ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଦୀପକ ରାଉତରାୟ ହତ୍ୟାକାଣ୍ଡକୁ ୩ଦିନି ବିତିଲାଣି । ହେଲେ ଅଭିଯୁକ୍ତଙ୍କୁ ପୁଲିସ ଧରିପାରିନାହିଁ । ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିଲେ ବି ଅଭିଯୁକ୍ତ ବିକି ମଲିଆ, ସୁଜିତ୍ ପଣ୍ଡା, ଗୁନୁ ମଲିଆ ଓ ଅନ୍ୟ ସହଯୋଗୀଙ୍କ ସୁରାକ୍ ପାଉନାହିଁ । ଏଭଳି ସ୍ଥିତିରେ କପିଳପ୍ରସାଦର ଶତାଧିକ ଗ୍ରାମବାସୀ ହତ୍ୟା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହ ଅନ୍ୟ ଦାବି ନେଇ ସୋମବାର ରାତିରେ ଥାନା ଘେରିଛନ୍ତି । ଥାନା ଅଧିକାରୀ ରାଧାକାନ୍ତ ସାହୁ ଓ ଏସିପି ଅନିରୁଦ୍ଧ ରାଉତରାୟଙ୍କୁ ଭେଟି ଦାବି ଜଣାଇଛନ୍ତି । ଗ୍ରାମବାସୀମାନଙ୍କ ଦାବି ହେଲା, ହଜ୍ ପୋଖରୀ ପାଖରେ ଆଲୋକ ବ୍ୟବସ୍ଥା କରାଯାଉ, ସେଠାରେ ପାଚେରୀ ନିର୍ମାଣ କରାଯାଉ ଏବଂ ହତ୍ୟା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ।
ଏଥିସହ ୫-ଟି ସଚିବଙ୍କ ଉଦ୍ଦେଶ୍ୟରେ ଗ୍ରାମବାସୀ ଏକ ଦାବିପତ୍ର ଦେଇଛନ୍ତି । ରାତି ୯ଟାରୁ ପାଖାପାଖି ୪୫ମିନିଟ୍ ପର୍ଯ୍ୟନ୍ତ ଗ୍ରାମବାସୀମାନେ ଥାନା ପରିସରରେ ଦାବି ରଖି ହୋହଲ୍ଲା କରିଥିଲେ । ତେବେ ସମସ୍ତ ଅଭିଯୁକ୍ତଙ୍କୁ ଖୁବଶ୍ରୀଘ୍ର ଗିରଫ କରାଯିବ ବୋଲି ଏସିପି ରାଉତରାୟ ପ୍ରତିଶୃତି ଦେବା ପରେ ଗ୍ରାମବାସୀମାନେ ଘରକୁ ଫେରିଛନ୍ତି । ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ନୂଆବର୍ଷ ପାଳନ ପାଇଁ ରାଜଧାନୀରେ ବିଭିନ୍ନ ସ୍ଥାନରେ କଟକଣା ସତ୍ୱେ କିଛି ଯୁବକ ଜିରୋନାଇଟ ପାଳନ କରୁଥିଲେ । ଅନେକ ସ୍ଥାନରେ ଭୋଜିଭାତ କରି ମଉଜ କରିବା ସହ ସୁନ୍ଦରପଦା ନୂଆସାହିର କିଛି ଯୁବକ ହଜ୍ ପୋଖରୀ ପାଖରେ ଭୋଜି ଆୟୋଜନ କରିଥିଲେ । ସେହିପରି କପିଳେଶ୍ୱର ଗାଁର କିଛି ଯୁବକ କପିଳେଶ୍ୱର ଛକରେ ଡିଜେ ବଜାଇ ଜିରୋନାଇଟ ପାଳନ କରୁଥିଲେ ।
କପିଳେଶ୍ୱର କିଛି ଯୁବକଙ୍କ ଗାଡି ଚଳାଇବାକୁ କେନ୍ଦ୍ରକରି ନୂଆସାହି ଯୁବକଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଦୀପକ ରାଉତରାୟ ଉଭୟ ପକ୍ଷର ଯୁବକଙ୍କୁ ବୁଝାସୁଝା କରି ଛାଡିଥିଲା । କିନ୍ତୁ ବିଳମ୍ବିତ ରାତିରେ କପିଳେଶ୍ୱର ଗାଁର ୪ଜଣ ଯୁବକ ହାତରେ ମାରଣାସ୍ତ୍ର ଧରି ନୂଆସାହିର ସୁନ୍ଦରପଦା ୟୁଥ୍ ଆସୋସିଏସନର ମଣ୍ଡପ ନିକଟରେ ପହଞ୍ôଚ ସନ୍ଧ୍ୟାରେ ବଚସା ହୋଇଥିବା ଯୁବକଙ୍କୁ ଖୋଜିଥିଲେ । ସେଠାରେ ଶୋଇଥିବା ଦୀପକ ଉଠି ସେମାନଙ୍କୁ ଚାଲିଯିବାକୁ କହିଥିଲେ ।
ଏହାକୁ ନେଇ ସେମାନଙ୍କ ଭିତରେ ବଚସା ଆରମ୍ଭ ହୋଇଥିଲା । ଆକ୍ରମଣକାରୀମାନେ ସଂଘବଦ୍ଧ ହୋଇ ଦୀପକକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଦୀପକ ଲହୁଲୁହାଣ ଅବସ୍ଥାରେ ଛାଡି ସେମାନେ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଦୀପକଙ୍କୁ ଉଦ୍ଧାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।