ନୂଆଦିଲ୍ଲୀ : ଜାତୀୟ କ୍ରାଇମ୍ ରିପୋର୍ଟ ବ୍ୟୁରୋ (ଏନ୍ସିଆର୍ବି) ତଥ୍ୟ ଆଧାରରେ ଗତବର୍ଷ ଦେଶରେ ମହିଳାଙ୍କ ବିରୋଧରେ ୩୭ ହଜାରରୁ ଊର୍ଦ୍ଧ୍ୱ ହିଂସା ମାମଲା ପଞ୍ଜୀକୃତ ହୋଇଥିବା କେନ୍ଦ୍ର ସରକାର ବୁଧବାର ସଂସଦରେ କହିଛନ୍ତି । ସିପିଆଇଏମ୍ ସାଂସଦ ଝରଣା ଦାସ ବୈଦ୍ୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସଭାରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛିା । ଗତବର୍ଷ ମହିଳାଙ୍କ ବିରୋଧରେ ହୋଇଥିବା ହିଂସାର ତଥ୍ୟ ସମ୍ପର୍କରେ ଜାଣିବାକୁ ସାଂସଦ ବୈଦ୍ୟ ଚାହିଁଥିଲେ । ତଥ୍ୟ ଅନୁସାରେ ୨୦୨୦ରେ ମହିଳାଙ୍କ ବିରୋଧରେ ହିଂସା ମାମଲାରେ ୩୯୮,୬୨୦ ଜଣ ଗିରଫ ହୋଇଛନ୍ତି ।
ଏହା ମଧ୍ୟରୁ ୪୮୮,୧୪୩ ଜଣଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ ହୋଇଥିବା ବେଳେ ୩୧,୪୦୨ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ପୂର୍ବବର୍ଷ ତୁଳନାରେ ୨୦୨୦ରେ ସହରରେ ମହିଳା ବିରୋଧୀ ହିଂସା ୮.୩ ପ୍ରତିଶତ ହ୍ରାସ ପାଇଥିବା ତଥ୍ୟରୁ ଜଣାପଡ଼ିଛି । ମହିଳାଙ୍କ ବିରୋଧରେ ହିଂସା ମଧ୍ୟରେ ଦୁଷ୍କର୍ମ, ଅଶାଳୀନ ବ୍ୟବହାର, ଯୌତୁକ ହତ୍ୟା, ଏସିଡ୍ ଆକ୍ରମଣ, ଉତ୍ପୀଡ଼ନ ଓ ଅପହରଣ ଆଦି ସାମିଲ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଉତ୍ତର ପ୍ରଦେଶ ୪୯,୩୮୫ ମାମଲା ସହିତ ଏହି କ୍ଷେତ୍ରରେ ଦେଶରେ ସବୁଠୁ ଆଗରେ ରହିଛି । ଏହାପରେ ପଶ୍ଚିମବଙ୍ଗ (୩୬,୪୩୯), ରାଜସ୍ଥାନ (୩୫,୫୩୫), ମହାରାଷ୍ଟ୍ର (୩୧,୯୫୪) ଓ ମଧ୍ୟପ୍ରଦେଶ (୨୫,୬୪୦) ରହିଛନ୍ତି । ସେପ୍ଟେମ୍ବରରେ ଜାରି ଏନ୍ସିଆର୍ବି ରିପୋର୍ଟ ଅନୁସାରେ ପଞ୍ଜୀକୃତ ମହିଳା ବିରୋଧୀ ହିଂସା ମାମଲା ମଧ୍ୟରୁ ଅଧିକାଂଶ (୩୦.୨%) ସ୍ୱାମୀ ଓ ସମ୍ପର୍କୀୟଙ୍କ ଦ୍ୱାରା ହୋଇଥିବା ସରକାର ସୂଚନା ଦେଇଛନ୍ତି ।
ସେହିପରି ମହିଳାଙ୍କୁ ସର୍ବସମ୍ମୁଖରେ ଅପମାନିତ କରିବା ନିମନ୍ତେ ହୋଇଥିବା ଆକ୍ରମଣ ମାମଲା (୧୯.୭%) ଏହା ପଛରେ ରହିଛି । ଗତବର୍ଷ ମହିଳାଙ୍କ ଅପହରଣ ମାମଲା ୧୯.୦% ଥିବାବେଳେ ୭.୨ ପ୍ରତିଶତ ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି । ଏପରି ହିଂସାର ସମ୍ମୁଖୀନ ମହିଳାଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ନିମନ୍ତେ ମନ୍ତ୍ରଣାଳୟ କ’ଣ ପଦକ୍ଷେପ ନେଇଛି ପ୍ରଶ୍ନର ଉତ୍ତରରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରାଥମିକତା ଦିଆଯିବା ସହ କେନ୍ଦ୍ର ସରକାର ଏହି କ୍ଷେତ୍ରରେ ବିଭିନ୍ନ ବ୍ୟବସ୍ଥାପକ ଓ ଯୋଜନାବଦ୍ଧ ହସ୍ତକ୍ଷେପ କରିଛନ୍ତି ବୋଲି ମନ୍ତ୍ରଣାଳୟଙ୍କ ପକ୍ଷରୁ କୁହାଯାଇଥିଲା । ସେହିପରି ପୁଲିସ ଓ ଶୃଙ୍ଖଳାରକ୍ଷା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଏହି ବୟାନରେ କୁହାଯାଇଥିଲା । ଯୌନ ଅପରାଧ ପାଇଁ ସରକାର ଇନ୍ଭେଷ୍ଟିଗେସନ୍ ଟ୍ରାକିଂ ସିଷ୍ଟମ୍ ସହ ତଦନ୍ତର ଅଗ୍ରଗତି ଉପରେ ନଜର ରଖିବା ନିମନ୍ତେ ଅନ୍ଲାଇନ୍ ଆନାଲିଟିକ୍ ଟୁଲ୍ର ବ୍ୟବହାର କରୁଛନ୍ତି । ଏହା ଛଡ଼ା ସ୍ୱତନ୍ତ୍ର ଭାବେ ଯୌନ ଅପରାଧୀଙ୍କର ଏକ ଜାତୀୟ ଡାଟାବେସ୍ ପ୍ରସ୍ତୁତ କରିଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।