ଫୁଲବାଣୀ: ଦୁଇ ଜଣ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗର ଶୁଣାଣି କରି ଫୁଲବାଣୀ ପୋକସୋ ଅଦାଲତର ବିଚାରପତି ଭାଷ୍କର ଚନ୍ଦ୍ର ସାହୁ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୧୦ ହଜାର ଟଙ୍କାର ଅର୍ଥ ଦଣ୍ଡ କରିଛନ୍ତି ଅଦାଲତ । ଜୋରିମାନା ଅନାଦେୟ ଆଉ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ସୂଚନା ଅନୁସାରେ, ଗତ ୨୦୧୫ ମସିହାରେ ତୁମୁଡିବନ୍ଧ ବ୍ଲକର ଏକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍କୁଲରେ ପଢୁଥିବା ଦୁଇ ଜଣ ଛାତ୍ରୀଙ୍କୁ ଘରକୁ ଡାକି ଘର କାମ କରାଇବା ସହ ଅସଦାଚରଣ କରିବା ଅଭିଯୋଗ ହୋଇଥିଲା । ୨୦୧୫ ଜାନୁଆରୀ ୧୭ରେ ବେଲଘର ଥାନାରେ ଏ ନେଇ ଏତାଲା ହୋଇଥିଲା । ପୁଲିସ ମାମଲା ରୁଜୁ କରିବା ସହ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଥିଲା । ଏହି ମାମଲାର ବିଚାର କରି ଅଦାଲତ ଉପରୋକ୍ତ ରାୟ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ବନମାଳୀ ବେହେରା ପରିଚାଳନା କରୁଥିଲେ ।