ଭୁବନେଶ୍ୱର: ଆଇପିଏସ୍ ଏସ୍. ସୁଶ୍ରୀ ଟ୍ୱିନ୍ସିଟିର ଟ୍ରାଫିକ ଡ଼ିସିପି ଭାବେ ଯୋଗଦେବାର ସାତଦିନ ନପୁରୁଣୁ ଆକ୍ସନ ମୋଡ୍କୁ ଆସିଛନ୍ତି। ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଧାରା ୨୮ ଅନୁସାରେ, ଏଣିକି ରାଜଧାନୀର ଟ୍ରାଫିକ ପୋଷ୍ଟ ନିକଟରେ ପାଦଚଲା ରାସ୍ତାକୁ ଲାଗିକି ଥିବା ବାମପାଶ୍ୱର୍ ରାସ୍ତାରେ ତଥା ଫ୍ରି-ଲେଫ୍ଟରେ କୌଣସି ଗାଡ଼ି ଛିଡ଼ା ହୋଇପାରିବେ ନାହିଁ । କେବଳ ମଝି ରାସ୍ତାରେ ଛିଡ଼ା ହୋଇ ସିଗନାଲ୍କୁ ଅପେକ୍ଷା କରିବେ । ଟ୍ରାଫିକ୍ ପୋଷ୍ଟରେ ଯାନବାହନ ପୁରା ରାସ୍ତା କଭର୍ କରି ଛିଡ଼ା ହେଉଛନ୍ତି । ଯାହାଫଳରେ ବାମପଟକୁ ଯିବାକୁ ଚାହୁଁଥିବା ଲୋକମାନେ ଅଟକି ରହୁଛନ୍ତି ।
ସିଗନାଲ୍ ବାମପଟକୁ ଯିବାକୁ ସୂଚନା ଦେଇଥିଲେ ବି ଗାଡ଼ିମୋଟର ଜାମ ଯୋଗୁ ସେମାନେ ଆଗକୁ ବଢ଼ିପାରୁନାହାନ୍ତି । ତେଣୁ ଏହି ବ୍ୟବସ୍ଥାକୁ ସଜାଡ଼ିବା ସହ କଡ଼ାକଡ଼ି ପାଳନ କରିବା ପାଇଁ ଶୁକ୍ରବାରଠୁ ଏନ୍ଫୋର୍ସମେଣ୍ଟ ଆରମ୍ଭ ହେବାକୁ ଯାଉଛି । ଏଥିସହ ଏହି ରାସ୍ତା ଜରୁରିକାଳିନ ଯାନବାହନ ଯଥା ଆମ୍ବୁଲାନ୍ସ, ଫାୟାର ଓ ପୁଲିସ ଗାଡ଼ି ପାଇଁ ସବୁବେଳେ ଖାଲି ରହିବ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷେ ସହରର ହୋଇଥିବା ପାଦଚଲା ରାସ୍ତାରେ ଅନେକ ଲୋକ ରଙ୍ଗ୍ରୁଟରେ ଯିବା ପାଇଁ ଗାଡ଼ି ଚଳାଇ ଯାଉଛନ୍ତି । ଯାହାଦ୍ୱାରା ସେମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଭଳି ଚାଳକଙ୍କ ଉପରେ ନଜର ରଖି ଜୋରିମାନା କାଟିବାକୁ କୁହାଯାଇଛି । ଏଥିସହ ମାଷ୍ଟରକ୍ୟାଣ୍ଟିନ ଗୋଲେଇ ଛକରେ ଏକ ନୂତନ ଟ୍ରାଫିକ ପୋଷ୍ଟ ନିର୍ମାଣ କରାଯାଇଛି ।
ହେଲେ ସେଠାରେ ଏପର୍ଯ୍ୟନ୍ତ ସିଗନାଲ୍ ଲାଇଟ୍ ଲାଗିପାରିନାହିଁ । ତେଣୁ ୨ରୁ ୩ଦିନ ମଧ୍ୟରେ ସିଗନାଲ୍ ଲାଇଟ୍ ଲଗାଇବାକୁ ଯୋଜନା କରାଯାଇଛି । ଯାହାଦ୍ୱାରା ସେଠାରେ ସହଜରେ ଲୋକମାନେ ଗମନାଗମନ କରିପାରିବେ । ସେହିପରି ରବି ଟକିଜ୍ ଟ୍ରାଫିକ ପୋଷ୍ଟ ନିକଟରେ ସବୁବେଳେ ଗାଡ଼ିମୋଟର ଜାମ୍ ହେଉଛି । ତେଣୁ ସେଠାକାର ଟ୍ରାଫିକ ପୋଷ୍ଟର ନବୀକରଣ କରିବାକୁ ଯୋଜନା ହୋଇଛି । ଖୁବ୍ କମ୍ଦିନ ମଧ୍ୟରେ ଏହିସବୁ କାମ ହେବ ବୋଲି ଟ୍ରାଫିକ ଡ଼ିସିପି ଆଶା ରଖିଛନ୍ତି । ଏସ୍. ସୁଶ୍ରୀ ଟ୍ରାଫିକ ଡ଼ିସିପି ଭାବେ ଯୋଗ ଦେବା ପରେ ଅତିରିକ୍ତ ଡ଼ିସିପି(ଟ୍ରାଫିକ) କେ.କେ ପାଣିଗ୍ରାହୀ, ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା ଓ ଅନ୍ୟ ଟ୍ରାଫିକ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ହୋଇଥିଲା । ଏଥିରେ ରାଜଧାନୀର ଟ୍ରାଫିକ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ।
ପରେ ଡ଼ିସିପି ନିଜେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ତେଣୁ ଏହିସବୁ ଦିଗକୁ ନେଇ ପ୍ରଥମେ କାର୍ଯ୍ୟ ଆରମ୍ଭ କରିବେ ବୋଲି ନିଷ୍ପତି ନେଇଛନ୍ତି । ପ୍ରଥମେ ଲୋକଙ୍କୁ ସଚେତନ କରାଇବେ । ଏହାପରେ ଏନ୍ଫୋର୍ସମେଣ୍ଟ କରାଯିବ ବୋଲି ଜଣାପଡ଼ିଛି । ଏଥିସହ ରାଜଧାନୀର ଟ୍ରାଫିକ ପୋଷ୍ଟରେ ଲାଗିଥିବା ସିସିଟିଭି ଫୁଟେଜ୍ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । କେଉଁ ପୋଷ୍ଟରେ କେତେ ସିସିଟିଭି ଚାଲୁଛି ଓ କେତେ ଅଚଳ ହୋଇଯାଇଛି, ସେନେଇ ହିସାବ ମାଗିଛନ୍ତି ।