କୋହିମା : ଚଳିତମାସ ୪ରେ ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ସେନା ଯବାନଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନରେ ୧୪ ଜଣ ନିରୀହ ଲୋକଙ୍କର ପ୍ରାଣହାନି ଘଟିଥିଲା । ଏହି ଘଟଣାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଉତ୍ତର-ପୂର୍ବ ରାଜ୍ୟଗୁଡିକରୁ ଆଫ୍ସ୍ପା (ଆର୍ମଡ ଫୋର୍ସେସ୍ ସ୍ପେଶାଲ ପାୱାର ଆକ୍ଟ) ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି ଜୋର ଧରିଛି । ନାଗାଲାଣ୍ଡ ସରକାର ଏହି ଘଟଣାର ତଦନ୍ତ ନିମନ୍ତେ ୨୨ ଜଣିଆ ଏସ୍ଆଇଟି ଗଠନ କରିଛନ୍ତି । ଏହି ଦଳ ଘଟଣା ଦିନ ଉପସ୍ଥିତ ଥିବା ସେନା ଯବାନଙ୍କ ବୟାନ ରେକର୍ଡ କରିବେ । ଏଥିପାଇଁ ସ୍ଥଳସେନା ପକ୍ଷରୁ ଏସ୍ଆଇଟିକୁ ଅନୁମତି ପ୍ରଦାନ କରାଯାଇଛି ।
ତେବେ ତଦନ୍ତକାରୀ ଦଳ ସିଧାସଳଖ ଯବାନଙ୍କୁ ଜେରା କରିବେ କିମ୍ବା ଯବାନମାନେ ପୂର୍ବରୁ ରେକର୍ଡ କରିଥିବା ନିଜସ୍ୱ ବୟାନ ଦାଖଲ କରିବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଏସ୍ଆଇଟିରେ ୫ ଆଇପିଏସ ଅଫିସରଙ୍କୁ ମଧ୍ୟ ସାମିଲ କରାଯାଇଛି । ସେନା ପକ୍ଷରୁ ମଧ୍ୟ ଘଟଣାର ପୃଥକ ତଦନ୍ତ କରାଯାଉଛି । ତେବେ ନାଗାଲାଣ୍ଡରେ ଆଫ୍ସ୍ପା ବଳବତ୍ତର ରହିଥିବାରୁ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ କୌଣସି ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ବ୍ୟବସ୍ଥା ରହିଛି । ଏହି ପରିପ୍ରେକ୍ଷୀରେ ଏସ୍ଆଇଟିର ଏଭଳି ଜେରା ପ୍ରକ୍ରିୟା କେତେଦୂର ଫଳପ୍ରଦ ହେବ, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।