ଭୁବନେଶ୍ୱର : ଧଳାବାଘ, ବଜ୍ରକାପ୍ତା ଓ ଘଡ଼ିଆଳ କୁମ୍ଭୀର ପ୍ରଜନନକୁ ନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରୁଥିବା ପ୍ରାଣୀଉଦ୍ୟାନ ନନ୍ଦନକାନନ ଖୁବଶୀଘ୍ର ହେବାକୁ ଯାଉଛି ବିଶ୍ୱସ୍ତରୀୟ ଚିଡ଼ିଆଖାନା । ଏଥିପାଇଁ ପ୍ରସ୍ତୁତ ଆରମ୍ଭ ହୋଇସାରିଲାଣି । ମୁଖ୍ୟ ବନସଂରକ୍ଷକ ଶିଶିର କୁମାର ରଥ କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମସ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ସ୍ୱୀକୃତି ଦେଇଛନ୍ତି । ବୁଧବାର ନନ୍ଦନକାନନର ୬୨ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଥ କହିଥିଲେ, ବିଶ୍ୱସ୍ତରୀୟ ଚିଡ଼ିଆଖାନା ହେବା ପାଇଁ ନନ୍ଦନକାନନ ତା’ର କାର୍ଯ୍ୟ ଆରମ୍ଭ କରିଦେଇଛି । ନୁଆ ଢାଞ୍ଚାରେ କାରପାକିଂ ସ୍ଥଳ, ଟୟ ଟ୍ରେନ୍ କାର୍ଯ୍ୟ ସରିବା ପରେ ବସଷ୍ଟାଣ୍ଡର ଉନ୍ନତୀକରଣ ହେବାକୁ ଯାଉଛି । ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ସାମିଲ ହେବା ପାଇଁ ନିର୍ଦ୍ଧାରିତ ହେଉଥିବା ୧୫ଟି ବଡ଼ ଚିଡ଼ିଆଖାନା ମଧ୍ୟରେ ନନ୍ଦନକାନନକୁ ସାମିଲ କରାଯାଇଛି ବୋଲି କହିଥିଲେ ।
କେବଳ ଜୀବଜନ୍ତୁ ଓ ପର୍ଯ୍ୟଟକଙ୍କ ସୁବିଧା ନୁହେଁ, ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ମଧ୍ୟ କାର୍ଯ୍ୟ କରାଯିବ ବୋଲି କହିଥିଲେ । ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶଶୀପଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ନନ୍ଦନକାନନ ବିଶ୍ୱସ୍ତରୀୟ ଚିଡ଼ିଆଖାନା ହେବାକୁଥିବାବେଳେ ନୂଆ ପଶୁପକ୍ଷୀ ଆଣିବା ପାଇଁ ସିଙ୍ଗାପୁର, ଶ୍ରୀଲଙ୍କାର ଚିଡ଼ିଆଖାନା ସହ ଚୁକ୍ତିପତ୍ର ସରିଛି । ଏହା ସହ ଏନକ୍ଲୋଜର ଗୁଡ଼ିକୁ ମର୍ଡ଼ର୍ଣ୍ଣ ଲୁକ ଦେବା ପାଇଁ ଜର୍ମାନର ବର୍ଲିନଟିୟର ପାର୍କ ସହ ଚୁକ୍ତିପତ୍ର ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାର ଓ ସିଜେଡ଼ିଏ ଅନୁମୋଦନ କରିସାରିଛନ୍ତି । ଏଥି ସହ କାଞ୍ଜିଆ ଓ କିଆଖଣି ହ୍ରଦର ମଧ୍ୟ ପୁନରୁଦ୍ଧାର କରାଯିବ ବୋଲି ଶଶୀ ପଲ କହିଥିଲେ । ଏହି ଅବସରରେ ପ୍ରଥମ ଥର ପାଇଁ ଏକ ବଜ୍ରକାପ୍ତାକୁ ପରୀକ୍ଷାମୁଳକ ଭାବେ ମୁକ୍ତଭାବେ ବିଚରଣ ପାଇଁ ଛଡ଼ାଯାଇଥିଲା । ମହାରାଷ୍ଟ୍ର ପରେ ଓଡ଼ିଶାର ପ୍ରଥମ ଚିଡ଼ିଆଖାନା ନନ୍ଦନକାନନ ୨୮ ନଭେମ୍ବର ୨୦୨୧ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନ ବିଭାଗ ଦ୍ୱାରା ଜବତ ହୋଇ ଆସିଥିବା ୧୪ କେଜି ଓଜନର ଏକ ଅଣ୍ଡିରା ବଜ୍ରକାପ୍ତା ଶରୀରରେ ଭିଏଚଏଫ-ରେଡ଼ିଓ ଟ୍ରାନ୍ସମିଟର ଲଗାଯାଇ ଛଡ଼ାଯାଇଥିଲା । ଏହା ଦ୍ୱାରା ତା’ର ଗତି ବିଧିକୁ ପରଖାଯାଇପାରିବ । ନନ୍ଦନକାନନାର ବାର୍ଷିକ ପୁସ୍ତିକ କ୍ୟାଲେଣ୍ଡର ଉନ୍ମୋଚନ ସହ ବିଶେଷ ଅବଦାନ ଥିବା କେତେ ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା । ନିର୍ଦ୍ଦେଶକ ଡ଼ ମନୋଜ ଭି ନାୟାର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପନିର୍ଦ୍ଦେଶକ ଡ଼ ସଞ୍ଜିତ କୁମାର ଧନ୍ୟବାଦ ଦେଇଥିଲେ ।