ଭୁବନେଶ୍ୱର: ପୌର ନିର୍ବାଚନ ପ୍ରସ୍ତୁତି ପାଇଁ ସରକାର ଆଉ ପାଦେ ଆଗେଇଛନ୍ତି । ସଂରକ୍ଷଣ ଓ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ତିନି ମ୍ୟୁନିସ୍ପାଲ କମିଶନ୍ଙ୍କୁ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ବିଭାଗ ଚିଠି ଦେଇଛି । ସୋମବାର ମ୍ୟୁନିସ୍ପାଲ୍ ଆଡ୍ମିନିଷ୍ଟ୍ରେସନର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ୱାର୍ଡ ସୀମା ନିର୍ଦ୍ଧାରଣ ସହ ସଂରକ୍ଷଣ ନେଇ ଦୁଇଟି ଭିନ୍ନ ଚିଠି ଦେଇଛନ୍ତି । ଲେଖିଥିବା ଚିଠିରେ ଶ୍ରୀ ନାୟକ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପୌର ଆଇନ ଓ ମହାନଗର ଆଇନରେ ଅଧ୍ୟାଦେଶ ଜରିଆରେ ସଂଶୋଧନ ଆଣିଛନ୍ତି । ସୋମବାର ସୁଦ୍ଧା ୧୦୭ ପୌରାଞ୍ଚଳ ପାଇଁ ‘ଚିଠା ସଂରକ୍ଷଣ ତାଲିକା’ ପ୍ରକାଶ କରିବାକୁ ନିର୍ଦ୍ଦେଶନାମା ଥିଲା ।
ତଦନୁଯାୟୀ ଜାନୁଆରୀ ୧୨ ସୁଦ୍ଧା ଆପତ୍ତି ଅଭିଯୋଗ ଏବଂ ୧୩ରେ ଶୁଣାଣି ହେବ । ତାହା ଧାରା-୧୨(୩)(ଖ) ଅନୁସାରେ ୨୭ ସୁଦ୍ଧା ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ । ୨୮ରେ ଶୁଣାଣି ହୋଇ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଅନ୍ୟପକ୍ଷରେ ନିର୍ବାଚନ ହେବାକୁ ଥିବା ରାଜ୍ୟର ୩ଟି ମହାନଗର ନିଗମ ଅର୍ଥାତ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ୫ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ‘ଚିଠା ସଂରକ୍ଷଣ ତାଲିକା’ ପ୍ରକାଶ କରିବାକୁ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ତଦନୁଯାୟୀ ୭ ସୁଦ୍ଧା ଆପତ୍ତିି ଅଭିଯୋଗର ଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ କରି ୧୬ ସୁଦ୍ଧା ଶୁଣାଣି ଶେଷ କରିବାକୁ ଚିଠିରେ କୁହାଯାଇଛି । ବିଧିଅନୁଯାୟୀ ତିନି ମୁନିସ୍ପାଲ କମିଶସନର, ଜିଲ୍ଲାପାଳମାନେ ଏହି କାର୍ଯ୍ୟକୁ ଧାର୍ଯ୍ୟ ସମୟରେ କରିବାକୁ କୁହାଯାଇଛି । ଏଥିରେ ଯେପରି ଉଲ୍ଲଂଘନ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶକ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି ।