ଭୁବନେଶ୍ୱର: ସରକାରୀ ଜମିରେ ଘର କରିବାକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟର ଗଣ୍ଡଗୋଳ ହୋଇଛି । ଭାଇର କୋଦାଳ ମାଡ଼ରେ ଭଉଣୀର ମୁଣ୍ଡ ଫାଟିଯାଇଛି । ଶେଷରେ ଗୁରୁତର ଭାବେ ଭଉଣୀ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛି । ଏଭଳି ଘଟଣା ଭରତପୁର ଥାନା ଅନ୍ତର୍ଗତ ବରମୁଣ୍ଡା ଗୋଦାମବସ୍ତିରେ ଦେଖିବାକୁ ମିଳିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରୁଛି । ସୂଚନା ଅନୁଯାୟୀ, ବରମୁଣ୍ଡା ଗୋଦାମବସ୍ତିରେ ମଞ୍ଜୁଲତା ରାଉତ ନାମ୍ନୀ ଜଣେ ମହିଳା ପରିବାର ସହ ରୁହନ୍ତି ।
ସେଠାରେ ତାଙ୍କ ଭାଇ ଗୁନି ନାୟକ ମଧ୍ୟ ରୁହନ୍ତି । ସରକାରୀ ଜମିରେ ଘର କରିବାକୁ କେନ୍ଦ୍ରକରି ଭାଇ ଓ ଭଉଣୀଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା । ମଙ୍ଗଳବାର ଘରର ନାଳପାଣି ଯିବାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଗୁନି ଏକ କୋଦାଳରେ ମଞ୍ଜୁଙ୍କ ମୁଣ୍ଡକୁ ପିଟିଦେଇଥିଲେ । ଯାହାଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ପହଞ୍ଚିଛି । ଏନେଇ ମଞ୍ଜୁଙ୍କ ସ୍ୱାମୀ ସୁବାଷ ଥାନାରେ ଅଭିଯୋଗ କରିଛନ୍ତି ।