ଭୁବନେଶ୍ୱର: ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି ଚରିତ୍ର ନିର୍ମାଣ କରିବା । ପିଲାଙ୍କୁ ଶିକ୍ଷା ମାଧ୍ୟମରେ ଦକ୍ଷତା ଓ ଜ୍ଞାନ ବଢ଼ାଇ ପାରିବା । କିନ୍ତୁ ଭଲ ଚରିତ୍ର ବିନା ଶିକ୍ଷାର ପରିପୂର୍ଣ୍ଣ ହୋଇପାରିବ ନାହିଁ । ଦକ୍ଷତା, ଜ୍ଞାନ ଓ ଚରିତ୍ରର ସମ୍ମିଶ୍ରଣରେ ଜଣେ ବ୍ୟକ୍ତି ପୂର୍ଣ୍ଣାଙ୍ଗ ମନୁଷ୍ୟ ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏକ ଭଲ ପଦକ୍ଷେପ ନେଇଛନ୍ତି । ଏଣିକି ମହାବିଦ୍ୟାଳୟ ଗୁଡ଼ିକରେ ପିଲାମାନଙ୍କ ପାଇଁ ‘ଯୁବ ସଂସ୍କାର’ କ୍ଲାସ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମସ୍ତ ସରକାରୀ ଓ ସରକାର ଅନୁଦାନପ୍ରାପ୍ତ କଲେଜଗୁଡ଼ିକୁ ଗୁରୁବାର ଚିଠି ଲେଖିଛନ୍ତି ।
ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ‘ଯୁବ ସଂସ୍କାର’ କ୍ଲାସ ପାଇଁ କଲେଜଗୁଡ଼ିକରେ ସ୍ୱତନ୍ତ୍ର କୋଠରୀ ପ୍ରସ୍ତୁତ କରାଯିବ । ଏଠାରେ ଅଡିଓ-ଭିଜୁଆଲ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ଏଥିପାଇଁ ୨ରୁ ୩ ଜଣ ଶିକ୍ଷକ ରହିବେ । ଏନ୍ଏସ୍ଏସ୍, ୱାଇଆରସି କାଉନ୍ସେଲର, ଏନ୍ସିସି ଅଫିସରଙ୍କ ମୁଖ୍ୟତଃ ଏହି କ୍ଲାସରେ ଦାୟିତ୍ୱ ଦିଆଯାଇପାରିବ । ଜଣେ ବରିଷ୍ଠ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଏହି ଶିକ୍ଷକମାନେ କାମ କରିବେ । ଅଡିଓ-ଭିଜୁଆଲ୍ ମାଧ୍ୟମରେ ‘ଯୁବ ସଂସ୍କାର’ କ୍ଲାସରେ ତମାଖୁ, ନିଶା ଏବଂ ମଦ କିପରି ଶରୀରକୁ କ୍ଷତି କରେ ସେ ବିଷୟରେ ଶିକ୍ଷା ଦିଆଯିବ । ଦେଶାତ୍ମବୋଧ, ସଂଗ୍ରାମ, ଦାୟିତ୍ୱବୋଧ, ସାଧୁତା, ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ ।
ସେହିପରି ଅଭିଭାବକ, ବୟସ୍କ ଓ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଉପରେ ଶିକ୍ଷା ଦିଆଯିବ । ଶିଶୁ, ମହିଳା, ଦିବ୍ୟାଙ୍ଗ, କିନ୍ନରଙ୍କୁ କିଭଳି ବ୍ୟବହାର କରାଯିବ, ସେନେଇ ମଧ୍ୟ ଶିକ୍ଷକମାନେ ପରାମର୍ଶ ଦେବେ । ତେବେ କଲେଜଗୁଡ଼ିକରେ ଉଭୟ ୟୁଜି ଏବଂ ପିଜି ଛାତ୍ରଛାତ୍ରୀଙ୍କ ଲାଗି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।