ଦିଗପହଣ୍ଡି : ଦିଗପହଣ୍ଡି ବ୍ଳକ୍ ଆଙ୍କୋରଡା ଗ୍ରାମର ୭୦ରୁ ଊର୍ଦ୍ଧ ଲୋକ ଆଜି ଦିଗପହଣ୍ଡି ଥାନା ଘେରାଉ କରିଛନ୍ତି । ଆନ୍ଦୋଳନକାରୀମାନେ ବିଜେଡିର ଏକ ଗୋଷ୍ଠୀର ସମର୍ଥକ ବୋଲି ଜଣାପଡିଛି । ଆଜି ପୂର୍ବାହ୍ନ ୯ଟା ସମୟରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଉତ୍ତେଜିତ ଲୋକ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକାରୀଙ୍କ ଅଭିଯୋଗ ପ୍ରକାରେ ଗତକାଲି ବିଳମ୍ବିତ ରାତ୍ରୀରେ ଆଙ୍କୋରଡା ଗ୍ରାମର କୈଳାସ ଗୌଡ, ପତିବାସ ପ୍ରଧାନ ଓ ଏସ୍.ରବିନ୍ଦ୍ର ଦୋରାଙ୍କୁ ପୋଲିସ୍ ତାଙ୍କ ଘରୁ ଉଠେଇ ଆଣିଥିଲା ।
ତାଙ୍କ ନାମରେ କୌଣସି ମାମଲା ନାହିଁ । କେଉଁ ଅଭିଯୋଗ ବଳରେ ପୋଲିସ୍ ଏହି ନିରୀହ ତିନିଜଣ ଯୁବକଙ୍କୁ ଉଠେଇ ଆଣିଲା, ତାହାରି ପ୍ରତିବାଦରେ ସେମାନେ ଥାନା ଆଗରେ ଘେରାଉ କରିଛନ୍ତି ବୋଲି ଆନ୍ଦୋଳନକାରୀ ରାମନାଥ ବିଷୋୟ, ଦୁର୍ଯ୍ୟୋଧନ ଗୌଡ, ହୀନ ବିଷୋୟୀ, ସୀମାଞ୍ଚଳ ପ୍ରଧାନ, ମିଟୁ ଦୋରା, ଗୌଡ ପ୍ରଧାନ, ଚେରୁ ଦୋରା, ଅରକ୍ଷୀତ ଗୌଡ ପ୍ରମୁଖ ଅଭିଯୋଗ କରିଛନ୍ତି । ଏହାର କୈଫତ୍ ନମିଳା ପର୍ଯ୍ୟନ୍ତ ସେମାନେ ଥାନା ଆଗରୁ ଓହରିବେ ନାହିଁ ବୋଲି ଦାବି କରିଥିଲେ ।
ଅନ୍ୟପକ୍ଷରେ ଆଙ୍କୋରଡା ଗ୍ରାମର କେଦାର ସେଠୀ ନାମକ ଜଣେ ଲୋକଙ୍କ ଅଭିଯୋଗ ଆଧାରରେ ସମ୍ପୃକ୍ତ ତିନିଜଣ ଯୁବକଙ୍କୁ ଥାନାକୁ ଅଣାଯାଇଥିବା ପୋଲିସ୍ ଆନ୍ଦୋଳନକାରୀଙ୍କ ଆଗରେ ଉତ୍ତର ରଖିଥିଲା । ଏହି ଅଭିଯୋଗ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ଏସ୍ପିଙ୍କ ପାଖରେ ପହଞ୍ଚିଥିଲା । ନିର୍ବାଚନରେ ଗୋଟିଏ ଗୋଷ୍ଠୀର ପ୍ରଭାବ ରହିଥିବାରୁ ଅନ୍ୟ ଗୋଷ୍ଠୀର ଚକ୍ରାନ୍ତକାରୀମାନେ ସମ୍ପୃକ୍ତ ତିନିଜଣ ଯୁବକଙ୍କ ନାମରେ ଏତଲା ଦେଇ ସେମାନଙ୍କ ମନୋବଳକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର ରଚାଯାଇଥିଲା ବୋଲି ଶେଷରେ ଜଣାପଡିଥିଲା । ବାଚସ୍ପତୀଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ଓହରିଥିଲେ ଲୋକେ ।