ଗଞ୍ଜାମ : ପୁରୁଷୋତ୍ତମପୁର ବ୍ଲକ୍ ବଡ଼ଖରିଡ଼ା ଗ୍ରାମର ବିଷ୍ଣୁପ୍ରୀୟା ଗୌଡଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଲଦି ହୋଇଯାଇଛି । ଗତ ୫ ମାସ ମଧ୍ୟରେ ପରିବାରର ତିନି ଜଣ ସଦସ୍ୟ ଆରପାରିକୁ ଚାଲିଯାଇଛନ୍ତି । ରୋଜଗାରିଆ ସ୍ୱାମୀକୁ ହରାଇ ଏବେ ଏକା ହୋଇଛନ୍ତି ମହିଳା ବିଷ୍ଣୁପ୍ରୀୟା ଗୌଡ଼ । ଏଭଳି ସ୍ଥିତିରେ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ନ ପାଇ ହଟହଟା ହେଉଛନ୍ତି ବିଷ୍ଣୁପ୍ରିୟା । ଆଜିକୁ ପାଞ୍ଚ ମାସ ପୂର୍ବେ ନିଜର କର୍ମଭୂମି ମୁମ୍ବାଇ ଯାଉଥିବା ବେଳେ ବ୍ରହ୍ମପୁର ଅନ୍ଧପସାର ରୋଡରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସ୍ୱାମୀ ଦିଲ୍ଲୀପ । ସ୍ୱାମୀଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଥିବା ବିଷ୍ଣୁପ୍ରୀୟା ୧୦ ବର୍ଷର ଝିଅ ଓ ୫ ବର୍ଷର ପୁଅକୁ ନେଇ ରହୁଛନ୍ତି ।
ଘରେ ରୋଜଗାରକ୍ଷମ କେହି ନାହାଁନ୍ତି । ଦିଅର ସୁରେନ୍ଦ୍ର ଦିବ୍ୟାଙ୍ଗ ଅଟନ୍ତି । ଶାଶୁ ଶୋଭା ଗୌଡ(୬୦)ଙ୍କ ବ୍ରହ୍ମପୁର ବଡମେଡିକଲରେ ହୃଦ୍ଘାତରେ ଗତମାସ ୧୮ରେ ପରଲୋକ ଘଟିଥିଲା । ଶାଶୁଙ୍କ ମୃତ୍ୟୁକୁ ଏକ ମାସ ନ ପୂରୁଣୁ ଶ୍ୱଶୁରଙ୍କ ଗତ ବୁଧବାର ଦିନ ମୃତ୍ୟୁ ଘଟିଛି। ପାଞ୍ଚ ମାସରେ ଲକ୍ଷ୍ମୀପ୍ରିୟାଙ୍କ ପରିବାରର ତିନି ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ବ୍ରହ୍ମପୁର ମେଡିକାଲରୁ କଟକ ଏସ୍ସିବି ମେଡିକାଲ ଧାଇଁ ଧାଇଁ ପରିବାର ବର୍ଗ ନୟାନ୍ତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ହୋଇନାହିଁ ପ୍ରମାଣପତ୍ର । ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡ ଉପରେ ପୁଅ, ଝିଅଙ୍କ ଭବିଷ୍ୟତ ଚିନ୍ତା ରହିଛି । ଚିନ୍ତାରେ ଭାଙ୍ଗି ପଡିଲେଣି ବିଷ୍ଣୁପ୍ରିୟା ।
ପୁଅ, ଝିଅଙ୍କୁ କିପରି ପାଠପଢାଇବେ, ଦୁଇଓଳା ଖାଦ୍ୟ କେଉଁଠୁ ଯୋଗାଡ଼ କରିବେ ଆଦି ଚିନ୍ତାରେ ନିଦ ହଜିଯାଇଛି । ପୁରୁଷୋତ୍ତମପୁର ତହସିଲଦାର, ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଲକ୍ଷ୍ମିପ୍ରୀୟାଙ୍କୁ ଭେଟି ଆବଶ୍ୟକ ସୁବିଧା ନେଇ ଆଶ୍ୱାସନା ଦେଇଥିଲେ ମଧ୍ୟ ଆର୍ôଥକ ସହାୟତା କେବଳ କାଗଜ କଲମରେ ସୀମିତ ରହିଛି । ମୁମ୍ବାଇ ଉତ୍କଳ ପ୍ରବାସୀ ଓଡ଼ିଆ ସଙ୍ଗଠନର ଉପସଭାପତି ତଥା ମୋ ଗାଁ ମୋ ଦାୟିତ୍ୱର ସଭାପତି ସୂର୍ଯ୍ୟ ନାରାୟଣ ଗୌଡ଼ ପ୍ରତିକ୍ରିୟାରେ କହିଛନ୍ତି, ଓଡ଼ିଆ ଲୋକଙ୍କ ଓଡ଼ିଶାରେ ମୃତ୍ୟୁ ଘଟିଥିଲେ ମଧ୍ୟ ତାଙ୍କୁ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନରେ କେଉଁଠି ଅସୁବିଧା ରହୁଛି । ଏ ଦିଗରେ ଉଚ୍ଚ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେବା ଜରୁରୀ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ତୁରନ୍ତ ସ୍ୱାମୀଙ୍କ ମୃତ୍ୟୁ ସାର୍ଟିଫିକେଟ ସହ ରୋଜଗାର, ଆର୍ôଥକ ସହାୟତା ପ୍ରଦାନ କଲେ ବିଷ୍ଣୁପ୍ରିୟାଙ୍କ ପରିବାର ଉପକୃତ ହୋଇପାରନ୍ତେ ବୋଲି ଗ୍ରାମବାସୀ ଅନୁରୋଧ କରିଛନ୍ତି ।