ଭୁବନେଶ୍ୱର: ଚିଲିକାର ନଳବଣରେ ଚାଇନା, ସାଇବେରିଆ, ମଙ୍ଗୋଲିଆ, ଜାପାନରୁ ପକ୍ଷୀମାନଙ୍କ ମେଳ ହୋଇଛି । କିଏ, କେଉଁ ଦେଶରୁ ଆସିଛନ୍ତି ଗଣିବା ବହୁତ କଷ୍ଟକର ହୋଇପଡ଼ିଛି । ଖାଲି ଯାହା ପକ୍ଷୀ ବିଶାରଦମାନେ ଅନୁମାନ କରିପାରୁଛନ୍ତି । ଏଭଳି ସ୍ଥିତିରେ ରାଜ୍ୟର ଏ ଜିଲ୍ଲାରୁ ସେ ଜିଲ୍ଲା କେତେକ ପାରା ଘୁରି ବୁଲିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସେମାନଙ୍କ ଆକାର ଏବଂ ଓଜନ ଭାରତୀୟ ପାରାଙ୍କ ତୁଳନାରେ ଅଧିକ ରହିଛି । ଏହି ପାରାମାନେ ଚାଇନା ଭାଷାରେ ଲେଖା ଥିବା ବ୍ୟାଜ୍ ବା ମୁଦି ଗୋଡ଼ରେ ପିନ୍ଧିଛନ୍ତି । ଯାହାକୁ ନେଇ ରାଜ୍ୟର ବିଭିନ୍ନ ମହଲରେ ଅନେକ ଆଲୋଚନା ଏବଂ ତର୍କ ହେଉଛି । କେଉଁଠୁ ଆସିଛନ୍ତି ସେ ପାରା ? କିଏ ଛାଡ଼ିଛି? କାହିଁକି ଛାଡ଼ିଛି? କୌଣସି ଷଡ଼ଯନ୍ତ୍ର ହେଉନାହିଁ ତ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ଯାହାକୁ ନେଇ ପ୍ରଶାସନ ସ୍ତରରେ କେହି ଠିକ୍ ଉତ୍ତର ମଧ୍ୟ ରଖିପାରୁନାହାନ୍ତି । ବାରମ୍ବାର ଗୋଟେ ପରେ ଗୋଟେ ଜିଲ୍ଲାକୁ ଏଭଳି ପାରାଙ୍କ ଆଗମନ ଦେଖି ଲୋକେ ଅନେକ ଆଶଙ୍କା କରୁଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏହି ପାରାଙ୍କୁ ଦେଖିବାକୁ ମିଳିଛି । ଏହି ପାରାମାନେ ପିନ୍ଧିଥିବା ମୁଦିରେ ଚାଇନା ଭାଷାରେ କିଛି ଲେଖା ରହିଛି । ଯାହାକୁ ନେଇ ଏହା ଚାଇନାର ଗୁଇନ୍ଦାଗିରି ବୋଲି ଚର୍ଚ୍ଚା ହେଉଛି । ଚାଇନା ବାରମ୍ବାର ଭାରତର ସୁରକ୍ଷୀ ସମ୍ପର୍କିତ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି । ସୀମାରେ ଯୁଦ୍ଧ କରିବାକୁ ସଜ ହେଉଛି । ଏହି ପରିସ୍ଥିତିରେ ଏଭଳି ପାରା ଦେଖାଯିବା ସମସ୍ତଙ୍କୁ ଚମକାଇ ଦେଇଛି ।
ବିଶେଷକରି ଉପକୂଳ ଓଡ଼ିଶାରେ ଏହି ପାରା ଅଧିକ ଦେଖିବାକୁ ମିଳୁଛନ୍ତି । କେନ୍ଦ୍ରାପଡ଼ା ପରେ ପୁରୀରେ ଦେଖାଯିବାରୁ ସମସ୍ତଙ୍କ ମନରେ ସନ୍ଦେହ ଘନୀଭୂତ ହୋଇଛି । ଏହି ପାରାକୁ କେଉଁ ବିଦେଶୀ ଜାହଜ ଓଡ଼ିଶା ଉପକୂଳରେ ଛାଡ଼ିଯାଇନାହିଁ ତ, ଉପକୂଳ ଉପରେ ଶତ୍ରୁଙ୍କ ନଜର ରହିଛି କି, ଏଭଳି ଅନେକ ସନ୍ଦେହଜନକ ପ୍ରଶ୍ନ ସାଧାରଣରେ ଘାରିହେଉଛି । ଜଣେ ଅବସରପ୍ରାପ୍ତ ସେନାଧିକାରୀଙ୍କ କହିବାନୁସାରେ, ବିଦେଶରେ ପାରାଙ୍କୁ ଘରେ ଘରେ ପୋଷା କରି ରଖନ୍ତି । ସେମାନଙ୍କ ପିଛାରେ ଲକ୍ଷଲକ୍ଷ ଖର୍ଚ୍ଚ କରନ୍ତି । ସେହିପରି ଭାରତରେ ବିଭିନ୍ନ ସୁରକ୍ଷା ଏବଂ ତଦନ୍ତକାରୀ ସଂସ୍ଥା ମଧ୍ୟ ପାରା ରଖିଛନ୍ତି । ଆବଶ୍ୟକ କ୍ଷେତ୍ରରେ ସେମାନଙ୍କୁ ବ୍ୟବହାର କରାଯାଉଛି । ହେଲେ ଏଭଳି ଚାଇନା ଭାଷାରେ ଲେଖାଥିବା ମୁଦି ପିନ୍ଧା ପାରା ଦେଖିବା ବହୁତ ବିରଳ । କେହି ଏହାକୁ ଜାଣିଶୁଣି ଛାଡ଼ିଥିବା ସନ୍ଦେହ କରାଯାଉଛି । ତେବେ ଏଥିପ୍ରତି ଧ୍ୟାନଦେଇ ଅନୁସନ୍ଧାନ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।
ସେହିପରି ରାଜଗାଙ୍ଗପୁର ଏସ୍ଡ଼ିପିଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପାରାକୁ ଯାଞ୍ଚ କରାଯାଇଛି । ସେ ପିନ୍ଧିଥିବା ମୁଦିରେ ଚାଇନା ଭାଷାରେ କିଛି ଲେଖା ଅଛି । ଏହାଛଡ଼ା ସେଥିରେ କୌଣସି ବିଦ୍ୟୁତ୍ ଯନ୍ତ୍ରପାତି ବା ଚିପ୍ ନାହିଁ । ବିଭିନ୍ନ ଦେଶର ଲୋକମାନେ ପାରା ଏବଂ ପକ୍ଷୀଙ୍କୁ ଚିହ୍ନଟ କରିବା ପାଇଁ ଏଭଳି ବ୍ୟାଜ୍ ବା ମୁଦି ଗୋଡ଼ରେ ପିନ୍ଧାଇ ଦିଅନ୍ତି । ତେବେ ଏହି ପାରାର ମାଲିକ ହୁଏତ ଭାରତୀୟ ହୋଇପାରନ୍ତି ବୋଲି ସେ କହିଛନ୍ତି ।