ଦେବଗଡ: ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ପଞ୍ଚାୟତରେ ଥିବା ପର୍ଯ୍ୟଟନସ୍ଥଳି ମା- ଝିଅ ଗଣ୍ଡରେ ଖସି ପଡି ଜଣେ ଯୁବକ ନିଖୋଜ ଥିବା ବେଳେ ସାତ ଦିନ ପରେ ଆଜି ଯୁବକର ମୃତ ଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ଡ଼ିମିରିପୋଷି ଗ୍ରାମର ଜିତୁ ଠାକୁର ନାମକ ଜଣେ ଶ୍ରମିକ ଗତ ଶୁକ୍ରବାର ଏକ ଟ୍ରାକ୍ଟର ରେ ନିକଟସ୍ଥ ଗାଁ କୁ ଧାନ ଆଣିବାକୁ ଯାଇଥିଲେ । ଫେରିବା ବାଟରେ ଟ୍ରାକ୍ଟର ଅଟକାଇ ମା-ଝିଅ ଗଣ୍ଡକୁ ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ । ଦୀର୍ଘ ସମୟ ଧରି ଜିତୁ ଟ୍ରାକ୍ଟର ନିକଟକୁ ନ ଫେରିବାରୁ ଟ୍ରାକ୍ଟର ଡ୍ରାଇଭର ଉକ୍ତ ଗଣ୍ଡ ନିକଟକୁ ଖୋଜିବାକୁ ଯାଇଥିବା ବେଳେ ସେଠାରେ ଥିବା କିଛି ପର୍ଯ୍ୟଟକ ଉକ୍ତ ଗଣ୍ଡ ମଧ୍ୟରେ କେହି ଜଣେ ଖସି ପଡ଼ିଥିବା କହିବା ପରେ ଟ୍ରାକ୍ଟର ଚାଳକ ଗାଁ କୁ ଆସି ଘଟଣା ସମ୍ପର୍କରେ ପ୍ରକାଶ କରିଥିଲା । ସୂଚନା ପାଇ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ଜିତୁର କୌଣସି ସନ୍ଧାନ ପାଇ ପାରିନଥିଲେ । ଏ ନେଇ ଜିତୁର ପିତା ଶରତ ଠାକୁର ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବାରୁ ଦେବଗଡ଼ ଥାନା ପୁଲିସ ଦମକଳ ବାହିନୀ ସହ ଘଟଣା ସ୍ଥଳରେ ପହଞ୍ôଚ ଖୋଜା ଖୋଜି କରିଥିଲେ ମଧ୍ୟ ଜିତୁର କୌଣସି ସନ୍ଧାନ ପାଇ ପାରିନଥିଲେ । ତେବେ ପରିବାର ଲୋକ ଓ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇ ଓଡ୍ରାଫ ଟିମ୍ ସହାୟତାରେ ନିଖୋଜ ଜିତୁର ସନ୍ଧାନ ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଲିଖିତ ଅନୁରୋଧ ପରେ ପ୍ରଶାସନ ପକ୍ଷରୁ ସମ୍ବଲପୁର ସ୍ଥିତ ଓଡ୍ରାଫ ଟିମ ଓ ବଂପରଡା ସ୍ଥିତ ଆଇ ଆଇଆର୍ରବି ଚତୁର୍ଥ ବାଟାଲିୟନ ସହାୟତାରେ ଆଜି ଉକ୍ତ ଗଣ୍ଡ ମଧ୍ୟରେ ପୁଣି ଥରେ ଖୋଜା ଅଭିଯାନ ଆରମ୍ଭ କରି ଗଣ୍ଡ ମଧ୍ୟରୁ ନିଖୋଜ ଜିତୁର ମୃତଦେହ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ମା ଓ ଝିଅ ଗଣ୍ଡର ଗଭୀରତା ଆଜି ପର୍ଯ୍ୟନ୍ତ ଜଣା ପଡି ନଥିବା କାରଣରୁ ଉକ୍ତ ସ୍ଥାନଟି ବିପଦ ପୂର୍ଣ୍ଣ ଥିବା ସ୍ଥାନୀୟ ଜନ ସାଧାରଣ ମତ ପ୍ରକାଶ କରିଛନ୍ତି ।