19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶବିଟିଙ୍ଗ୍ ରିଟ୍ରିଟ୍ ସହ ଗଣତନ୍ତ୍ର ଦିବସ ସମାରୋହର ସମାପନ : କମାଲ୍ ଦେଖାଇଲା ଏକ ହଜାର...

ବିଟିଙ୍ଗ୍ ରିଟ୍ରିଟ୍ ସହ ଗଣତନ୍ତ୍ର ଦିବସ ସମାରୋହର ସମାପନ : କମାଲ୍ ଦେଖାଇଲା ଏକ ହଜାର ଡ୍ରୋନ୍ ଶୋ’

ନୂଆଦିଲ୍ଲୀ: ବିଟିଙ୍ଗ୍ ରିଟ୍ରିଟ୍ ସହ ୭୩ତମ ଗଣତନ୍ତ୍ର ଦିବସ ସମାରୋହର ଆଜି ସମାପନ ହୋଇଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ସମାରୋହକୁ ‘ଆଜାଦୀ କୀ ଅମୃତ ମହୋତ୍ସବ’ ଭାବେ ପାଳନ କରାଯାଇଛି । ଦିଲ୍ଲୀର ବିଜୟ ଚୌକ୍‌ରେ ଆୟୋଜିତ ବିଟିଙ୍ଗ୍ ରିଟ୍ରିଟ୍‌ର ମୁଖ୍ୟ ଆକର୍ଷଣ ଥିଲା ଡ୍ରୋନ୍ ଶୋ’ । ଏକ ହଜାର ଡ୍ରୋନ୍ ମାଧ୍ୟମରେ ଭାରତର ସମ୍ପୂର୍ଣ୍ଣ ଇତିହାସକୁ ଏକ ଭିନ୍ନ ଅନ୍ଦାଜରେ ଦେଶ ସାମ୍ନାରେ ରଖାଯାଇଥିଲା । ନର୍ଥ ବ୍ଲକ୍ ଓ ସାଉଥ୍ ବ୍ଲକ୍‌ର ବଡ଼ ବଡ଼ କୋଠାର କାନ୍ଥରେ ପ୍ରୋଜେକ୍‌ସନ୍ ଲାଇଟ୍ ମାଧ୍ୟମରେ ଆକର୍ଷଣୀୟ ଝଲକ ଦେଖିବାକୁ ମିଳିଥିଲା । ଡ୍ରୋନ୍ ଶୋ’ ମାଧ୍ୟମରେ ସ୍ୱାଧୀନତାର ଅମୃତ ମହୋତ୍ସବର ବିଭିନ୍ନ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଚୀନ୍‌, ବ୍ରିଟେନ୍ ଓ ରୁଷିଆ ପରେ ଏତେ ବଡ଼ ଧରଣର ଡ୍ରୋନ୍ ଶୋ’ ଆୟୋଜନ କରାଯିବାରେ ଭାରତ ଚତୁର୍ଥ ଦେଶ ହୋଇଛି ।

ସମାରୋହରେ ପ୍ରଥମ ଥର ପାଇଁ କବି ପ୍ରଦୀପଙ୍କ ଦ୍ୱାରା ରଚିତ ଏବଂ ଲତା ମଙ୍ଗେସକର୍ ଗାଇଥିବା ସଙ୍ଗୀତ ‘ଏ ମେରେ ୱତନ୍ କେ ଲୋଗୋଁ’ ସାମିଲ ହୋଇଥିଲା । ଅନ୍ୟପକ୍ଷରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ଆବାଇଡ୍ ୱିଥ୍ ମି’କୁ ସମାରୋହରୁ ହଟାଇ ଦିଆଯାଇଥିଲା ।  ୧୯୫୨ରୁ ପାଳିତ ହୋଇଆସୁଥିବା ବିଟିଙ୍ଗ୍ ରିଟ୍ରିଟ୍‌ରେ ଏହି ସଙ୍ଗୀତ ବାଜି ଆସୁଥିଲା । ୨୦୨୦ରେ ପ୍ରଥମଥର ପାଇଁ ଏହାକୁ ବାଦ୍ ଦିଆଯାଇଥିଲା । ଏହାକୁ ନେଇ ବହୁ ବିବାଦ ହେବାପରେ ୨୦୨୧ରେ ଏହାକୁ ପୁଣି ସାମିଲ କରାଯାଇଥିଲା ।  ଚଳିତ ଥର ଏହା ପରିବର୍ତ୍ତେ ‘ସାରେ ଜହାଁ ସେ ଅଛା’ ଧୁନ୍‌କୁ ସାମିଲ କରାଯାଇଥିଲା । ଏହି ଅବସରରେ ମୋଟ ୨୬ଟି ସଙ୍ଗୀତର ଧୁନ୍ ସାମିଲ କରାଯାଇଥିଲା । ଭାରତୀୟ ସେନା, ବାୟୁସେନା, ନୌସେନା ଓ ସଶସ୍ତ୍ର ପୁଲିସ ଫୋର୍ସର ବ୍ୟାଣ୍ଡ୍ ଅଲଗା ଅଲଗା ଧୁନ୍ ବଜାଇ ସମସ୍ତଙ୍କ ମନ ଜିଣି ନେଇଥିଲେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସେ ନିଜ ଅଙ୍ଗରକ୍ଷୀଙ୍କ ସହ ସମାରୋହକୁ ଆସିବା ପରେ ତାଙ୍କୁ ନ୍ୟାସ୍‌ନାଲ୍ ସାଲ୍ୟୁଟ୍ ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ତିନି ସେନାର ମୁଖ୍ୟଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସମାରୋହରେ ଯୋଗ ଦେଇଥିଲେ । ସପ୍ତାହ ବ୍ୟାପୀ ଗଣତନ୍ତ୍ର ଦିବସ ସମାରୋହର ସମାପନର ପ୍ରତୀକ ଭାବେ ବିଟିଙ୍ଗ୍ ରିଟ୍ରିଟ୍ ଭାରତରେ ୧୯୫୨ରୁ ଚାଲିଆସୁଥିବା ବେଳେ ଏହି ଅବସରରେ ରାଷ୍ଟ୍ରପତି ସେନାବାହିନୀକୁ ନିଜ ନିଜ ବ୍ୟାରେକ୍‌କୁ ପ୍ରତ୍ୟାବର୍ତ୍ତନ ପାଇଁ ଅନୁମତି ଦେଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking