ଅମରାବତୀ : ୨୦୨୪ରେ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ୱାଇଏସ୍ଆର କଂଗ୍ରେସ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ରାଜ୍ୟ ବିଜେପି ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଯଦି ୨୦୨୪ରେ ବିଜେପି ସେଠାରେ କ୍ଷମତାକୁ ଆସେ, ତାହାହେଲେ ଲୋକଙ୍କୁ ୫୦ ଟଙ୍କାରେ ମୁଣ୍ଡପିଛା ଗୋଟିଏ ବୋତଲ ମଦ (ଉତ୍ତମ କ୍ୱାଲିଟୀ) ଯୋଗାଇ ଦିଆଯିବ ବୋଲି ରାଜ୍ୟ ବିଜେପି ସଭାପତି ସୋମୁ ବୀରରାଜୁ ବୁଧବାର ଘୋଷଣା କରିଛନ୍ତି । ବିଜୟୱାଡାରେ ଏକ ର୍ୟାଲିକୁ ସମ୍ବୋଧିତ କରିବା ଅବସରରେ ସେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ବର୍ତ୍ତର୍ମାନ ଆନ୍ଧ୍ରରେ ୧ କୋଟି ଲୋକ ଦୈନନ୍ଦିନ ମଦ୍ୟପାନ କରୁଛନ୍ତି ।
ଯଦି ଏହି ୧ କୋଟି ଲୋକ ବିଜେପିକୁ ଭୋଟଦେଇ କ୍ଷମତାକୁ ଆଣିବେ, ତାହାହେଲେ ଏହି ପ୍ରତିଶ୍ରୁତିକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବେଲି ସୋମୁ କହିଛନ୍ତି । ଆନ୍ଧ୍ରରେ ଜଣେ ବ୍ୟକ୍ତି ମାସକୁ ହାରାହାରି ୧୨ ହଜାର ଟଙ୍କାର ମଦ ପିଇଥାନ୍ତି । ଏଥିରୁ ମିଳୁଥିବା ରାଜସ୍ୱ ଜଗନମୋହନ ରେଡ୍ଡିଙ୍କ ସରକାର ହାତେଇ ନେଉଛନ୍ତି । ଲୋକଙ୍କୁ କୌଣସି ଆର୍ôଥକ ସୁବିଧା ମିଳୁନାହିଁ । ଏହାବ୍ୟତୀତ ବିଜେପି କ୍ଷମତାକୁ ଆସିଲେ ଅମରାବତୀକୁ ପୂର୍ଣ୍ଣାଙ୍ଗଭାବେ ରାଜଧାନୀର ମାନ୍ୟତା ପ୍ରଦାନ କରାଯିବ । ସୂଚନାଯୋଗ୍ୟ ୨୦୧୯ ବିଧାନସଭା ନିର୍ବାଚନରେ ୧୭୫ ମଧ୍ୟରୁ ୱାଇଏସ୍ଆର କଂଗ୍ରେସ ୧୧୯ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା । ତେଲୁଗୁ ଦେଶମ ୨୩ଟି ଆସନରେ ସନ୍ତୁଷ୍ଟ ହୋଇଥିବାବେଳେ ବିଜେପି ଖାତା ଖୋଲିପାରିନଥିଲା ।