20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କ କୋଭିଡ୍ ସ୍ଥିତି ସମୀକ୍ଷା : ବଡଦିନ, ନୂଆବର୍ଷ ପାଇଁ କଟକଣା ପରାମର୍ଶ

ପ୍ରଧାନମନ୍ତ୍ରୀଙ୍କ କୋଭିଡ୍ ସ୍ଥିତି ସମୀକ୍ଷା : ବଡଦିନ, ନୂଆବର୍ଷ ପାଇଁ କଟକଣା ପରାମର୍ଶ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶର କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି । ବର୍ତ୍ତମାନ ଓମିକ୍ରନ୍ ଭାରିଆଣ୍ଟ୍‌ର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ମୋଦୀ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଆଗକୁ ବଡଦିନ, ନୂଆବର୍ଷ ଓ ମକର ସଂକ୍ରାନ୍ତି ଭଳି ପାର୍ବଣ ଋତୁ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳରେ କଟକଣା ଲାଗୁ କରିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି । ବିଶେଷକରି ହୋଟେଲ, ପାର୍କ, ସମୁଦ୍ରବେଳା ଓ ଅନ୍ୟ ପର୍ଯ୍ୟଟନସ୍ଥଳୀରେ ଯେପରି ଲୋକଙ୍କର ଭିଡ ପରିଲକ୍ଷିତ ନହୁଏ, ସେଥିପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣ ଜାରି ରହିଥିବା ଏବଂ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ଥାନରେ କଣ୍ଟେନମେଣ୍ଟ କଟକଣା ଲାଗୁ କରାଗଲେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇପାରିବ ବୋଲି ମୋଦୀ କହିଛନ୍ତି ।

୨୦୨୨ ପ୍ରାରମ୍ଭରେ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନମୁହାଁ ରାଜ୍ୟରେ କୋଭିଡ୍ ଟିକାକରଣକୁ ବ୍ୟାପକ କରିବାକୁ ମଧ୍ୟ ମୋଦୀ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ବିଦେଶ ଫେରନ୍ତାମାନେ ଓମିକ୍ରନ୍ ଭାରିଆଣ୍ଟ୍‌ର ବାହକ ହୋଇଥିବାରୁ ପ୍ରତ୍ୟେକ ରାଜ୍ୟ ଏଥିପ୍ରତି ସତର୍କ ରହିବାକୁ ଏବଂ ବିଦେଶ ଫେରନ୍ତାଙ୍କ କୋଭିଡ୍ ପରୀକ୍ଷା କଡାକଡି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସ୍ଥିତି ସମୀକ୍ଷା କରିବାକୁ ମଧ୍ୟ କୁହାଯାଇଛି ।

୬୦:୪୦ ହାରରେ ପ୍ରତିଦିନ ଏହିସବୁ ଅଞ୍ଚଳରେ ଲୋକଙ୍କର ଆର୍‌ଟି-ପିସିଆର ଓ ଆଣ୍ଟିଜେନ୍ ପରୀକ୍ଷା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଗୁରୁବାର ଦେଶରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩,୪୭,୬୫,୯୭୬ରେ ପହଞ୍ଚିଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୮,୨୯୧କୁ ହ୍ରାସ ପାଇଛି । କୋଭିଡ୍ ମୃତକଙ୍କ ସଂଖ୍ୟା ୪,୭୮,୭୫୯ ଛୁଇଁସାରିଛି । ବର୍ତ୍ତମାନ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଅତିକ୍ରମ କରିଥିବାବେଳେ ମହାରାଷ୍ଟ୍ରରେ ସର୍ବାଧିକ ୮୮ ଜଣ ଚିହ୍ନଟ ହୋଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking