17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶପରମାଣୁ ପ୍ରତିଷ୍ଠାନ ସୂଚୀ ଶେୟାର୍ କଲେ ଭାରତ-ପାକିସ୍ତାନ

ପରମାଣୁ ପ୍ରତିଷ୍ଠାନ ସୂଚୀ ଶେୟାର୍ କଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ଦିନ ଶନିବାର ଭାରତ ଓ ପାକିସ୍ତାନ ନିଜ ନିଜ ଦେଶରେ ଥିବା ପରମାଣୁ ପ୍ରତିଷ୍ଠାନର ସୂଚୀ ଶେୟାର୍ କରିଛନ୍ତି, ଯାହା ଫଳରେ ଶତ୍ରୁତା ସମୟରେ ଯେପରି ପରସ୍ପର ବିରୋଧରେ ଏହାର ପ୍ରୟୋଗ କରାଯାଇ ନପାରେ । ଗତ ତିନି ଦଶକ ଧରି ଜାରି ଶତୃତା ସତ୍ତ୍ୱେ ଏହି ଦ୍ୱିପାକ୍ଷିକ ସମ୍ପର୍କର ପୁରୁଣା ପରମ୍ପରା ଏବେ ବି ଜାରି ରହିଛି । ଏହା ସହିତ ଉଭୟ ନିଜ ନିଜ ଦେଶର ଜେଲ୍‌ରେ ବନ୍ଦୀଥିବା କଏଦୀଙ୍କ ସୂଚୀ ମଧ୍ୟ ଶେୟାର୍ କରିଛନ୍ତି । ଏହି ଅବସରରେ ସାଧାରଣ କଏଦୀ, ନିଖୋଜ ଭାରତୀୟ ସୁରକ୍ଷା କର୍ମୀ ଏବଂ ମତ୍ସ୍ୟଜୀବୀଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଭାରତ ପକ୍ଷରୁ ପାକିସ୍ତାନ ନିକଟରେ ଦାବି କରାଯାଇଛି । ପରମାଣୁ ପ୍ରତିଷ୍ଠାନ ଓ ସୁବିଧା ସୂଚୀ ନୂଆଦିଲ୍ଲୀ ଓ ଇସ୍‌ଲାମାବାଦରେ ଥିବା କୂଟନୈତିକ ଚ୍ୟାନେଲ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।

ପରମାଣୁ ପ୍ରତିଷ୍ଠାନର ସୂଚନା ସହ ଏହି ଅସ୍ତ୍ରଶସ୍ତ୍ର ମାଧ୍ୟମରେ ପରସ୍ପର ଉପରେ ଆକ୍ରମଣ ନକରିବା ନିମନ୍ତେ ଶନିବାର ଉଭୟ  ଦେଶର କୂଟନୀତିଜ୍ଞଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଉଭୟ ଦେଶ ମଧ୍ୟରେ ୧୯୯୨ ଜାନୁଆରୀ ୧ ତାରିଖ ପରେ କ୍ରମାଗତ ୩୧ତମ ଥର ପାଇଁ ଏପରି ସୂଚୀ ଆଦାନ ପ୍ରଦାନ କରାଯାଇଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଏହି ଚୁକ୍ତି ସର୍ବପ୍ରଥମେ ୧୯୮୮ ଡିସେମ୍ବର ୩୧ ତାରିଖରେ ସ୍ୱାକ୍ଷର ହୋଇଥିଲା ଏବଂ ୧୯୯୧ ଜାନୁଆରୀ ୨୭ ତାରିଖରେ କାର୍ଯ୍ୟକାରୀ ହୋଇଥିଲା । ଏହି ସୂଚୀ ଅନୁସାରେ ବର୍ତ୍ତମାନ ଭାରତର ବିଭିନ୍ନ ଜେଲ୍‌ରେ ୨୮୨ ପାକିସ୍ତାନୀ ନାଗରିକ ଓ ୭୩ ମତ୍ସ୍ୟଜୀବ ବନ୍ଦୀ ଭାବେ ଅଛନ୍ତି । ସେହିପରି ୫୭ ଭାରତୀୟ ନାଗରିକ ଓ ୬୭୭ ମତ୍ସ୍ୟଜୀବୀ ପାକିସ୍ତାନ ଜେଲ୍‌ରେ ଅଛନ୍ତି ।

ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ନାଗରିକ, ନିଖୋଜ ସେନା କର୍ମଚାରୀ ଓ ମତ୍ସ୍ୟଜୀବୀଙ୍କୁ ସେମାନଙ୍କ ଡଙ୍ଗା ସହିତ ତୁରନ୍ତ ଖଲାସ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ଦାବି କରାଯାଇଥିବା ବିଦେଶ ମନ୍ତ୍ରଣାଳୟର ଅନ୍ୟ ଏକ ବିବୃତିରେ କୁହାଯାଇଛି । ଏହି ସନ୍ଦର୍ଭରେ ଜାତୀୟତା ସ୍ପଷ୍ଟ ହୋଇଥିବା ଦୁଇଜଣ ଭାରତୀୟ କଏଦୀ ଏବଂ ୩୫୬ ମତ୍ସ୍ୟଜୀବୀଙ୍କ ମୁକ୍ତି ପାଇଁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପାକିସ୍ତାନକୁ କୁହାଯାଇଛି । ବିବୃତିରେ ଆହୁରି କୁହାଯାଇଛି ଯେ ପାକିସ୍ତାନ ଜେଲ୍‌ରେ ଥିବା ୧୮୨ ଭାରତୀୟ ମତ୍ସ୍ୟଜୀବୀ ଓ ୧୭ ସାଧାରଣ କଏଦୀଙ୍କୁ ତୁରନ୍ତ କନ୍‌ସୁଲର୍ ଆକ୍ସେସ୍ ପ୍ରଦାନ ପାଇଁ ପାକିସ୍ତାନକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking