ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ତେବେ ସୋନପୁର ଏବଂ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଶୁକ୍ରାବାର ମଧ୍ୟ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ, ଏହି ୪ ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଅନ୍ୟପଟେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଯଥା- ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ଆକଳନ କରାଯାଇଛି । ବିଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ସ୍ଥାନର ତାପମାତ୍ରା ପ୍ରାୟତଃ ସ୍ୱାଭାବିକ ରହିଛି ।
ଫୁଲବାଣୀରେ ୧୦ ଡିଗ୍ରୀ, ଦାରିଙ୍ଗବାଡ଼ି ହିଲ୍ଷ୍ଟେସନରେ ୯.୦ ଡିଗ୍ରୀ, କିରେଇରେ ୯.୭ ଡିଗ୍ରୀ, ଜି ଉଦୟଗିରିରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ସହରରେ ୧୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭବାନୀପାଟଣା ଏବଂ ସମ୍ବଲପୁରରେ ସର୍ବାଧିକ ୨୯.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୩ ଦିନରେ ତାପମାତ୍ରା ୩ ଡିଗ୍ରୀ ବୃଦ୍ଧି ପାଇବ । ଏଥିସହ ଶୀତର ପ୍ରକୋପ ମଧ୍ୟ କମିବ । ଆଗକୁ ୭ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଥିବା ବେଳେ ୧୦ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ୧୦ ତାରିଖ ସୁଦ୍ଧା ବର୍ଷା ହେବାର ସମ୍ଭାବନା ରହିଛି । ୧୦ ପରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ଅନ୍ୟ ଜିଲ୍ଲାରେ ମଧ୍ୟ ବର୍ଷିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ଦିଆଯାଇଥିବା ସୂଚନା ଅନୁସାରେ ଗୁରୁବାର ଦିନ ଏକ ପଶ୍ଚିମାଝଡ଼ ଆଫଗାନିସ୍ତାନ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୩.୧କିମି ଉଚ୍ଚତାରେ ବାୟୁମଣ୍ଡଳରେ ଗୋଟିଏ ଘୂର୍ଣ୍ଣିବଳୟ ରୂପରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଏକ ପ୍ରେରିତ ଘୂର୍ଣ୍ଣିବଳୟ ଶୁକ୍ରବାର ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ତଥା ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟିହେବାର ସମ୍ଭାବନା ରହିଛି ।
ଯେଉଁଥିପାଇଁ ଓଡ଼ିଶାରେ ୧୦ ଜାନୁଆରୀ ଠାରୁ ବର୍ଷା ସମ୍ଭାବନା ରହିଥିବା ବେଳେ ପରବର୍ତ୍ତୀ ସମୟରେ ବର୍ଷାର ବିସ୍ତୃତି ଏବଂ ପରିମାଣରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ତାପମାତ୍ରା ଏବେ ବଢ଼ୁଥିବା ବେଳେ ଆଗକୁ ବର୍ଷା ଆସୁଥିବାରୁ ଶୀତର ପ୍ରକୋପ ସାମନ୍ୟ କମିବ । ଅନ୍ୟପଟେ ଏହି ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ଫସଲ କଟା ପୁଣି ପ୍ରଭାବିତ ହେବାର ଆଶଙ୍କା ରହିଛି । ଗତ ଡିସେମ୍ବର ମାସରେ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ । ଏଣୁ ଚାଷୀଙ୍କୁ ବର୍ଷା ପୂର୍ବରୁ ପାଣିପାଗ ବିଭାଗ ସତର୍କ କରାଇଛି।