ଭୁବନେଶ୍ୱର: ଇନୋଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାର ଅଞ୍ଚଳର ଏକ ଘରୁ ଜଣେ ଯୁବ ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ସୌମ୍ୟରଞ୍ଜନ ପାଣିଗ୍ରାହୀ । ପ୍ରେମରେ ଧୋକା ପାଇବାରୁ ସୌମ୍ୟ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ସୌମ୍ୟ ମୁମ୍ବାଇରେ ଦୁଇବର୍ଷ ରହି ମଡ଼େଲିଂ କରୁଥିଲେ । କରୋନା ପାଇଁ ସେ ଭୁବନେଶ୍ୱର ଆସିଯାଇଥିଲେ । ଏଠାରେ ଇନଫୋସିସ୍ ପାଖେ ଚା’ ଖଟି ନାମକ ଏକ କାଫେ୍ ରେଷ୍ଟୁରାଣ୍ଟ ବ୍ୟବସାୟ ଆରମ୍ଭ କରିଥିଲେ । ସେ ଜଣେ କଣ୍ଠଶିଳ୍ପୀଙ୍କ ସହ ପ୍ରେମସମ୍ପର୍କରେ ଥିଲେ । ଗତ କିଛିଦିନ ହେବ ସେ ତାଙ୍କ ସମ୍ପର୍କକୁ ନେଇ ଚିନ୍ତାରେ ରହୁଥିଲେ । ରବିବାର ରାତିରେ ସେ ତାଙ୍କ ବ୍ୟକ୍ତିଗତ ରୁମ୍ରେ ଭିତରୁ କବାଟ ବନ୍ଦ କରି ଶୋଇଥିଲେ । ସୋମବାର ସକାଳେ ହେବାରୁ ଘରଲୋକ କବାଟ ବାଡ଼େଇଥିଲେ ।
ହେଲେ ସୌମ୍ୟ କବାଟ ଖୋଲିନଥିଲେ । ତେବେ କବାଟ ଭାଙ୍ଗି ଦେଖିବାବେଳକୁ ସୌମ୍ୟ ଫ୍ୟାନରେ କପଡ଼ା ସାହାଯ୍ୟରେ ଝୁଲିପଡ଼ି ଆତ୍ମହତ୍ୟା କରିଛନ୍ତି । ଏସମ୍ପର୍କରେ ଖବରପାଇ ଇନ୍ଫୋସିଟି ଥାନା ପୁଲିସ ପହଞ୍ଚି ସୌମ୍ୟଙ୍କ ଶବକୁ ଉଦ୍ଧାର କରିଥିଲା । ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଥ୍ୟପ୍ରମାଣ ସଂଗ୍ରହ କରିବା ସହ ଯାଞ୍ଚ କରିଥିଲା । ଏହାପରେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ । ବ୍ୟବଚ୍ଛେଦ ସରିବା ପରେ ଶବକୁ ପରିବାରଲୋକଙ୍କୁ ହସ୍ତାନ୍ତର ହୋଇଛି । ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ବାନ୍ଧବୀ ଦାୟୀ ବୋଲି ପରିବାରଲୋକେ ଅଭିଯୋଗ ଆଣିଛନ୍ତି । ଏନେଇ ସୌମ୍ୟଙ୍କ ମାମୁଁ ଇନ୍ଫୋସିଟି ଥାନାରେ ଏତଲା ଦେଇଛନ୍ତି ।
-ସୌମ୍ୟଙ୍କ ପ୍ରେମକାହାଣୀ
ଦୁଇବର୍ଷ ତଳେ ଏକ ଜିମ୍ରେ ସୌମ୍ୟଙ୍କ ସମ୍ପୃକ୍ତ କଣ୍ଠଶିଳ୍ପୀଙ୍କ ସହ ଦେଖା ହୋଇଥିଲା । ଉଭୟ ଧିରେ ଧିରେ ନିକଟତର ହୋଇଥିଲେ । ବନ୍ଧୁତ୍ୱରୁ ଦୁହେଁ ପ୍ରେମସମ୍ପର୍କରେ ବାନ୍ଧି ହୋଇଥିଲେ । ପରେ ଦୁହିଁଙ୍କ ପରିବାର ମଧ୍ୟ ଏସମ୍ପର୍କରେ ଜାଣିଥିଲେ । ଦୁହିଁଙ୍କ ଜାତି ସମାନ ଥିବାରୁ ଘରେ ବାହାଘର ପାଇଁ ରାଜି ହୋଇଯାଇଥିଲେ । ଏହାପରେ ସମ୍ପୃକ୍ତ ଯୁବତୀ ସୌମ୍ୟଙ୍କ ଘରକୁ ନିୟମିତ ଭାବେ ଆସୁଥିଲେ । ସୌମ୍ୟଙ୍କ ବାପା, ମାଙ୍କୁ ମମି-ଡାଡି ବୋଲି ଡାକୁଥିଲେ । ହେଲେ ତାଙ୍କ ମନ ଭିତରେ କିଛି ଅଲଗା ଥିଲା । କିଛିଦିନ ପରେ ସୌମ୍ୟ ଏକ କାଫେ ରେଷ୍ଟୁରାଣ୍ଟ ଆରମ୍ଭ କରିଲେ । ସେଠାକୁ ସମ୍ପୃକ୍ତ ଯୁବତୀ ଯାଇ ମାଲିକାଣୀ ଭଳି ବସାଉଠା କରୁଥିଲେ । ହେଲେ ହଠାତ୍ ଡ଼ିସେମ୍ବର ଶେଷ ସପ୍ତାହରେ ଥିବା ଏକ ସଂଗୀତ କାର୍ଯ୍ୟକ୍ରମ ସୌମ୍ୟଙ୍କ ପ୍ରେମସମ୍ପର୍କରେ ତିକ୍ତତା ଆଣିଥିଲା । ଯୁବତୀ ଜଣକ ସେଠାକୁ ଗୀତ ଗାଇବାକୁ ଯାଇଥିଲେ । ବିଳମ୍ବିତ ରାତିରେ ସୌମ୍ୟ ତାଙ୍କୁ କଲ କରିବାରୁ ନମ୍ବର ସ୍ୱିଚ୍ ଅଫ ଥିଲା ।
ତେଣୁ ସେ ଯୁବତୀଙ୍କ ଜଣେ ସାଙ୍ଗକୁ କଲ୍ କରି ଭଲମନ୍ଦ ବୁଝିବାକୁ ଚେଷ୍ଟା କରିଥିଲା । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତୁମେ ମୋର କେହି ନୁହେଁ, ମୋର ଯାହା ଇଚ୍ଛା ମୁଁ କରିବି ବୋଲି ଯୁବତୀ ସୌମ୍ୟଙ୍କୁ କହିଥିଲେ । ଏହାପରଠୁ ଉଭୟଙ୍କ ସମ୍ପର୍କ ଧିରେ ଧିରେ ମଳିନ ପଡ଼ିବାରେ ଲାଗିଲା । ସେବେଠାରୁ ସୌମ୍ୟ ଚିନ୍ତାରେ ରହିଆସୁଥିଲେ । ପ୍ରେମିକାର ଏଭଳି ବ୍ୟବହାରକୁ ଦେଖି ସୌମ୍ୟ ସତ ଜାଣିବାକୁ ଚେଷ୍ଟା କରିଥିଲେ । ସେ ପଚରାଉଚରା କରିବାରୁ ତାଙ୍କ ପ୍ରେମିକା ସାରସ୍ୱତ ନାମକ ଜଣେ ଯୁବକ ସହ ବୁଲାବୁଲି କରୁଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ସେ ତାଙ୍କ ପ୍ରେମିକାଙ୍କୁ ବିରୋଧ କରିଥିଲେ । ଶନିବାର ଯୁବତୀ ସୌମ୍ୟଙ୍କୁ ସମସ୍ତ ସୋସିଆଲ ମିଡ଼ିଆ ଏବଂ ମୋବାଇଲ ଫୋନ୍ରେ ବ୍ଲକ୍ କରିଦେଇଥିଲେ । ଯାହାକୁ ନେଇ ସୌମ୍ୟ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ଶେଷରେ ଆତ୍ମହତ୍ୟା କରିଦେଲେ ।
‘ମୋ ଲାଇଫ୍ ସହ ଖେଳିଲା’
ସୌମ୍ୟଙ୍କ ରୁମ୍ରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି । ସେଥିରେ ଲେଖାହୋଇଛି, ଓମ୍ ନମ ଶିବାୟ । ଆୟାମ୍ ସରି ମମି, ଡାଡି । ମତେ କ୍ଷମା କରିଦେବ । ସେ ଝିଅ ମୋ ଲାଇଫ୍ ସହ ବହୁତ୍ ଖେଳିଲା । ଗୋଟେ ବର୍ଷ ହେଲା ଖେଳିଲା । ଟିକେଟିକେ ଭୁଲ୍ ଲାଗି ମାସମାସ ତଡ୍ପାଇଲା । ମୁଁ ଆଉ ଦୁନିଆକୁ ଫେସ୍ କରିପାରିବିନି । ମୁଁ ବଞ୍ଚିବି ନବଞ୍ଚିଲା ପରିକା । ତମେ ମମିକୁ ବହୁତ୍ ଭଳପାଓ । ତମେ ଦୁଇଜଣ ଖୁସିରେ ରୁହ । ଆୟାନ୍କୁ ମୁଁ ବହୁତ୍ ମିସ୍ କରିବି । ମୋର ଭଗବାନଙ୍କ ଉପରେ ଭରସା ଉଠିଗଲା ।
ତାଙ୍କୁ ୩୦ବର୍ଷ ହେଲା ଡାକୁଥିଲି । ସିଏ ଖାଲି ମୋ ମନରେ କଷ୍ଟ ହିଁ ଦେଇଛନ୍ତି ବୋଲି ନୋଟ୍ରେ ଲେଖାଯାଇଛି । ନୋଟ୍ରେ ଆହୁରି ମଧ୍ୟ ଲେଖାଯାଇଛି, ସମ୍ପୃକ୍ତ ଯୁବତୀ ପ୍ରଥମେ ଲକିକୁ ଛାଡ଼ି ଅଜୟ ପାଖକୁ ଆସିଲା । ଅଜୟ ଥିଲା ବେଳେ ମୋତେ ତା’ ଜାଲରେ ଫସାଇଦେଲା । ଅଜୟ ପାଢ଼ୀ ପ୍ଲିଜ୍ ମୋତେ ମାଫ୍ କରିଦେବ । ତମକୁ ମୁଁ କଷ୍ଟ ଦେଇଛି । ସେ ଏବେ ସାରସ୍ୱତ ପାଇଁ ମୋତେ ଛାଡ଼ିଗଲା । ମୁଁ ମୋ’ କର୍ମର ଫଳ ଭୋଗିବି । ପ୍ଲିଜ୍ ଡାଡି, ମମି ମୋତେ ମାଫ୍ କରିଦେବ ବୋଲି ସୁଇସାଇଡ୍ ନୋଟ୍ରେ ଲେଖାଯାଇଛି। ଏଥିସହ ସମ୍ପୃକ୍ତ ଯୁବତୀଙ୍କୁ ତଦନ୍ତ ପରିସରର୍ଭୁକ୍ତ କରିବାକୁ ଚିଠିରେ ଉଲ୍ଲେଖ ହୋଇଛି । ଜବତ ସୁଇସାଇଡ୍ ନୋଟ୍ଟି ସୋମ୍ୟଙ୍କର ନାଁ ନାହିଁ, ତାହା ଯାଞ୍ଚ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି ।