ଲକ୍ଷ୍ନୌ: ଚଳିତ ବର୍ଷର ଆଇପିଏଲ୍ରେ ୮ଟି ପରିବର୍ତ୍ତେ ୧୦ଟି ଦଳ ଭାଗ ନେବେ । ନିୟମିତ ୮ଟି ଟିମ୍ ବ୍ୟତୀତ ଭାଗ ନେବାକୁ ଥିବା ଅନ୍ୟ ଦୁଇଟି ଟିମ୍ ହେଲେ ଲକ୍ଷ୍ନୌ ଓ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍ । ପ୍ରଥମ ଥର ପାଇଁ ଅହମ୍ମଦାବାଦ ଆଇପିଏଲ୍ରେ ଭାଗ ନେବାକୁ ଯାଉଥିବା ବେଳେ ଏହି ଦଳର ନେତୃତ୍ୱ ଭାରତୀୟ କ୍ରିକେଟ୍ ଟିମ୍ର ଅଲ୍ରାଉଣ୍ଡର୍ ତଥା ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟା ନେବାର ସମ୍ଭାବନା ରହିଛି । ହାର୍ଦ୍ଦିକ ଗୁଜରାଟର ବରୋଦା ପକ୍ଷରୁ ରଣ୍ଜୀ ଟ୍ରଫିରେ ପ୍ରତିନିଧିତ୍ୱ କରିଆସିଛନ୍ତି। ତେଣୁ ସ୍ଥାନୀୟ ଖେଳାଳି ଭାବେ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍ ତାଙ୍କୁ ଅଧିନାୟକ କରିବା ଉପରେ ବିଚାରବିମର୍ଶ ଚଳାଇଛି ।
ହାର୍ଦ୍ଦିକ ସପକ୍ଷରେ ନିଷ୍ପତ୍ତି ହେଲେ, ସେ ପ୍ରଥମ ଥର ପାଇଁ ଆଇପିଏଲ୍ରେ କୌଣସି ଫ୍ରାଞ୍ଚାଇଜ୍ର ନେତୃତ୍ୱ ନେବେ । ଆଇପିଏଲ୍ର ପଞ୍ଚଦଶ ସଂସ୍କରଣ ସକାଶେ ଟିମ୍ଗୁଡ଼ିକ ପ୍ରମୁଖ ଖେଳାଳିଙ୍କୁ ରିଟେନ୍ କରିଥିଲେ ହେଁ ମୁମ୍ବାଇ ହାର୍ଦ୍ଦିକଙ୍କୁ ବଜାୟ ରଖିନାହିଁ । ତେଣୁ ହାର୍ଦ୍ଦିକଙ୍କୁ ଏହି ଟିମ୍ ରିଲିଜ୍ କରିବା ପରେ ତାଙ୍କୁ ଦଳରେ ସାମିଲ୍ କରି ଅଧିନାୟକ ଦାୟିତ୍ୱ ଦେବା ଉପରେ ସିଭିସି କ୍ୟାପିଟାଲ୍ ମାଲିକାନାରେ ଥିବା ଅହମ୍ମଦାବାଦ ଫ୍ରାଞ୍ଚାଇଜ୍ ଯୋଜନା କରୁଛି । ସେହିପରି ଦଳର ମୁଖ୍ୟ କୋଚ୍ ଭାବେ ଟିମ୍ ଇଣ୍ଡିଆର ପୂର୍ବତନ ବାମହାତୀ ପେସର୍ ଆଶିଷ ନେହରା ଦାୟିତ୍ୱ ନେବା ଏକରକମ ନିଶ୍ଚିତ ହୋଇଛି ।
ଗତ ୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିଥିବା ନେହରା ପୂର୍ବରୁ ଆଇପିଏଲ୍ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଟିମ୍ର ସହଯୋଗୀ କୋଚ୍ ଭାବେ କାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ ଯେ ଆଇପିଏଲ୍ ଫ୍ରାଞ୍ଚାଇଜି ହାସଲ କରିବା ସକାଶେ ସିଭିସି କ୍ୟାପିଟାଲ୍କୁ ୫ ହଜାର ୬୨୫ କୋଟି ଟଙ୍କା ଦେବାକୁ ପଡ଼ିଛି । ସେହିପରି ଅନ୍ୟତମ ଟିମ୍ ଲକ୍ଷ୍ନୌର ଫ୍ରାଞ୍ଚାଇଜି ସଞ୍ଜୀବ ଗୋଏଙ୍କାଙ୍କ ମାଲିକାନାରେ ଥିବା ଆର୍ପିଏସ୍ଜି ଗ୍ରୁପ୍ ୭ ହଜାର ୯୦ କୋଟି ଟଙ୍କାରେ ହାତେଇସାରିଛି ।