ଜୋହାନ୍ସବର୍ଗ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ସାଉଥ୍ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଗୁରୁବାର ଏଠାରେ ପହଞ୍ଚିଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧିନାୟକ କୋହଲି ଓ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ସମେତ କେତେକ ଖେଳାଳିଙ୍କ ଫଟୋ ପୋଷ୍ଟ କରି ଟ୍ୱିଟ୍ କରିଛି ‘ସାଉଥ୍ ଆଫ୍ରିକା ପହଞ୍ଚିଯାଇଛୁ’ । ଏହି ଗସ୍ତ ପାଇଁ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ମୁମ୍ବାଇରୁ ଯାତ୍ରାରମ୍ଭ କରିଥିଲା । ଏହି ଗସ୍ତର ଶେଷ ଭାଗରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମଧ୍ୟ ଖେଳାଯିବ । କୋଭିଡ୍-୧୯ର ନୂଆ ଭାରିଆଣ୍ଟ୍ ଓମିକ୍ରମ୍ ବିପଦ ଯୋଗୁଁ ଏହି ଗସ୍ତରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।
ଉଭୟ ଟିମ୍ ପୂରା ସିରିଜ୍ ଅବସରରେ ବାୟୋ ବବଲ୍ରେ ରହିବେ । ଓପ୍ନର୍ ବ୍ୟାଟ୍ସମ୍ୟାନ୍ ତଥା ନବନିଯୁକ୍ତ ସୀମିତ ଓଭର୍ ଅଧିନାୟକ ରୋହିତ ଶର୍ମା ମୁମ୍ବାଇରେ ଅଭ୍ୟାସ ବେଳେ ଆହତ ହେବା କାରଣରୁ ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଗୁଜରାଟର ପ୍ରତିଭାବାନ ଓପ୍ନର୍ ପ୍ରିୟାଙ୍କ ପାଞ୍ଚାଲ୍ଙ୍କୁ ମନୋନୀତ କରାଯାଇଛି । ରୋହିତ ଶର୍ମା ଆହତ ହେବା ପରେ ବର୍ତ୍ତମାନ ସୁଦ୍ଧା ଟେଷ୍ଟ ଟିମ୍ର ଭାଇସ୍ କ୍ୟାପ୍ଟେନ୍ଙ୍କ ନାମ ଘୋଷଣା ହୋଇନାହିଁ ।
ଖରାପ ଫର୍ମରେ ଥିବା ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ରୋହିତଙ୍କୁ ଭାଇସ୍ କ୍ୟାପ୍ଟେନ୍ ନିଯୁକ୍ତ କରାଯାଇଥିଲା । ଏହି ଗସ୍ତ ପୂର୍ବରୁ ବୁଧବାର ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ଟି-୨୦ ଟିମ୍ର ନେତୃତ୍ୱ ନ ଛାଡ଼ିବା ପାଇଁ ବୋର୍ଡ ପକ୍ଷରୁ କୁହାଯାଇଥିଲା ବୋଲି କହି କୋହଲି ହଇଚଇ ସୃଷ୍ଟି କରିଥିଲେ । ୟୁଏଇରେ ଆୟୋଜିତ ଆଇସିସି ଟି-୨୦ ବିଶ୍ୱକପ୍ ପରେ ସେ କ୍ରିକେଟ୍ର ଏହି କ୍ଷୁଦ୍ରତମ ଫର୍ମାଟ୍ରୁ ନେତୃତ୍ୱରୁ ଓହରିଯାଇଥିଲେ । ପରେ ଟେଷ୍ଟ ଟିମ୍ ଘୋଷଣା ସମୟରେ ତାଙ୍କଠାରୁ ଦିନିକିଆ ଦଳର ନେତୃତ୍ୱ ଦାୟିତ୍ୱ ମଧ୍ୟ ଅପସାରଣ କରାଯାଇ ନୂଆ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ନାମ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିଲା ।