28.1 C
Bhubaneswar
Monday, November 18, 2024
Homeଅପରାଧନୂଆବର୍ଷରେ ଟଙ୍କା ନଥିଲା : ମଦ, ଚାଖଣା ପାଇଁ ମୋବାଇଲ ଲୁଟିଲେ

ନୂଆବର୍ଷରେ ଟଙ୍କା ନଥିଲା : ମଦ, ଚାଖଣା ପାଇଁ ମୋବାଇଲ ଲୁଟିଲେ

ଭୁବନେଶ୍ୱର: କାମ ଧନ୍ଦା ମିଳିଲାନାହିଁ । ଦେଖୁ ଦେଖୁ ନୂଆବର୍ଷ ଆସିଗଲା । ଟଙ୍କା ନଥିବାରୁ ଜିରୋ ନାଇଟ୍‌ରେ ପାର୍ଟି କରିପାରିଲୁନି । ତେଣୁ ବାଧ୍ୟ ହୋଇ ନୂଆବର୍ଷରେ ଲୁଟ୍ କରି ମଦ ପିଇଲୁ । ପୁଲିସ ହାତରେ ଧରାପଡ଼ିବା ପରେ ୩ଜଣ ମୋବାଇଲ ଲୁଟେରା ଏଭଳି ବୟାନ ଦେଇଛନ୍ତି । ଏମାନେ ମଦ, ଚାଖଣା ପାଇଁ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ଅଟକାଇ ମୋବାଇଲ୍ ଲୁଟି ନେଇଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ଅଭିଯୋଗକ୍ରମେ ଖାରବେଳନଗର ଥାନା ପୁଲିସ ୩ଜଣ ଲୁଟେରାଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ହରିଜନ ବସ୍ତିରେ ରହୁଥିବା ନୟାଗଡର ମହେଶ୍ୱର ନାୟକ(୨୨), କିରଣ ନାୟକ(୨୧) ଓ ଗେଣ୍ଡୁଆ ନାୟକ(୨୪) । ଏମାନଙ୍କ ଠାରୁ ପୁଲିସ ଗୋଟିଏ ମୋବାଇଲ୍ ଜବତ କରିଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ଗତ ୧ ତାରିଖରେ ଅଭିଯୋଗକାରୀ କଟକରୁ ଭୁବନେଶ୍ୱର କୌଣସି ବ୍ୟକ୍ତିଗତ କାମରେ ଆସିଥିଲେ । ଶ୍ରୀୟା ସିନେମା ହଲ୍ ନିକଟରେ ସେହି ଦିନ ଅପରାହ୍ଣ ୩ଟା ସମୟରେ ସେ ଟିଫିନ୍ ଖାଇ ବିସ୍କୁଟ କାରଖାନା ଦେଇ ମାଳିସାହି ଆଡକୁ ଯାଉଥିଲେ । ଏତିକିବେଳେ ୩ଜଣ ଯୁବକ ତାଙ୍କୁ ଅଟକାଇ ଜବରଦସ୍ତ ତାଙ୍କର ମୋବାଇଲ ଛଡ଼ାଇ ନେଇଥିଲେ । ଏ ନେଇ ଥାନାରେ ଅଭିଯୋଗ ହେବାପରେ ଖାରବେଳନଗର ଥାନା ପୁଲିସ ମାମଲା ରୁଜୁ କରିଥିଲା । ପରେ ତଦନ୍ତ ଜାରି ରହିଥିବାବେଳେ ଖାରବେଳନଗର ପାଠ୍ୟ ପୁସ୍ତକ ପ୍ରେସ୍ ସ୍କୁଲର ଖେଳ ପଡିଆରେ ଏହି ତିନିଜଣ ମଦ୍ୟପାନ କରୁଥିବା ପୁଲିସ ଖବର ପାଇଥିଲା । ସେଠାରେ ପୁଲିସ ଟିମ୍ ଚଢ଼ାଉ କରି ୩ଜଣଙ୍କୁ କାବୁ କରିଥିଲେ ।

ପରେ ସେମାନଙ୍କ ଠାରୁ ଚୋରି ମୋବାଇଲ ଜବତ କରାଯାଇଥିଲା । ଏଥିସହ ଥାନାରେ ତାଙ୍କୁ ଜେରା କରିବାରୁ ସବୁ ସତ କଥା ଓଗାଳିଥିଲେ । ତେବେ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ, ସମସ୍ତ ଅପରାଧୀ ମଦ୍ୟପ ଏବଂ ନିଶାସକ୍ତ । ମହେଶ୍ୱର ନାୟକ ଜଣେ ଅଭ୍ୟାସଗତ ଅପରାଧୀ । ଏମାନେ ଚୋରି କରିଥିବା ମୋବାଇଲ୍ ଫୋନ୍ ବିକ୍ରୟ ଉଦ୍ଦେଶ୍ୟରେ ରଖିଥିଲେ । ମଦ୍ୟପାନ କରିବା ଏବଂ ନୂତନ ବର୍ଷ ପାଳନ କରିବା ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ଅଭିଯୋଗକାରୀଙ୍କୁ ଏକାକୀ ଦେଖିବା ପରେ ସେମାନେ ତାଙ୍କ ମୋବାଇଲ ଫୋନ୍ ଜବରଦସ୍ତ ଛଡ଼ାଇ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking