21.1 C
Bhubaneswar
Monday, November 18, 2024
Homeଓଡିଶାଗୁଣି ସନ୍ଦେହରେ ଗୁଳିମାଡ଼ ଘଟଣାରେ ଟ୍ୱିଷ୍ଟ : ଜଙ୍ଗଲରୁ ମିଳିଲା ଏକେ-୪୭

ଗୁଣି ସନ୍ଦେହରେ ଗୁଳିମାଡ଼ ଘଟଣାରେ ଟ୍ୱିଷ୍ଟ : ଜଙ୍ଗଲରୁ ମିଳିଲା ଏକେ-୪୭

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଜାଡ଼ିଙ୍ଗି ଗାଁରେ ଗୁଣି ସନ୍ଦେହରେ ପାଷ୍ଟର ଡମ୍ବୁରୁଧର ମାଝୀଙ୍କ ଉପରକୁ ହୋଇଥିବା ଗୁଳି ମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଶନିବାର ପୁଲିସ ଗିରଫ କରିଛି । ଗିରଫ ଜଣକ ଉକ୍ତ ଗାଁର ସାଗର ମାଝୀ ବୋଲି ଜଣାଯାଇଛି । ଗଜପତି ଏସ୍‌ପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ ଏବଂ ଏସ୍‌ଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ମିଳିତ ଉଦ୍ୟମରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପୁଲିସ ଟିମ୍ ସହ ଅଭିଯୁକ୍ତର ଘର ଉପରେ ଚଢଉ କରି ତାକୁ ଧରିବାରେ ସଫଳ ହୋଇଛନ୍ତି ।

ତେବେ ସବୁଠୁ ବଡ଼ କଥା ହେଲା ଯେ, ଅଭିଯୁକ୍ତକୁ ପଚରାଉଚରା ପରେ ସେ ବିଜିକୂପାରୀ ଜଙ୍ଗଲରେ ଲୁଚାଇ ରଖିଥିବା ଗୋଟିଏ ଏକେ-୪୭, ୨୮ଟି ଅଫୁଟା ଗୁଳି ଓ ୨ଟି ମାଗାଜିନକୁ ପୁଲିସ୍ ଜବତ କରିବାରେ ସଫଳ ହୋଇଛି । ପ୍ରକାଶ ଯେ  ଅଗଷ୍ଟ ୨୭ରେ ସାଗରର ଏକ ୯ ମାସର ପୁତ୍ର ସନ୍ତାନର ମୃତ୍ୟୁ ହୋଇଥିଲା ।  ତେବେ ଡମ୍ବୁରୁ ଓ ତାଙ୍କ ବାପା ଗୁଣିଗାରିଡ଼ି କରୁଥିବାରୁ ଏଭଳି ଘଟିଥିବା ଆଶଙ୍କା କରି ଆସୁଥିଲା ସାଗର । ଯାହାକୁ ନେଇ ଗ୍ରାମରେ ବୈଠକ ମଧ୍ୟ ହୋଇଥିଲା ।

ତେବେ ସାଗର ପ୍ରତିଶୋଧ ନେବା ପାଇଁ ଡମ୍ବୁରୁକୁ ମାରିବାକୁ ସୁଯୋଗ ଖୋଜୁଥିଲା । ଏହି କ୍ରମରେ  ଗତ ଫେବୃୟାରୀ ୭ରେ ଡମ୍ବୁରୁ କରଡ଼ାବାଡ଼ି ରାସ୍ତାରେ ଯିବା ସମୟରେ ତାଙ୍କ ଉପରକୁ ସାଗର ଗୁଳି ଚାଳନା କରିଥିଲା ।  କିନ୍ତୁ ସୌଭାଗ୍ୟବଶତଃ ଡମ୍ବୁରୁ ଅଳ୍ପକେ ବର୍ତ୍ତି ଯାଇଥଲେ । ତାଙ୍କ ଦେହରେ ଗୁଳି ନ ବାଜି ତାଙ୍କ ବାଇକରେ ବାଜିଥିଲା ।

ସେଠାରେ ଡମ୍ବୁରୁ ପଡ଼ି ଯାଇଥିବା ବେଳେ ପଥର ସାହାଯ୍ୟରେ ଅଭିଯୁକ୍ତ ଜଣକ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ତେବେ ପ୍ରାଣ ବିକଳରେ ଡମ୍ବୁରୁ ସେଠାରେ ଦୌଡ଼ି ପଳାଇଥିଲେ । ପରେ ପରିବାର ଲୋକେ ବ୍ରାହ୍ମଣିଗାଁ ମେଡିକାଲରେ ତାଙ୍କ ଭର୍ତ୍ତି କରିଥିଲେ । ଘଟଣାର ପରଦିନ ତଥା ୮ ତାରିଖରେ ଡମ୍ବୁରୁ ଏନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଘଟଣା ପରଠୁ ଅଭିଯୁକ୍ତ  ସାଗର ଫେରାର ଥିବା ବେଳେ ପୁଲିସ ତାକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking