ନୂଆଦିଲ୍ଲୀ : ଉତ୍ତରପ୍ରଦେଶର କାଶୀ ବିଶ୍ୱନାଥ ଧାମ୍ରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝୋଟରେ ନିର୍ମିତ ୧୦୦ ଯୋଡା ଚପଲ ଉପହାର ସଦୃଶ ପଠାଇଛନ୍ତି । ବାରାଣସୀରେ ୩୩୯ କୋଟି ଟଙ୍କାରେ ନିର୍ମିତ ହେଉଥିବା ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ମୋଦୀ ଡିସେମ୍ବର ୧୩ରେ ଉଦ୍ଘାଟନ କରିଥିଲେ । ଏହି ସମୟରେ ମୋଦୀ ସେଠାରେ କାର୍ଯ୍ୟରତ ଶ୍ରମିକଙ୍କ ସହ ବାର୍ତ୍ତାଳାପ କରିଥିଲେ । ସେ ଲକ୍ଷ୍ୟ କରିଥିଲେ ଯେ ଅଧିକାଂଶ ଶ୍ରମିକ ଖାଲିପାଦରେ କାର୍ଯ୍ୟ କରୁଛନ୍ତି । କାରଣ ମନ୍ଦିର ପରିସରରେ ଚମଡା କିମ୍ବା ରବର ନିର୍ମିତ ଜୋତା/ଚପଲ ପିନ୍ଧିବା ମନା । ଶ୍ରମିକଙ୍କ ବ୍ୟତୀତ ସେଠାରେ ମୁତୟନ ସୁରକ୍ଷା କର୍ମୀ, ସଫେଇ କର୍ମଚାରୀ ଏବଂ ପୂଜାପାଠ କରୁଥିବା ବ୍ରାହ୍ମଣମାନେ ମଧ୍ୟ ଖାଲିପାଦରେ ଯାତାୟାତ କରୁଛନ୍ତି । ଏହା ଦେଖିବାପରେ ମୋଦୀ ସେମାନଙ୍କର କଷ୍ଟ ଲାଘବ କରିବାକୁ ଏଭଳି ଝୋଟ ନିର୍ମିତ ଚପଲ ପଠାଇଛନ୍ତି । ଚପଲ ପାଇବାପରେ ଶ୍ରମିକମାନେ ମୋଦୀଙ୍କୁ ଆନ୍ତରିକ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।