ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଞ୍ଚଳରୁ ଦୁଇଛାତ୍ରୀଙ୍କୁ ଅପହରଣ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଟ୍ୟୁସନ ସାର୍ ଗୋପାଳକୃଷ୍ଣ ବାଡ଼ତିଆ ଗୁରୁବାର ଜେଲ ଯାଇଛନ୍ତି । ପୁଲିସ ଛାତ୍ରୀଦ୍ୱୟଙ୍କ ଡାକ୍ତରୀ ପରୀକ୍ଷା କରାଇବା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ସିଆର୍ପିସି ୧୬୪ରେ ବୟାନ ରେକର୍ଡ କରିଥିଲା । ଟ୍ୟୁସନ୍ ସାର୍ ବଡ଼ ଭଉଣୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ସହ ପରୋକ୍ଷରେ ସାନଭଉଣୀଙ୍କୁ ଅସଦାଚରଣ କରୁଥିଲେ ବୋଲି ସେମାନେ କହିଥିଲେ । ତାଙ୍କ ବୟାନ ଆଧାରରେ ପୁଲିସ ଅପହରଣ, ଦୁଷ୍କର୍ମ ସହ ଆଇପିସିର ବିଭିନ୍ନ ଦଫା ଓ ପୋକ୍ସ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଥିଲା ।
ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଟ୍ୟୁସନ୍ ସାର୍ ଛାତ୍ରୀଦ୍ୱୟଙ୍କୁ ସଫଳ କ୍ୟାରିଅରର ସ୍ୱପ୍ନ ଦେଖାଇବା ସହ ବଡ଼ଭଉଣୀଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେଇ ସେମାନଙ୍କୁ ନେଇଯାଇଥିବା ପୁଲିସ କହିଛି । ଏହି ମାମଲାରେ ବିଭିନ୍ନ ଦିଗକୁ ନେଇ ଅଧିକ ତଥ୍ୟ ହାସଲ କରିବାକୁ ପୁଲିସ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରାଯାଇଥିବା ପୁଲିସ କହିଛି । ଉଲ୍ଲେଖଯୋଗ୍ୟ, ଟ୍ୟୁସନ୍ ସାରଙ୍କ ସହ ଫେରାର୍ ହୋଇଯାଇଥିବା ଦୁଇଛାତ୍ରୀଙ୍କୁ ସମ୍ବଲପୁର ଜିଲ୍ଲା ଅଇଁଠାପାଲିରୁ ବଡ଼ଗଡ ଥାନା ପୁଲିସ ବୁଧବାର ଉଦ୍ଧାର କରିଥିଲା । ଟ୍ୟୁସନ୍ ସାର୍ ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ଏକ ଭଡ଼ାଘର ନେଇଥିଲେ । ସେଠାରେ ଛାତ୍ରୀଦ୍ୱୟଙ୍କୁ ନିଜର ଭାଣେଜି ପରିଚୟ ଦେଇ ଲୁଚାଇ ରଖିଥିଲେ ।