ଭୁବନେଶ୍ୱର: ଅଶାନ୍ତ ହୋଇପଡ଼ିଛି ରାଜଧାନୀ । କଥାକଥାକେ ଛୁରା, ଭୁଜାଲି ବୁଲୁଛି । କିଛିଦିନର ନୀରବତା ପରେ ପୁଣି ରକ୍ତ ଛିଟା ପଡ଼ିଛି । ସାମାନ୍ୟ କଥା କଟାକଟି ଓ ପୂର୍ବ ଶତ୍ରୁତାକୁ ନେଇ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀକୁ ଛୁରାରେ ଆକ୍ରମଣ କରିଛନ୍ତି । ଏଥିରେ ଗୋଟିଏ ଗୋଷ୍ଠୀର ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଗାଡ଼କଣର ନିରଞ୍ଜନ ପରିଡ଼ା ଓରଫ ଚିଣ୍ଟୁ(୧୯) । ଏଥିସହ ଆହତମାନେ ହେଲେ ଶ୍ରୀତନୁ ମିଶ୍ର, ବିବେକ ପାତ୍ର, ବିଶାଲ ପାତ୍ର ।
ସମସ୍ତ ଆହତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିକ ହେଉଛନ୍ତି । ଏନେଇ ପୋଲିସ ଘଟଣାର ତଦନ୍ତ କରିବା ସହ ଫେରାର୍ ଅପରାଧୀଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି । ତେବେ ତ୍ରିକୋଣୀୟ ପ୍ରେମସମ୍ପର୍କକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି । ଏସମ୍ପର୍କରେ ପୋଲିସକୁ ପଚାରିବାରୁ ହତ୍ୟାକାଣ୍ଡର କୌଣସି କାରଣ ସ୍ପଷ୍ଟ ହୋଇନାହିଁ । ତଦନ୍ତ ଚାଲିଛି । ସରିବା ପରେ ସବିବେଷ କୁହାଯିବ ବୋଲି ପୁଲିସ କହିଛି । ସୂଚନା ଅନୁଯାୟୀ, ସହିଦନଗର ଥାନା ଅନ୍ତର୍ଗତ ଗାଡ଼କଣ ପ୍ରେସ ଛକ ନିକଟରେ ଏକ ମୋମୋ ଦୋକାନ ରହିଛି । ଶନିବାର ସନ୍ଧ୍ୟା ୭ଟାବେଳେ ସେଠାକୁ ମୃତ ଚିଣ୍ଟୁ ତାର ସାଙ୍ଗମାନଙ୍କ ସହ ମୋମୋ ଖାଇବାକୁ ଯାଇଥିଲେ ।
ସେହି ଦୋକାନରେ ପୂର୍ବରୁ ଆକ୍ରମଣକାରୀ ଗୋଷ୍ଠୀ ତଥା ୩ରୁ ୪ଜଣ ଯୁବକ ବସିଥିଲେ । ସେମାନଙ୍କ ପରିଚୟ ମିଳିନଥିବାବେଳେ ନୟାପଲ୍ଲୀ ଅଞ୍ଚଳର ବୋଲି ଚର୍ଚ୍ଚା ହେଉଛି । ଏହି ସମୟରେ ଆକ୍ରମଣକାରୀ ଯୁବକମାନେ ଚିଣ୍ଟୁଙ୍କୁ କୌଣସି କଥାକୁ ନେଇ କମେଣ୍ଟ ମାରିଥିଲେ । ଏହି କଥାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଆକ୍ରମଣକାରୀ ଯୁବକମାନେ ଏକ ଛୁରାରେ ଚିଣ୍ଟୁ ଓ ତାଙ୍କ ସାଙ୍ଗମାନଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଚିଣ୍ଟୁ ତଳେ ପଡ଼ିଯିବାରୁ ସେମାନେ ତାଙ୍କୁ ଲଗାତାର ଛୁରା ମାଡ଼ କରିଥିଲେ । ମୁଣ୍ଡ, କାନ୍ଧ, ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ପହଞ୍ଚିଥିଲା । ପରେ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହାଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳେ ପୋଲିସ ପହଞ୍ଚି ସମସ୍ତଙ୍କୁ ହସ୍ପିଟାଲ ପଠାଇଥିଲା । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଚିଣ୍ଟୁଙ୍କ ମୃତ୍ୟୁ ଘଟିଛି ।
ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
ନିରଞ୍ଜନଙ୍କୁ ହତ୍ୟା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ପ୍ରକାଶ ପାଇଥିଲା । ହତ୍ୟାକାରୀଙ୍କୁ ଗିରଫ ଦାବିରେ ସ୍ଥାନୀୟଲୋକେ ରାସ୍ତାରୋକ କରିଥିଲେ । ପୁଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏଥିସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ନେଇ ମଧ୍ୟ ଦାବି ହୋଇଛି । ଅପରାଧୀମାନେ ନିଶା ଖାଇ ରାସ୍ତାରେ ଆଡ୍ଡା ଜମାଉଛନ୍ତି । ତେଣୁ ପୁଲିସ କଡ଼ାକଡ଼ି ପାଟ୍ରୋଲିଂ କରିବାକୁ ଲୋକମାନେ ଦାବି କରିଛନ୍ତି ।
କିଏ ସେହି ଯୁବତୀ
ଏହି ହତ୍ୟାକାଣ୍ଡ ଜଣେ ଯୁବତୀଙ୍କ ପାଇଁ ଘଟିଥିବା ଚର୍ଚ୍ଚା ହେଉଛି । ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଗାଡ଼ି ଶୋ ରୁମ୍ରେ ଜଣେ ଯୁବତୀ ଚାକିରୀ କରନ୍ତି । ସେହି ଯୁବତୀଙ୍କୁ ନେଇ ପୂର୍ବରୁ ଚିଣ୍ଟୁ ଓ ହତ୍ୟାକାରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଏକାଧିକ ଥର ଗଣ୍ଡଗୋଳ ମଧ୍ୟ ହୋଇଥିଲା । ତେଣୁ ଏହି ହତ୍ୟାକାଣ୍ଡ ପଛରେ ଯୁବତୀ ଏକ କାରଣ ବୋଲି ଚର୍ଚ୍ଚା ହେଉଛି । ଯୁବତୀଙ୍କ ପ୍ରେମ ସମ୍ପର୍କକୁ ନେଇ ଚିଣ୍ଟୁଙ୍କୁ କମେଣ୍ଟ ମରାଯାଇଥିବାରୁ ଏଭଳି ଘଟଣା ଘଟିଥିବା ଶୁଣିବାକୁ ମିଳୁଛି । ତେବେ କିଏ ସେହି ଯୁବତୀ, ତାହା ଦେଖିବାକୁ ବାକି ରହିଲା ।
ଯୋଜନାବଦ୍ଧ ନା ଅକସ୍ମାତ
ଆକ୍ରମଣକାରୀମାନେ ପୂର୍ବରୁ ମୋମା ଦୋକାନରେ ବସି ଖାଉଥିଲେ । ହଠାତ୍ ଚିଣ୍ଟୁ ସେଠାରେ ପହଞ୍ଚିବା ପରେ କଥା କଟାକଟି ହୋଇଥିଲା । ଏହାପରେ ସଙ୍ଗସଙ୍ଗେ ତାଙ୍କୁ ଛୁରାରେ ଆକ୍ରମଣ କରିଥିଲେ । ଏହି ହତ୍ୟାକାଣ୍ଡ କଣ ଯୋଜନାବଦ୍ଧ ନା ଅକସ୍ମାତ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆକ୍ରମଣକାରୀମାନେ ସାଙ୍ଗରେ କିଛି ହତିଆର ଆଣିନଥିଲେ । ତେଣୁ ସେମାନେ ସେଠାକାର ଏକ ମକା ଦୋକାନରୁ ଛୁରା ନେଇଯାଇଥିଲେ । ପରେ ଏଭଳି କାଣ୍ଡ ଭିଆଇଥିଲେ ।