କିଙ୍ଗଷ୍ଟନ୍ : ଚଳିତ ଆଇସିସି ଅଣ୍ଡର୍-୧୯ ବିଶ୍ୱକପ୍ରେ ଶୁକ୍ରବାର କାନାଡା ଟିମ୍ର ୯ ଜଣ ଖେଳାଳି କୋଭିଡ୍ ପଜିଟିଭ୍ ହୋଇଛନ୍ତି । ଫଳରେ କାନାଡା ଟିମ୍ ଶନିବାର ଖେଳିବାକୁ ଥିବା ତା’ର ସ୍କଟଲାଣ୍ଡ୍ ବିପକ୍ଷ ପ୍ଲେଟ୍ ପ୍ଲେ-ଅଫ୍ ସେମିଫାଇନାଲ୍ ମ୍ୟାଚ୍ରେ ଆବଶ୍ୟକ ସଂଖ୍ୟକ ଖେଳାଳି ଉପଲବ୍ଧ କରି ନ ପାରିବାରୁ ଶେଷରେ ଏହାକୁ ବାତିଲ୍ କରିଦିଆଯାଇଛି ।
ଫଳରେ ସ୍କଟଲାଣ୍ଡ୍ ଉନ୍ନତ ରନ୍ ରେଟ୍ ଆଧାରରେ ତ୍ରୟୋଦଶ/ଚତୁର୍ଦ୍ଦଶ ପ୍ଲେଅଫ୍ ମ୍ୟାଚ୍ ଖେଳିବା ସକାଶେ ଯୋଗ୍ୟତା ପାଇଛି । ସେହିପରି କାନାଡା ଖେଳିବାକୁ ଥିବା ପଞ୍ଚଦଶ/ଷୋଡ଼ଶ ସ୍ଥାନ ପାଇଁ ପ୍ଲେଅଫ୍ ମଧ୍ୟ ବାତିଳ୍ ହୋଇଯାଇଛି । କୋଭିଡ୍ ପଜିଟିଭ୍ ସାବ୍ୟସ୍ତ ହୋଇଥିବା ଖେଳାଳିମାନେ ଏବେ ଆଇସୋଲେସନ୍ରେ ଥିବାରୁ କାନାଡା ପ୍ରତିଯୋଗିତାରେ ଆଉ ଭାଗ ନେଇପାରିବ ନାହିଁ ବୋଲି ଆଇସିସି ହେଡ୍ ଅଫ୍ ଇଭେଣ୍ଟ୍ସ କ୍ରିସ୍ ଟେଟ୍ଲି ଜାରି ଏକ ବିବୃତିରେ କହିଛନ୍ତି ।