ଅସ୍ତରଙ୍ଗ: ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ପଶ୍ଚିମବଙ୍ଗର ଦୁଇ ଟ୍ରଲର ଉପରେ ପୁରୀ ସାମୁଦ୍ରିକ ମତ୍ସ୍ୟ ବିଭାଗ ଚଢ଼ଉ କରି ୯ ଜଣ ମତ୍ସ୍ୟଜୀବୀଙ୍କୁ କାବୁ କରିଥିଲା । ତେବେ ବେଆଇନ ମାଛ ଧରୁଥିବା ଟ୍ରଲର ଡ୍ରାଇଭର ଦ୍ୱୟଙ୍କୁ ଟ୍ରଲର ସହ ଅସ୍ତରଙ୍ଗ ମାଛଧରା ବନ୍ଦରକୁ ଆସିବା ପାଇଁଁ ନିର୍ଦ୍ଦେଶ ଥିବା ବେଳେ ସେମାନେ ବିଭାଗୀୟ ନିର୍ଦ୍ଦେଶକୁ ଅବମାନନା କରି ସାମୁଦ୍ରିକ ଜଳରାଶିରେ ଉଭାନ ହୋଇଯିବା ଖବର ଚର୍ଚ୍ଚାର ବିଷୟ ହୋଇଛି ।
ବହୁ ଖୋଜା ଖୋଜି ପରେ ସେମାନଙ୍କ ପତ୍ତା ନମିଳିବାରୁ ମତ୍ସ୍ୟବିଭାଗ ପକ୍ଷରୁ ତଟରକ୍ଷୀ ବାହିନୀଙ୍କୁ ଖବର ଦିଆଯାଇଥିଲା । ତଟରକ୍ଷୀବାହିନୀ ସମୁଦ୍ରରେ ଟ୍ରଲରଗୁଡିକୁ ଯାଞ୍ଚ କରୁଥିବା ବେଳେ ବିଭାଗପକ୍ଷରୁ ଅଟକ ୯ ମତ୍ସ୍ୟଜୀବୀଙ୍କୁ ସାମୁଦ୍ରିକ ଥାନାକୁ ହସ୍ତାନ୍ତର କରାଯାଇଛି । ଅସ୍ତରଙ୍ଗ ସାମୁଦ୍ରିକ ଥାନାରେ ଏ ନେଇ ମାମଲା ରୁଜୁହେବା ପରେ ସମ୍ପୃକ୍ତ ମତ୍ସ୍ୟଜୀବୀମାନଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ରବୀନ୍ଦ୍ର ସେଠୀ ସୂଚନା ଦେଇଛନ୍ତି ।