ଭୁବନେଶ୍ୱର: ରାଜ୍ୟ ଉପରେ ବର୍ତ୍ତମାନ ପାଣିପାଗର କୌଣସି ନିର୍ଦ୍ଦିଷ୍ଟ ପ୍ରଭାବ ନାହିଁ । ତେଣୁ ଗତ କିଛିଦିନ ଧରି ପାଗ ଶୁଖିଲା ରହିଥିବା ବେଳେ ଆଗାମୀ ୫ ଦିନ ମଧ୍ୟ ସମାନ ସ୍ଥିତି ରହିବ । ତେବେ ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହୁଛି । ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ଜାନୁଆରୀ ୯ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇବାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶଙ୍କୁ ସୂଚନା ଅନୁଯାୟୀ ଜାନୁଆରୀ ମାସରେ ଓଡ଼ିଶାର ଚାଷୀମାନେ ମଧ୍ୟ ଅବେଳରେ ବର୍ଷାସ୍ଥିତିର ସମ୍ମୁଖୀନ ହେବେ ।
ଏପରିକି ମକରସଂକ୍ରାନ୍ତିରେ ଅର୍ଥାତ୍ ଜାନୁଆରୀ ୧୪ ଏବଂ ୧୫ରେ ରାଜ୍ୟରେ ସାଧାରଣଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହୁଛି । ଜାନୁଆରୀ ୬ ତାରିଖରୁ ଏକ ନୂଆ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପାକିସ୍ଥାନ ଆଡ଼ୁ ଉତ୍ତର-ପଶ୍ଚିମ ଭାରତ ଅର୍ଥାତ୍ ରାଜସ୍ଥାନ ଦେଇ ପ୍ରବେଶ କରିବ। ଏହାର ପ୍ରଭାବରେ ୭ ତାରିଖ ଦିନ ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ସାଇକ୍ଳୋନିକ୍ ସର୍କୁଲେସନ ସୃଷ୍ଟି ହେବ । ଏହି ସକାଶେ ରାଜ୍ୟରେ ୭ ତାରିଖଠୁ ହିଁ ହାଲୁକା ବର୍ଷା ଆରମ୍ଭ ହୋଇଯିବ ଏବଂ ୧୪, ୧୫ ଆଡ଼କୁ ବର୍ଷାର ପରିମାଣ ଅଧିକ ରହିବ । ଜିଲ୍ଲା ଆଗ୍ରୋମେଟ୍ ୟୁନିଟ୍, କଟକ ପକ୍ଷରୁ ଚାଷୀଙ୍କୁ ଏଥିପାଇଁ ଆଗୁଆ ସତର୍କ ବାର୍ତ୍ତା ଦିଆଯାଇଛି । ଅମଳ ହୋଇନଥିବା ଧାନକୁ ଆଗାମୀ ୫ ଦିନ ମଧ୍ୟରେ ଅମଳ କରିନେବାକୁ ପରାମର୍ଶ ଦିଆଯାଇଛି ।