ଗଞ୍ଜାମ : କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆଜି ଓସ୍ୱାନ ହଲଠାରେ ଜୁମ୍ ବୈଠକ ଅନୁଷ୍ଠିତ ହୋଇଛି । ସଂକ୍ରମଣକୁ ରୋକିବା ପାଇଁ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ର ପ୍ରଥମ ଓ ଦ୍ୱିତୀୟ ଲହର ମୁକାବିଲା ପାଇଁ ପ୍ରଶାସନ ଯେଭଳି ପଦକ୍ଷେପ ଗ୍ରହଣ କରିଥିଲା, ସେହିଭଳି କାର୍ଯ୍ୟ ଖସଡା ପ୍ରସ୍ତୁତ କରି ମୁକାବିଲା କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ । ବର୍ତ୍ତମାନ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ୯୦ଟି ଅକ୍ସିଜେନ ରହିତ ଆଇସିୟୁ ଶଯ୍ୟା ପ୍ରସ୍ତୁତ ରହିଛି । ଟାଟା, ଅଶ୍ୱିନୀ ଓ ହାଇଟେକରେ ସପ୍ତାହକ ମଧ୍ୟରେ ଅକ୍ସିଜେନ୍ ରହିତ ଶଯ୍ୟା ପ୍ରସ୍ତୁସ କରି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଭଞ୍ଜନଗର, ହିଞ୍ଜିଳି, ଆସ୍କା ଏବଂ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଗୁଡିକରେ ଅକ୍ସିଜେନ ରହିତ ଶଯ୍ୟା ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳ କହିଥିଲେ । ଜିଲ୍ଲାରେ ଅକ୍ସିଜେନ ଏବଂ ସିଲିଣ୍ଡରର ଅଭାବ ନାହିଁ । ବ୍ରହ୍ମପୁର ସିଟି ହସ୍ପିଟାଲରେ ୧୫୦ଟି ଅକ୍ସିଜେନ ରହିତ ଶଯ୍ୟା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ କହିଥିଲେ । ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥଣ୍ଡା, କାଶ, ଜ୍ୱରର ଚିକିତ୍ସା କରାଯିବା ସହ ଶଯ୍ୟା ମଧ୍ୟ ପ୍ରସ୍ତୁତ ରଖାଯିବ । ଶଯ୍ୟାଗୁଡିକର ତଦାରଖ କରିବେ ତହସିଲଦାର ଏବଂ ବିଡିଓ । ଗାଁ ଗହଳିରେ ଆଶା ଦିଦି ଏବଂ ଏଏନ୍ଏମ୍ ରୋଗୀମାନଙ୍କୁ ଔଷଧ ଯୋଗାଇବେ । ହୋମ୍ ଆଇସୋଲେସନ୍ ଉପରେ ଗୁରୁତ୍ୱ ଦେଇଥିଲେ । ଗୁରୁତର ରୋଗୀ ମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ସକାଶେ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ ।
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ କୋଭିଡ୍ ଯୋଦ୍ଧା ମନୋନୀତ କରି ସେମାନଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ଯେଉଁ ଅଞ୍ଚଳକୁ ବିଦେଶ ଫେରନ୍ତା ଆସୁଛନ୍ତି, ସେମାନଙ୍କ ପ୍ରତି ନଜର ରଖାଯିବ । ଜ୍ୱର, କାଶ ଆଦି ରୋଗରେ ପୀଡିତ ବ୍ୟକ୍ତିଙ୍କ ତାଲିକା ଘରଘର ବୁଲି ଅଙ୍ଗନୱାଡି କର୍ମୀ, ଏଏନ୍ଏମ୍ ପ୍ରସ୍ତୁତ କରିବେ । ଟିକାକରଣ ଏବଂ ମାସ୍କ ପରିଧାନ କରୋନା ଏବଂ ଓମିକ୍ରନ୍ ପାଇଁ ଦୁଇଟି ମୁଖ୍ୟ ଅସ୍ତ୍ର ବୋଲି ଜିଲ୍ଲାପାଳ ମତ ଦେଇଥିଲେ । ଆସନ୍ତା ଦୁଇଦିନ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁମ୍ ମିଟିଙ୍ଗ କରି ଲୋକମାନଙ୍କୁ କରୋନା ବିଷୟରେ ସଚେତନ କରିବେ ।
ଏହାକୁ ସମସ୍ତ ଉପଜିଲ୍ଲାପାଳ ତଦାରଖ କରିବେ । ଜାନୁୟାରୀ ୧୫ ତାରିଖ ସୁଦ୍ଧା ଶତକଡା ୧୦୦ ପ୍ରତିଶତ ଟିକାକରଣ ଜିଲ୍ଲାରେ ଯେପରି ହୋଇପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ କହିଥିଲେ । ବିନା ଟିକାକରଣ ପ୍ରମାଣ ପତ୍ରରେ ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ବସ୍ରେ ଯାତ୍ରୀ ମାନେ ଟିକାକରଣ ପ୍ରମାଣପତ୍ର ଦେଖାଇ ଯାତ୍ରା କରିବାକୁ ବସ୍ ଆସୋସିଏସନ୍କୁ ଜଣାଇବା ପାଇଁ ଆଞ୍ଚଳିିକ ପରିବହନ ଅଧିକାରୀଙ୍କୁ କହିଥିଲେ । ସର୍ବସାଧାରଣ ସ୍ଥାନରେ ଟିକାକରଣ ପ୍ରମାଣ ପତ୍ର ଏବଂ ମାସ୍କ ପରିଧାନ ବାଧ୍ୟତାମୂଳକ ଯାଞ୍ଚ କରାଯିବ । ଉପଖଣ୍ଡ ଏବଂ ବ୍ଲକ୍ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ପୂର୍ବରୁ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଗଲେ କରୋନା ଏବଂ ଓମିକ୍ରନ ଦାଉରୁ ଜିଲ୍ଲାବାସୀଙ୍କୁ ସୁରକ୍ଷିତ କରାଯାଇପାରିବ ବୋଲି ଜିଲ୍ଲାପାଳ କହିଥିଲେ ।
ସମସ୍ତ କାର୍ଯ୍ୟାଳୟରେ ମାସ୍କ ପରିଧାନ ଏବଂ କୋଭିଡ୍ ନିୟମ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଜଣେ ବି ବ୍ୟକ୍ତି କରୋନାଜନିତ ମୃତ୍ୟୁବରଣ କରିବେ ନାହିଁ ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବୈଠକରେ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଅତିରିକ୍ତ ଜିଲ୍ଲାପାଳ ଲୀନା ଖୁମାରୀ ଖେସ୍, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଉପଜିଲ୍ଲାପାଳ ଭଞ୍ଜନଗର ରାଜେନ୍ଦ୍ର ମିଞ୍ଜ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ ଓ ଅନ୍ୟାନ୍ୟ ଅଧିକାରୀ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ଥିଲେ ।