19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୧ : ଜିଡିପି ୮-୮.୫% ରହିବା ସମ୍ଭାବନା

ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୧ : ଜିଡିପି ୮-୮.୫% ରହିବା ସମ୍ଭାବନା

ନୂଆଦିଲ୍ଲୀ :  ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଚଳିତ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ବଜେଟ୍ ଅଧିବେଶନର ଆରମ୍ଭ ଦିନରେ ଉପସ୍ଥାପିତ ହେଉଥିବା ଅର୍ଥନୈତିକ ସର୍ଭେ,ଏକ ଆର୍ଥିକ ବର୍ଷରେ ସାରାଦେଶର ବାର୍ଷିକ ଅର୍ଥନୈତିକ ବିକାଶର ଏକ ସାରାଂଶ ପ୍ରଦାନ କରିଥାଏ । ରିପୋର୍ଟରେ ୨୦୨୨-୨୩ ଆର୍ଥିକବର୍ଷ ପାଇଁ ୮ରୁ ୮.୫% ପର୍ଯ୍ୟନ୍ତ ଅଭିବୃଦ୍ଧି ରହିବାର ଆକଳନ କରାଯାଇଛି । ଏହା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆକଳିତ ଆର୍ଥିକ ଅଭିବୃଦ୍ଧି ହାର ୯.୨%ରୁ କମ୍ । ସର୍ଭେରେ କୁହାଯାଇଛି ଯେ ଟିକାକରଣ ଓ ଯୋଗାଣ ଶୃଙ୍ଖଳାରେ ସୁଧାର ଆର୍ଥିକ ଅଭିବୃଦ୍ଧିକୁ ଗତି ପ୍ରଦାନ କରିବ । ଅପରପକ୍ଷରେ ସରକାରଙ୍କ ଦ୍ୱାରା ଆର୍ଥିକ ଅଭିବୃଦ୍ଧିର ଅନୁମାନ ଆଗାମୀ ସମୟରେ କରୋନାର ବିଭିନ୍ନ ଭାରିଆଣ୍ଟ୍ ଦ୍ୱାରା ଆର୍ଥିକ ଗତିବିଧି ପ୍ରଭାବିତ ନହେବା ତଥା ଅପେକ୍ଷାକୃତ ଭଲ ମୌସୁମୀ ଉପରେ ନିର୍ଭର କରେ ।

ଅର୍ଥାତ୍ ଯଦି ଆଗାମୀ ସମୟରେ କରୋନା ମହାମାରୀ ବିକରାଳ ରୂପ ଧାରଣ କରି ଆର୍ଥିକ ଗତିବିଧି ଉପରେ ଅଙ୍କୁଶ ଲଗାଏ, କିମ୍ବା ମୌସୁମୀ ଅପେକ୍ଷାନୁରୂପ ନରହେ; ତେବେ ଅଭିବୃଦ୍ଧି ହ୍ରାସ ଘଟିପାରେ । ଏହି ଅବସରରେ ଦେଶର ପ୍ରଧାନ ଆର୍ଥିକ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲ୍ ତଥା ପ୍ରମୁଖ ଆର୍ଥିକ ପରାମର୍ଶଦାତା (ସିଇଏ) ଡା. ବି. ଅନନ୍ତ ନାଗେଶ୍ୱରନ୍ ଆର୍ଥିକ ସର୍ବେକ୍ଷଣ ଜନିତ ବିଭିନ୍ନ ତଥ୍ୟ ପ୍ରଦାନ କରିଛନ୍ତି । ଗତ ଆର୍ଥିକବର୍ଷରେ ଅଭିବୃଦ୍ଧି ହାର ୭.୩ ମାଇନସ୍ ରହିବା ସହିତ ଚଳିତ ଆର୍ଥିକବର୍ଷରେ ଅଭିବୃଦ୍ଧି ହାର ୯.୨% ରହିବ ବୋଲି ସାନ୍ୟାଲ୍ ଆଶାପ୍ରକଟ କରିଛନ୍ତି । କରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ଦେଶର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି କ୍ଷେତ୍ରରେ ଅଧିକ ଖର୍ଚ୍ଚ କରାଯାଇଛି । ୨୦୨୧-୨୨ରେ ଆର୍ଥିକ ଗତିବିଧି ପ୍ରାକ୍ କରୋନା ସ୍ତରରେ ପହଞ୍ଚିପାରିଛି ।

୨୦୨୨-୨୩ରେ ଅର୍ଥବ୍ୟବସ୍ଥା ସମସ୍ତ ପ୍ରକାରର ଚାଲେଞ୍ଜ୍ ସାମ୍ନା କରିବାକୁ ପ୍ରସ୍ତୁତ୍ ରହିଛି ବୋଲି ସେ କହିଛନ୍ତି । ଅପରପକ୍ଷରେ କୃଷିକ୍ଷେତ୍ର ଲକ୍‌ଡାଉନ୍ କାଳରେ କମ୍ ପ୍ରଭାବିତ ହୋଇଛି । ୨୦୨୦-୨୧ରେ କୃଷିକ୍ଷେତ୍ରରେ ୩.୬ ଅଭିବୃଦ୍ଧି ରହିଥିବା ବେଳେ ୨୦୨୧-୨୨ରେ ୩.୯% ଅଭିବୃଦ୍ଧି ରହିବ ବୋଲି ଆକଳନ କରାଯାଇଛି । କରୋନା ମାଡ଼ରେ ବିପର୍ଯ୍ୟନ୍ତ ସେବା କ୍ଷେତ୍ର ଗତ ଆର୍ଥିକବର୍ଷରେ ୮.୪% ଅଭିବୃଦ୍ଧି ହାସଲ କରିଥିବା ବେଳେ ଚଳିତ ଆର୍ଥିକବର୍ଷରେ ଏହା ୮.୨% ରହିପାରେ । ସେହିପରି ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୧.୮% ରହିବାର ଅନୁମାନ କରାଯାଇଛି । ସାମାଜିକ ସେବା କ୍ଷେତ୍ରରେ ଖର୍ଚ୍ଚ ୯.୮%କୁ ବୃଦ୍ଧି ଘଟି ୭୧.୬୧ ଲକ୍ଷ କୋଟି ରହିଛି । ସରକାରୀ ଉପଭୋଗ ପ୍ରାକ୍ ମହାମାରୀ ସ୍ତରକୁ ଅତିକ୍ରମ କରି ୭.୬% ଅଭିବୃଦ୍ଧି ହାସଲ କରିବାର ଅନୁମାନ କରାଯାଇଛି । ଦେଶର ମୋଟ୍ ରପ୍ତାନୀ ୧୬.୫% ବୃଦ୍ଧି ହାସଲ କରିବା ସହିତ ପ୍ରାକ୍ ମହାମାରୀ ସ୍ତରକୁ ଅତିକ୍ରମ କରିବ ।

ଆମଦାନୀରେ  ମଧ୍ୟ ୨୯.୪% ବୃଦ୍ଧି ଘଟିବ । ମହାମାରୀ, ନିଯୁକ୍ତି ଜାରି ରହିବ । ସାଧାରଣ ଲୋକମାନେ ଇଏମ୍‌ଆଇ ପଇଠ କରିବା ନେଇ ଅସୁବିଧାର ସମ୍ମୁଖିନ ହେବେ । ଖୁସିର କଥା ଯେ ଭାରତ ଷ୍ଟାର୍ଟଅପ୍ କ୍ଷେତ୍ରରେ  ଆମେରିକା ଓ ଚୀନ୍ ପଛକୁ ବିଶ୍ୱର ତୃତୀୟ ସ୍ଥାନରେ ରହିଛି । ଦିଲ୍ଲୀରେ ୫ ହଜାର ନୂଆ ଷ୍ଟାର୍ଟଅପ୍ ବିକଶିତ ହୋଇଥିବା ବେଳେ ବେଙ୍ଗାଲୁରୁରେ ୪,୫୧୪ ଷ୍ଟାର୍ଟଅପ୍ ବିକଶିତ ହୋଇଛି । ଏହି ମାମଲାରେ ଦିଲ୍ଲୀ ବେଙ୍ଗାଲୁରୁକୁ ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କରିଛି । ଦେଶ ୪୪ ନୂଆ ୟୁନିକର୍ଣ୍ଣ ଦେଖିଛି, ଯାହା ଏକ ଐତିହାସିକ ଉପଲବ୍‌ଧି ବୋଲି ରିପୋର୍ଟରେ କୁହାଯାଇଛି । ଏପ୍ରିିଲ୍‌-ନଭେମ୍ବର ଅବଧିରେ ୭୫ ନୂଆ ଆଇପିଓ ଜରିଆରେ ୮୯,୦୬୬ କୋଟି ଟଙ୍କା ସଂଗୃହୀତ ହୋଇଛି । ଗତବର୍ଷ ସମାନ ଅବଧିରେ ୨୦ କମ୍ପାନୀ ଆଇପିଓ ଆଣିବା ସହିତ ମାତ୍ର ୧୭,୭୩୩ କୋଟି ଟଙ୍କା ସଂଗ୍ରହ କରିପାରିଥିଲେ । ଇକ୍ୱିଟି ବଜାରରେ ବ୍ୟକ୍ତିଗତ ନିବେଶକଙ୍କ ସଂଖ୍ୟା ମଧ୍ୟ ଚଳିତ ଆର୍ଥିକବର୍ଷରେ ବୃଦ୍ଧିଘଟିଛି । ଅପରପକ୍ଷରେ ଜଳବାୟୁଜନିତ ଅର୍ଥନୀତି ପ୍ରମୁଖ ସମସ୍ୟା ହୋଇ ରହିବ ବୋଲି ଆର୍ଥିକ ସର୍ଭେରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking