ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ଅଧ୍ୟକ୍ଷତା କରିବେ । କେବଳ ଲୋକସେବା ଭବନରେ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ରହିବେ । ଯେଉଁ ମନ୍ତ୍ରୀ ଜିଲ୍ଲା ଗସ୍ତରେ ଥିବେ ସେଠାରୁ ସେ ଭିଡିଓ କନଫରେନ୍ସିଂରେ ସାମିଲ ହେବେ । ଏଥିରେ ୧୦ଟି ପ୍ରସ୍ତାବର ମୋହର ଲାଗିବା ସମ୍ଭାବନା ରହିଛି । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ରାଜ୍ୟ ସରକାର ୧ ଜାନୁଆରୀ ୨୦୨୨ରୁ ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ଦେବେ । ପିଛିଲା ଭାବେ ଅର୍ଥାତ ଜାନୁଆରୀ ୨୦୧୮ରୁ ତାହା ଲାଗୁ ହେବ । ଏନେଇ ରାଜ୍ୟ କ୍ୟାବିନେଟ୍ ମୋହର ଲଗାଇବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଭେଟେନାରୀ କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ ବି ଅନୁମୋଦନ ମିଳିବ । ଏହିଭଳି କୃଷିି, ପଞ୍ଚାୟତିରାଜ, ରାଜସ୍ୱ, ଉଚ୍ଚଶିକ୍ଷା, ଆଇନ ଓ ସାଧାରଣ ପ୍ରଶାସନ ଭଳି କିଛି ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିବ ବୋଲି କୁହାଯାଉଛି । ହେଲେ ସରକାରୀ ଭାବେ କିଛି କୁହାଯାଇନାହିଁ ।