ଲକ୍ଷ୍ନୌ : : ଲକ୍ଷ୍ନୌ ଗୋସାଇଗଞ୍ଜରେ ଜଣେ ବ୍ୟକ୍ତି ପାରିବାରିକ ବିବାଦ ପରେ ନିଜ ପତ୍ନୀଙ୍କୁ କୋଠାର ଆଠ ମହଲାର ବାଲକୋନିରୁ ତଳକୁ ଠେଲି ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ୩୨ ବର୍ଷିୟ ପୀଡିତା ନୀତୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ, ନୀତୁ ୩୬ ବର୍ଷିୟ ସଞ୍ଜୀବ କୁମାରଙ୍କୁ ୨୦୧୧ ରେ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ଗୋଟିଏ ଝିଅ ୭ ବର୍ଷର ଥିବା ବେଳେ ପୁଅର ବୟସ ୫ ବର୍ଷ । ଏହି ଦମ୍ପତି ମଧ୍ୟରେ ପ୍ରତିଦିନ ଝଗଡ଼ା ଲାଗି ରହିଥିଲା । ଗତ ସୋମବାର ସବୁଦିନ ପରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।
ଫଳରେ ସଞ୍ଜୀବ ରାଗରେ ଆଠ ମହଲାର ଭଡା ଘରେ ରହୁଥିବା ବାଲକୋନିରୁ ସ୍ତ୍ରୀ ନୀତୁଙ୍କୁ ତଳକୁ ଠେଲି ଦେଇଥିଲେ । ସଞ୍ଜୀବ ଏକ ଘରୋଇ ଫାର୍ମରେ ଫାଇନାନ୍ସର ଭାବେ କାମ କରୁଥିବାବେଳେ ନୀତୁ ଜଣେ ଗୃହିଣୀ ଥିଲେ । ମୃତ ନୀତୁଙ୍କ ଭାଇ ରାଜ କିରଣ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭିଣେଇ ସଞ୍ଜୀବଙ୍କ ଗତ ତିନିବର୍ଷ ଧରି ଅନ୍ୟ ଜଣେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରହିଥିଲା । ତାଙ୍କ ଭଉଣୀ ସଞ୍ଜୀବଙ୍କ ଏ ସମ୍ପର୍କକୁ ସର୍ବଦା ବିରୋଧ କରନ୍ତି ।
କିନ୍ତୁ ସଞ୍ଜୀବ ଦାବି କରୁଥିଲେ ଯେ ମହିଳା ଜଣକ ତାଙ୍କ ଭଉଣୀ ତେଣୁ ସେ ତାଙ୍କ ଘରକୁ ଅନେକ ଥର ଯାଇ ଦେଖା ବି କରିଥାଆନ୍ତି । ଗୋସାଇଗଞ୍ଜ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଶୈଳେନ୍ଦ୍ର ଗିରି କହିଛନ୍ତି, “ଆମେ ପୀଡିତାଙ୍କ ଭାଇଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ସଞ୍ଜୀବଙ୍କୁ ଗିରଫ କରିଛୁ । ମହିଳାଙ୍କୁ ହତ୍ୟା ଏବଂ ନିର୍ଯାତନା ଅଭିଯୋଗରେ ଆମେ ତାଙ୍କୁ ଗିରଫ କରିଛୁ । ଅଭିଯୁକ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି ।