21.1 C
Bhubaneswar
Monday, November 18, 2024
Homeଓଡିଶା୭ ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ, ବର୍ଷ ଶେଷରେ ଭିଜିବ ଓଡ଼ିଶା

୭ ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ, ବର୍ଷ ଶେଷରେ ଭିଜିବ ଓଡ଼ିଶା

ଭୁବନେଶ୍ୱର:  ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି । ଏହି ଜଳୀୟବାଷ୍ପପୂର୍ଣ୍ଣ ବାୟୁ, ବାୟୁମଣ୍ଡଳର ସ୍ଥିରତା ଏବଂ ଆକାଶ ନିର୍ମଳ ରହିବା ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡ଼ି ସହ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେଉଛି । ଗତ ୨୪ ଘଣ୍ଟାରେ କୁହୁଡ଼ି ସକାଶେ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟା ପାଇଁ ମଧ୍ୟ ୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଏହି ଜିଲ୍ଲାଗୁଡ଼ିକ ହେଉଛି କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ଗଜପତି, ଗଞ୍ଜାମ, ମାଲକାନଗିରି ଏବଂ କୋରାପୁଟ । ଏସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ପୁଲିସ ପ୍ରଶାସନକୁ ଆଲର୍ଟ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ରାଜପଥରେ ଯେଭଳି କୁହୁଡ଼ି ସକାଶେ କୌଣସି ଦୁର୍ଘଟଣା ନଘଟେ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଛି । ଗତ ୨୪ ଘଣ୍ଟାରେ ବଲାଙ୍ଗୀର ଏବଂ କୋରାପୁଟରେ ଅତି ଘନମାନର କୁହୁଡ଼ି ଦୃଶ୍ୟମାନ ହୋଇଥିବା ବେଳେ ବାଲେଶ୍ୱର, ଅନୁଗୋଳ, ବାରିପଦା, କେନ୍ଦୁଝର, ଫୁଲବାଣୀ ଏବଂ ମାଲକାନଗିରିରେ ମଧ୍ୟ କୁହୁଡ଼ି ଅଧିକା ହେବାଯୋଗୁଁ ଭିଜିବିଲିଟି ୧୫୦ ମିଟରରୁ କମ୍ ରହିଥିଲା ।

ଶୀତ ଲହରୀ କଥା ଦେଖିଲେ ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୦.୮ରୁ ୨.୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଥିବା ବେଳେ ଉପକୂଳ ଅଞ୍ଚଳରେ ରାତ୍ରି ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୦.୩ ରୁ  ୩.୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି । ଅର୍ଥାତ୍ ଶୀତର ପ୍ରକୋପ କମିଛି। ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗର ପୂର୍ବନୁମାନ ମୁତାବକ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଏୟାରପୋର୍ଟର ଆଖପାଖ ଅଞ୍ଚଳରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ସେହିଭଳି ପୁରୀର କାଟକପୁର ଅଞ୍ଚଳରେ ମଧ୍ୟ ସାମାନ୍ୟ ବର୍ଷା ହୋଇଛି ।

ଏହାବାଦ ଅପହାହ୍ନରେ ଖୋର୍ଦ୍ଧା, ପୁରୀ, କଟକ, କେନ୍ଦୁଝର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଆଦି ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ଓଡ଼ିଶା ଉପରେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ବା ପଶ୍ଚିମ ଝଡ଼ ଏବଂ ଉତ୍ତରପୂର୍ବ ରାଜସ୍ଥାନରୁ ବାହାରି ବିଦର୍ଭ ଯାଏଁ ସମୁଦ୍ର ପତ୍ତନ ଠାରୁ ୧୬.୯ କିମି ଉପରକୁ ଗୋଟିଏ ନିମ୍ନ ଚାପ ରେଖା ଦେଖିବାକୁ ମିଳିଛି । ଯାହାର ପ୍ରଭାବରେ ରାଜ୍ୟରେ ଆଗାମୀ ଚାରି ଦିନ ହାଲୁକାରୁ ବର୍ଷାର ସମ୍ଭାବନା ରହୁଛି । ୨୯ ତାରିଖରେ ବର୍ଷାର ପ୍ରଭାବ ଅଧିକା ରହୁଛି । ୩୦ ତାରିଖରେ ଧିରେ ଧିରେ କମିବ । ଆଗାମୀ ଦିନରେ ଅର୍ଥାତ୍ ବର୍ଷା ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ଜଣାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking