍ଲାଇନ୍ ପାଠପଢ଼ା ଆରମ୍ଭ ହେବ । ସେହିପରି ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଅଧୀନସ୍ଥ ସମସ୍ତ ଆଇଟିଆଇ, ଡିପ୍ଲୋମା ଓ ଡିଗ୍ରି କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ଅଫ୍ଲାଇନ୍ ପାଠପଢ଼ା ହେବ । ଛାତ୍ରଛାତ୍ରୀଙ୍କ ଫିଜିକାଲ୍ ପାଠପଢ଼ା ଆରମ୍ଭ ହେବା ସହିତ ଶିକ୍ଷାନୁଷ୍ଠାନରେ ସମସ୍ତ ହଷ୍ଟେଲ ମଧ୍ୟ ଆଜିଠାରୁ ଖୋଲିଛି । ସ୍କୁଲ, ଜୁନିୟର କଲେଜରେ ପାଠପଢ଼ା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ ।
ତେବେ ସମସ୍ତ ପିଲାଙ୍କ ଲାଗି ଶିକ୍ଷାନୁଷ୍ଠାନ ଆସିବା ବାଧ୍ୟତାମୂଳକ ହେବନି । ପୂର୍ବପରି ଅନଲାଇନ୍ ପାଠପଢ଼ା ମଧ୍ୟ ଜାରି ରହିବ । କରୋନା କଟକଣା ମାର୍ଗଦର୍ଶିକା ଅନୁଯାୟୀ ଶିକ୍ଷାନୁଷ୍ଠାନ ଚାଲିବାକୁ ଥିବାବେଳେ ଭିନ୍ନ ଭିନ୍ନ ବିଭାଗ ନିଜସ୍ୱ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବେ । ଶିକ୍ଷାନୁଷ୍ଠାନଗୁଡ଼ିକ ପିଲାଙ୍କ ରିମେଡିଆଲ୍ କ୍ଲାସ ଓ ଡାଉଟକ୍ଲିୟରିଂ କ୍ଲାସ ଉପରେ ଗୁରୁତ୍ୱ ଦେବେ । ଆବଶ୍ୟକ ସ୍ଥଳେ ବ୍ରିଜ୍-କୋର୍ସ ଓ ସ୍ୱଳ୍ପ-ଅବଧି, ମଧ୍ୟମ-ଅବଧି ଆଦି ପାଠ୍ୟକ୍ରମ କରି ପିଲାଙ୍କର ପାଠ୍ୟଖସଡ଼ା ଶେଷ କରାଯିବ । ଏଥି ସହିତ ଶିକ୍ଷକମାନେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହିତ କାଉନସେଲିଂ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ରବିବାର ରାଜ୍ୟର ସମସ୍ତ ସ୍କୁଲ ଏବଂ ଜୁନିୟର କଲେଜର ଶ୍ରେଣୀ କକ୍ଷ ସମେତ ଛାତ୍ରବାସ ସାନିଟାଇଜ କରାଯାଇଛି ।
ସ୍କୁଲ ପରିସରରେ ଯେପରି ଅଜଥା ଭିଡ ନହୁଏ ଏବଂ ଛାତ୍ରଛାତ୍ରୀମାଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହିବ ସେଥିଲାଗି ପ୍ରଧାନ ଶିକ୍ଷକ ଆଜି ସବୁ ଶ୍ରେଣୀର କ୍ଲାସ ଟିଚରଙ୍କ ସହ ଆଲୋଚନା କରିଛନ୍ତି । ଅପରପେକ୍ଷ କରୋନା କିମ୍ବା ଓମିକ୍ରନର ଲକ୍ଷଣ ଥିଲେ ପିଲାଙ୍କୁ ନ ଛାଡିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ଡ. ମହାପାତ୍ର କହିଛନ୍ତି ଯେ, ସ୍କୁଲ କଲେଜରେ ସର୍ଭେଲାନ୍ସ ଜାରି ରହିବ। ଗାଁରେ ଆଶାକର୍ମୀ କାମ କରୁଛନ୍ତି । ଆରଆରଟି ଟିମ ବି ରହିଛି । କିଛି ଅସୁବିଧା ହେଲେ ନିୟମ ଅନୁସାରେ କାର୍ଯ୍ୟ କରାଯିବ । ଛୋଟ ପିଲାଙ୍କୁ ନିୟନ୍ତ୍ରଣ କରିବା କଷ୍ଟ ତେଣୁ ଅଭିଭାବକମାନଙ୍କ ଦାୟିତ୍ୱ ରହିବ ।
ଯଦି ପିଲାଙ୍କ କିଛି ଲକ୍ଷଣ ପ୍ରକାଶ ପାଉଛି ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ ବୋଲି ଅଭିଭାବକଙ୍କୁ ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଶିକ୍ଷକମାନଙ୍କୁ ମଧ୍ୟ ସାମାଜିକ ଦୂରତା ସହ ସଫା ସୁତୁରା ରଖି ଭେଣ୍ଟିଲେସନ ରୁମରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । କିଛି ଲକ୍ଷଣ ଦେଖାଦେଲେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବାକୁ କୁହାଯାଇଛି । କ୍ଳାସ ରୁମରେ ସମସ୍ତ ପ୍ରକାରର କୋଭିଡ କଟକଣା ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପାଠ ପଢ଼ାଯିବାକୁ ନେଇ ପରାମର୍ଶ ଦିଆଯାଇଛି । ସ୍କୁଲ ଓ କଲେଜରେ ପ୍ରତ୍ୟେକ ଦିନ କ୍ୟାମ୍ପସକୁ ସାନିଟାଇଜ କରାଯିବ । ଯଦି ଛାତ୍ରଛାତ୍ରୀଙ୍କ କୌଣସି ଅସୁବିଧା ଦେଖାଯାଏ ତେବେ ସେମାନଙ୍କୁ ସଂଗେ ସଂଗେ ଆଇସୋଲେସନରେ ରଖାଯିବ ବୋଲି ସେ କହିଛନ୍ତି ।