ଭୁବନେଶ୍ୱର: ଆତ୍ମହତ୍ୟା, ସଡ଼କ ଦୁର୍ଘଟଣା, ଅଜଣା ମୃତଦେହ ଉଦ୍ଧାର ବା ଅକସ୍ମାକ ମୃତ୍ୟୁଜନିତ ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ ହେଉଛି । ହେଲେ ପ୍ରମାଣ ଅଭାବ ଓ ମୃତକଙ୍କ ପରିଚୟ ନମିଳିବାରୁ ମାମଲା ଗୁଡ଼ିକ ସେମିତି ପଡ଼ିରହୁଛି । ଏମିତିକି କେତେକ ମାମଲାରେ ପୁଲିସ କୌଣସି ସୁରାକ୍ ପାଉନାହିଁ । ଚଳିତବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ରାଜଧାନୀରେ ମୋଟ୍ ୧୫୧୩ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଏଥିରୁ ମାତ୍ର ୫୫୯ଟି ମାମଲାର ତଦନ୍ତ ସରିଥିବା କମିଶନରେଟ୍ ପୁଲିସର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି । ତେବେ ଆହୁରି ୯୫୪ଟି ମାମଲାର ପୁଲିସ ଖିଅ ପାଇନାହିଁ । ମାନବ ସମ୍ବଳ ଅଭାବ ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଏହା ସମ୍ଭବ ହୋଇପାରିନଥିବା ଜଣାପଡ଼ିଛି । ଏମିତିକି କେତେକ କ୍ଷେତ୍ରରେ ପୁଲିସ ମୃତକଙ୍କ ପରିଚୟ ଜାଣିବା ପାଇଁ ପୋଷ୍ଟର ମାରିଛି । ହେଲେ ସେହି ପୋଷ୍ଟର ପଣ୍ଡା କୌଣସି କାମରେ ଆସିନାହିଁ । ୨୦୧୯ ମସିହାରେ ୧୪୮୩ଟି ମାମଲା ରୁଜୁ ହୋଇଥିବାବେଳେ ୧୧୧୨ଟି ମାମଲା ତଦନ୍ତ ଶେଷ ହୋଇଥିଲା ।
ସେହିପରି ୨୦୨୦ମସିହାରେ ୧୫୮୩ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ୧୧୦୦ଟି ମାମଲାର ତଦନ୍ତ ସରିଥିଲା । ଏହି ତଥ୍ୟକୁ ଅନୁଧ୍ୟାନ କରିବାରୁ ୨୦୨୧ରେ ରାଜଧାନୀରେ ଅପମୃତ୍ୟୁ ମାମଲା ତଦନ୍ତ କରିବାରେ ଭୁବନେଶ୍ୱର ପୁଲିସ ପଛୁଆ ଥିବା ସ୍ପଷ୍ଟ ହୋଇଛି । ରିପୋର୍ଟ ଅନୁସାରେ, କ୍ୟାପିଟାଲ ଥାନାରେ ୨୭୭, ଖାରବେଳନଗର ୩୮, ଏୟାରପୋର୍ଟ ୩୦, ଲିଙ୍ଗରାଜ ୪୬, ଏୟାରଫିଲ୍ଡ ୩୯, ଧଉଳି ୨୨, ଜଟଣୀ ୫୮, ତମାଣ୍ଡୋ ୧୫, ଭରତପୁର ୧୬୩, ଖଣ୍ଡଗିରି ୨୪୬, ବଡ଼ଗଡ ୩୬, ଲକ୍ଷ୍ମୀସାଗର ୫୭, ବାଲିପାଟଣା ୪୬, ବାଲିଅନ୍ତା ୪୮, ନୟାପଲ୍ଲୀ ୧୦୬, ମଞ୍ଚେଶ୍ୱର ୮୧, ସହିଦନଗର ୬୦, ଚନ୍ଦ୍ରଶେଖରପୁର ୭୭, ଇନ୍ଫୋସିଟି ୩୧, ଚନ୍ଦକା ୨୯, ନନ୍ଦନକାନନରେ ୮ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାରୁ ୨୭୭ଟି ଆତ୍ମହତ୍ୟା ଜନିତ ମାମଲା ବୋଲି ରିପୋର୍ଟରୁ ଜଣାପଡ଼ିଛି ।